୫ ବର୍ଷୀୟା ବିରଳ କଳା ବାଘୁଣୀ ଶିମିଳିପାଳରେ ମୃତ
ବାରିପଦା(ସଂକେତ୍ ଟିଭି): ଶିମିଳିପାଳ ଜାତୀୟ ଉଦ୍ୟାନରେ ବିରଳ କଳା ବାଘୁଣୀଙ୍କ ମୃତ୍ୟୁ ଘଟିଛି। ମୃତ ବାଘୁଣୀଟି ୫ ବର୍ଷ ବୟସର ବୋଲି ଜଣାପଡ଼ିଛି। ଏହି ଘଟଣା ଉପର ବାରାହାକାମୁଡା ରେଞ୍ଜର ଅନ୍ତର୍ଗତ ଦୁଧିଆଣି ନିକଟରେ ଘଟିଛି।
ଗତ ୬ ତାରିଖରେ ପାଟ୍ରୋଲିଂ ଟିମ୍ ବାଘୁଣୀଟି ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ସେମାନେ ଉପରିସ୍ଥ ଅଧିକାରୀଙ୍କୁ ଖବର ଦେଇଥିଲେ। ଖବର ପାଇବା ପରେ ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶଚାନ୍ଦ ଗୋଗିନେନି ଡାକ୍ତରୀ ଟିମ୍ ଓ ଅନ୍ୟ ଅଧିକାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।
ବାଘୁଣୀ ଦେହରେ କୌଣସି କ୍ଷତ ଚିହ୍ନ କିମ୍ବା ଦାଗ ଦେଖିବାକୁ ମିଳିନାହିଁ। ଏହାକୁ ଦେଖି ପ୍ରାଥମିକ ଭାବେ ଏହା ପ୍ରାକୃତିକ ମୃତ୍ୟୁ ବୋଲି ଅନୁମାନ କରାଯାଉଛି। ତେବେ ନିଶ୍ଚିତ କାରଣ ଜାଣିବା ପାଇଁ ଶବ ବ୍ୟବଚ୍ଛେଦ କରାଯାଇଛି।
ଏନଟିସିଏର ନିୟମ ମୁତାବକ ବାଘୁଣୀର ଶବ ବ୍ୟବଚ୍ଛେଦ ପରେ ସେହି ସ୍ଥାନରେ ପୋତି ଦିଆଯାଇଛି। ମୃତଦେହର ନମୂନା ସଂଗ୍ରହ କରି ଓୟୁଏଟି ଏବଂ ଏନଟିସିଏର ଲାବୋରେଟୋରିକୁ ପଠାଯାଇଛି। ଲାବୋରେଟୋରୀ ରିପୋର୍ଟ ଆସିବା ପରେ ବାଘୁଣୀ ମୃତ୍ୟୁର ସଠିକ କାରଣ ସ୍ପଷ୍ଟ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।
