FeaturedLatestNews

ଓଡ଼ିଶାରେ ପୁଣି ବସ୍ ଭଡ଼ା ବୃଦ୍ଧି: କିଲୋମିଟର ପିଛା ୨୬ ପଇସା ବଢ଼ିଲା

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ପୁଣି ଥରେ ବସ୍ ଭଡ଼ା ବୃଦ୍ଧି କରାଯାଇଛି। ଗତ ୫ ମାସ ମଧ୍ୟରେ ଏହା ତୃତୀୟ ଥର ପାଇଁ ରାଜ୍ୟ ସରକାର ବସ୍ ଭଡ଼ା ବଢ଼ାଇଛନ୍ତି। ବସ୍ ମାଲିକ ସଂଘର ଚାପରେ ପୂର୍ବରୁ ମାତ୍ର ୧୭ ଦିନର ବ୍ୟବଧାନରେ ଦୁଇ ଦୁଇ ଥର ଭଡ଼ା ବଢ଼ାଯାଇଥିବା ବେଳେ ଏବେ ପୁଣି ଯାତ୍ରୀଙ୍କ ଉପରେ ମହଙ୍ଗା ମାଡ଼ ପଡ଼ିଛି। ପରିବହନ ବିଭାଗର ନୂଆ ବିଜ୍ଞପ୍ତି ଅନୁସାରେ, ବସ୍ ଭଡ଼ା କିଲୋମିଟର ପିଛା ବର୍ଗ ଅନୁଯାୟୀ ବୃଦ୍ଧି କରାଯାଇଛି। ସାଧାରଣ ବସ୍ ଠାରୁ ଆରମ୍ଭ କରି ଏସି ଓ ସୁପର ପ୍ରିମିୟମ ବସ୍ ପର୍ଯ୍ୟନ୍ତ ସବୁଥିରେ ଅହେତୁକ ଭଡ଼ା ବଢ଼ିଛି।

ମାତ୍ର ୫ ମାସ ତଳେ ବସ୍ ମାଲିକ ଆସୋସିଏସନ୍ ଚାପରେ ପରିବହନ ବିଭାଗ ପକ୍ଷରୁ ଦୁଇ ଥର ବସ୍ ଭଡ଼ା ବୃଦ୍ଧି କରାଯାଇଥିଲା। ବର୍ତ୍ତମାନ ପୁଣି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବସ୍ ଭଡ଼ା ବୃଦ୍ଧି କରାଯାଇଛି। ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଏଥର ବସ୍ ଭଡ଼ା ୨୬ ପଇସା ବୃଦ୍ଧି କରାଯାଇଛି। ପାଞ୍ଚ ମାସ ପୂର୍ବେ ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୯୨ ପଇସା ଧାର୍ଯ୍ୟ କରାଯାଇଥିବା ବେଳେ ୨୬ ପଇସା ବୃଦ୍ଧି କରାଯାଇ ଏହା ୧ ଟଙ୍କା ୧୮ ପଇସା କରାଯାଇଛି। ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ପୂର୍ବରୁ ୯୬ ପଇସା ଥିବା ବେଳେ ବର୍ତ୍ତମାନ ୧ ଟଙ୍କା ୨୪ ପଇସା ଦେବାକୁ ପଡ଼ିବ। ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୩୫ ପଇସା ଥିବା ବେଳେ ବର୍ତ୍ତମାନ ଏହା ୧ ଟଙ୍କା ୪୧ ପଇସାକୁ ବୃଦ୍ଧି କରାଯାଇଛି।

