ପାଠ୍ୟପୁସ୍ତକ ତ୍ରୁଟି ମାମଲା : ଓଡ଼ିଶା ସରକାରଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର କୈଫତ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗ ଏବେ ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ଛପା ଯାଇଥିବା ନୂଆ ବହିଗୁଡ଼ିକରେ ବହୁ ତ୍ରୁଟି ଥିବା ସାମ୍ନାକୁ ଆସିବା ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ବିରୋଧୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଯାଏଁ ସମସ୍ତେ ସରକାରଙ୍କୁ ଏହି ପ୍ରସଙ୍ଗରେ ଘେରିଥିଲେ।
ଏବେ ଏହି ମାମଲାରେ ନୂଆ ମୋଡ଼ ଆସିଛି। ବହି ତ୍ରୁଟି ମାମଲାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ହସ୍ତକ୍ଷେପ କରି ଓଡ଼ିଶା ସରକାରଙ୍କୁ କୈଫତ ମାଗିଛି। PMOର ନିର୍ଦ୍ଦେଶ କ୍ରମେ ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ‘ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ’ ଓଡ଼ିଶା ‘ସ୍କୁଲ ଓ ଗଣଶିକ୍ଷା ବିଭାଗ’ ନିକଟରୁ ଏହି ବିଷୟରେ ରିପୋର୍ଟ ତଥା ଜବାବ ମାଗିଛି।
ରାଜ୍ୟରେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକର ମୁଦ୍ରଣ ଓ ବଣ୍ଟନ ପଛରେ କୋଟି କୋଟି ଟଙ୍କାର ଦୁର୍ନୀତି ରହିଥିବା ନେଇ ଆରଟିଆଇ (RTI) କର୍ମୀ ପ୍ରଦୀପ ପ୍ରଧାନ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ପରେ PMO ଏହି ପଦକ୍ଷେପ ନେଇଛି।
ସରକାରୀ ପ୍ରେସର ଜଣେ ଡେପୁଟି ଡାଇରେକ୍ଟର ପାହ୍ୟାର ଅଧିକାରୀ ଏହି ଦୁର୍ନୀତି ଚକ୍ରରେ ସାମିଲ ଥିବା ନେଇ ଅଭିଯୋଗ ହୋଇଛି ଏବଂ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି।
ପ୍ରଦୀପ ପ୍ରଧାନ ଆହୁରି ଅଭିଯୋଗ କରିଛନ୍ତି ଯେ ବାଣିଜ୍ୟ ବିଭାଗର ଅଧିକାରୀ ହୋଇ ମଧ୍ୟ ଉକ୍ତ ବ୍ୟକ୍ତି ଜଣକ ୨୦୨୨ ମସିହାରୁ ଅନଧିକୃତ ଭାବେ ପାଠ୍ୟପୁସ୍ତକ ମୁଦ୍ରଣ କାର୍ଯ୍ୟ ପରିଚାଳନା କରୁଛନ୍ତି, ଯାହାକି ଆଇନଗତ ଭାବେ ‘ସ୍କୁଲ ଓ ଗଣଶିକ୍ଷା ବିଭାଗ’ର କ୍ଷେତ୍ରାଧିକାର ଅନ୍ତର୍ଭୁକ୍ତ।
ଉକ୍ତ ଅଧିକାରୀ ନିଜ ପତ୍ନୀଙ୍କ ମାଲିକାନାରେ ଥିବା ଏକ ଘରୋଇ ସଂସ୍ଥା ମାଧ୍ୟମରେ ଲାଭଜନକ ମୁଦ୍ରଣ ଓ ଯୋଗାଣ ଚୁକ୍ତିନାମାଗୁଡ଼ିକୁ ବ୍ୟବସ୍ଥିତ ଭାବେ ହାସଲ କରୁଥିଲେ, ଯାହା ସ୍ପଷ୍ଟ ଭାବେ ‘ସ୍ୱାର୍ଥର ସଂଘର୍ଷ’ (Conflict of Interest) ତଥା ନିଜ ପଦବୀର ଅପବ୍ୟବହାରର ଏକ ଉଦାହରଣ।
ଏହା କେବଳ ଗୁଣବତ୍ତା ନିୟନ୍ତ୍ରଣରେ ବ୍ୟାଘାତ ସୃଷ୍ଟି କରି ସରକାରୀ ପାଣ୍ଠିର ଆତ୍ମସାତ କରିନାହିଁ, ବରଂ ଏହା ଲାଗି ଓଡ଼ିଶାର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପାଇବାକୁ ବାଧ୍ୟ ହୋଇଛନ୍ତି।
