ଜାତୀୟ ବାନ୍ଦନା ପରବ ୨୦୨୬ରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି) : ମୟୂରଭଞ୍ଜ ଜିଲ୍ଲାର ଆଗୁଆଡ଼ ଠାରେ ଆଜି ଆୟୋଜିତ ଜାତୀୟ ବାନ୍ଦନା ପରବ ୨୦୨୬ ସାଂସ୍କୃତିକ ମହାମିଳନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ କୁଡୁମୀ ସମାଜର ପ୍ରାଚୀନ ପରମ୍ପରା, କର୍ମଠତା ଓ ପ୍ରକୃତି ପ୍ରେମର ପ୍ରଶଂସା କରିଛନ୍ତି।
ମୁଖ୍ୟମନ୍ତ୍ରୀ କୁଡୁମୀ ସମ୍ପ୍ରଦାୟବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ବାନ୍ଦନା କେବଳ ଏକ ପର୍ବ ନୁହେଁ, ବରଂ ପ୍ରକୃତି, ମାଟି ଓ ଗୋଧନ ସହ ମାନବୀୟ ସମ୍ପର୍କର ଜୀବନ୍ତ କାବ୍ୟ। କୁଡୁମୀ ସମାଜ ମାଟିକୁ ସ୍ୱେଦରେ ସିଞ୍ଚି ଶସ୍ୟଶ୍ୟାମଳା କରିବାର କଳା ଶିଖାଇଥାଏ ଏବଂ ପ୍ରକୃତି ସହ ସହବସ୍ଥାନର ଅନନ୍ୟ ଶୈଳୀ ସମଗ୍ର ମାନବ ସମାଜ ପାଇଁ ଦିଗଦର୍ଶନ।
ସେ ଆହୁରି କହିଥିଲେ ଯେ ମୟୂରଭଞ୍ଜ ତାଙ୍କର ଦ୍ଵିତୀୟ ଘର। କୁଡୁମୀମାନଙ୍କୁ ଆଦିବାସୀ ତାଲିକାଭୁକ୍ତ କରିବା ଓ କୁଡୁମାଲୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ଦାବି ସମ୍ପର୍କରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ଶିକ୍ଷା କ୍ଷେତ୍ରରେ କୁଡୁମୀ ଛାତ୍ରଛାତ୍ରୀଙ୍କ ସଫଳତାକୁ ପ୍ରଶଂସା କରି ସେ କହିଥିଲେ ଯେ ପାର୍ଥ ସାରଥୀ ମହାନ୍ତ ଓ ସଞ୍ଜନା ମହାନ୍ତ ରାଜ୍ୟ ଟପ୍ପର ହୋଇ ସମଗ୍ର ଜାତିର ସୁନାମ ବଢ଼ାଇଛନ୍ତି।
ଏହି ସମାରୋହରେ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ଶ୍ରୀ ଗଣେଶରାମ ସିଂ ଖୁଣ୍ଟିଆ, ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ନବ ଚରଣ ମାଝୀ, ବିଧାୟକ ସନାତନ ବିଜୁଳି, ଭାଦବ ହାଁସଦା, ପ୍ରକାଶ ସୋରେନ, ଜଲେନ ନାଏକ, ବିଧାୟିକା ସଞ୍ଜଳୀ ମୁର୍ମୁ ପ୍ରମୁଖ ମଞ୍ଚାସୀନ ଥିଲେ।