ଏସି ଡିଲକ୍ସ ଭଡ଼ା କିମି ପିଛା ୧ ଟଙ୍କା ୬୩ ପଇସାରୁ ୧ ଟଙ୍କା ୯୯ ପଇସା ଧାର୍ଯ୍ୟ କରାଯାଇଛି। ସୁପର ପ୍ରିମିୟମ୍ ବସ୍ ଭଡ଼ା କିମି ପିଛା ୨ ଟଙ୍କା ୫୩ ପଇସା ଥିବା ବେଳେ ବର୍ତ୍ତମାନ ତାହା ୩ ଟଙ୍କା ୨୧ ପଇସାରେ ପହଞ୍ଚିଛି। ଏହାଛଡ଼ା ସେମି ଡିଲକ୍ସ ଭଡ଼ା ୧ ଟଙ୍କା ୩୦ ପଇସା ଓ ସୁପର ପ୍ରିମିୟମ୍ ଫୁଲି ସ୍ଟିପର୍ ଏସି କୋଚ୍ ବସ୍ ଭଡ଼ା କିମି ପିଛା ୪ ଟଙ୍କା ୬୧ ପଇସା ଧାର୍ଯ୍ୟ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପରେ ଗତ ମେ’ ୧୫ ତାରିଖରେ ଏସ୍ଟିଏ ପକ୍ଷରୁ ବସ୍ ଭଡ଼ା ବୃଦ୍ଧି କରାଯାଇଥିଲା। ବସ୍ ଭଡ଼ା ବୃଦ୍ଧି ପରେ ପୁନର୍ବାର ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ଘଟିଥିଲା। ଫଳରେ ବସ୍ ଆସୋସିଏସନ୍ ପକ୍ଷରୁ ତେଲ ଦର ବୃଦ୍ଧି ପାଇଁ ବସ୍ ଭଡ଼ା ବଢ଼ାଇବା ଲାଗି ସିଧାସଳଖ ଦାବି କରାଯାଇନଥିଲେ ମଧ୍ୟ ଅନ୍ୟାନ୍ୟ ଖର୍ଚ୍ଚ ବୃଦ୍ଧିକୁ ଆଳ କରି ରାଜ୍ୟ ପରିବହନ ମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏଥି ସହ ଏସଟିଏ କମିସନରଙ୍କ ସହ ସାକ୍ଷାତ କରି ଆଲୋଚନା କରାଯାଇଥିଲା। ଯଦି ବସ୍ ଭଡ଼ାରେ ବୃଦ୍ଧି ନଘଟେ ତାହେଲେ ବସ୍ ଆସୋସିଏସନ୍ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଥିଲା। ସେତେବେଳେ ଆଗକୁ ରଥଯାତ୍ରା ଥିବାରୁ ଆସୋସିଏସନର ଦାବି ଆଗରେ ପରିବହନ ବିଭାଗ ମୁଣ୍ଡ ନୁଆଁଇ ୧୭ ଦିନ ବ୍ୟବଧାନରେ ଦୁଇ ଦୁଇ ଥର ବସ୍ ଭଡ଼ା ବୃଦ୍ଧି କରିଥିଲା।

ଆଉ ଏବେ ପୁଣି ଥରେ ବସ୍ ଭଡ଼ା ବୃଦ୍ଧି କରାଯାଇ ସିଧାସଳଖ ଲୋକଙ୍କ ପକେଟକୁ ଛାଟ ମରାଯାଇଛି। ଗତ କିଛି ମାସ ଧରି ପେଟ୍ରୋଲ ଓ ଡିଜେଲ ଦର କୌଣସି ପ୍ରକାରେ ବୃଦ୍ଧି କରାଯାଇନଥିଲେ ମଧ୍ୟ ରାଜ୍ୟ ପରିବହନ ବିଭାଗ ବସ୍ ଭଡ଼ା ବୃଦ୍ଧି କରି ବସ୍ ମାଲିକଙ୍କୁ ଖୁସି କରାଇଥିବା ବେଳେ ସାଧାରଣ ଲୋକଙ୍କ ଉପରେ ପୁଣି ଆଉ ଏକ ଆର୍ଥିକ ବୋଝ ଲଦିଦେଇଛି। ଯାହାକୁ ନେଇ ଏବେ ଚିନ୍ତାରେ ସାଧାରଣ ଲୋକେ।

Leave a Reply

Your email address will not be published. Required fields are marked *