ସୋନିଆ ଗାନ୍ଧୀଙ୍କ ପୁସ୍ତକରେ ଖୁଲାସା: ମନମୋହନ ସରକାର ଚଳାଉଥିଲେ, ମୁଁ ପାର୍ଟି ସମ୍ଭାଳୁଥିଲି
ନୂଆଦିଲ୍ଲୀ(ସଂକେତ ଟିଭି): ୟୁପିଏ ଶାସନ କାଳରେ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ବିରୋଧୀ ବିଜେପି ମଉନମୁହାଁ ଏବଂ ରିମୋଟ କଣ୍ଟ୍ରୋଲର ପ୍ରଧାନମନ୍ତ୍ରୀ କରି ଆକ୍ଷେପ କରି ଆସିଥିଲା। ବିଜେପିର ଏମିତି କହିବା ପଛରେ ମଧ୍ୟ ତାତ୍ପର୍ଯ୍ୟ ଥିଲା। କାରଣ ୟୁପିଏ-୧ ଏବଂ ୟୁପିଏ-୨ ସମୟରେ ସରକାରଙ୍କ କାର୍ଯ୍ୟଶୈଳୀ ଦେଖିଲେ ଯିଏ ବି ହେଲେ କହୁଥିଲା ସୋନିଆ ଗାନ୍ଧୀ ହିଁ ସରକାର ଚଳାଉଛନ୍ତି ଏବଂ ମନମୋହନ ରିମୋଟ୍ ପରି ତାଙ୍କ ଦ୍ୱାରା ପରିଚାଳିତ ହେଉଛନ୍ତି। ଏହାକୁ ନେଇ ରାଜନୀତି ମଧ୍ୟ ଖୁବ ହୋଇଛି।
ଏହା ମଧ୍ୟରେ କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ପୁସ୍ତକ ଗ୍ଧଇରକ୍ଷଚ୍ଛଚ୍ଚୱଷଚ୍ଚୱ: ଆ ଓଚ୍ଛନ୍ଧତ୍ତଚ୍ଚରସ୍ଥ ଚ୍ଛଳ କଚ୍ଛବ୍ଦରଗ୍ଦର ବିମୋଚନ ହୋଇ ସାରିଛି। ଏଥିରେ ସୋନିଆ ଗାନ୍ଧୀ ୟୁପିଏ ସରକାର କେମିତି ଚାଲୁଥିଲା ତାକୁ ନେଇ ଖୁଲାସା କରିଛନ୍ତି। ପୁସ୍ତକରେ ଉଲ୍ଲେଖ କରିଛନ୍ତି ଯେ, ସେ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କେମିତି ପାର୍ଟି ଓ ସରକାରକୁ ସମ୍ଭାଳିଥିଲେ।
ସୋନିଆ ଗାନ୍ଧୀ କହିଛନ୍ତି, ୟୁପିଏ ସରକାରରେ ପୂର୍ବତନ ଦିବଙ୍ଗତ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସରକାର ଚଳାଉଥିଲେ ଏବଂ ସେ ପାର୍ଟିର କାର୍ଯ୍ୟ ଦେଖୁଥିଲେ। ‘Belonging: A Journey of Love’ ରେ ସୋନିଆ ସ୍ପଷ୍ଟ ଭାବେ କହିଛନ୍ତି ଯେ, ତାଙ୍କ ପାଖକୁ ସରକାରୀ ଫାଇଲ୍ ଆସୁ ନ ଥିଲା। କାରଣ ଏହା ପୂର୍ବରୁ ପ୍ରକାଶିତ ଅନେକ ପୁସ୍ତକରେ ଖୁଲାସା ହୋଇଥିଲା ଯେ, ସୋନିଆ ଗାନ୍ଧୀଙ୍କ ଟେବୁଲକୁ ସରକାରୀ ଫାଇଲ୍ ଆସୁଥିଲା।
ସୋନିଆ କହିଛନ୍ତି, ସରକାର ଗଠନ ସମୟରେ ସେ ପରାମର୍ଶ ଦେଇଥିଲେ ଯେମିତି କୌଣସି ବରିଷ୍ଠ ନେତାଙ୍କ ପ୍ରତି ଅନାଦର ନ ହୁଏ। ବିଶେଷ କରି ପାର୍ଟି କ୍ଷମତାରୁ ବାହାରେ ଥିବା ସମୟରେ ବର୍ଷ ବର୍ଷ ଧରି ଯେଉଁ ନେତା ପାର୍ଟିର ସେବା କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି, ପିଏମଓରୁ ତାଙ୍କ ନିକଟକୁ ଫାଇଲ୍ ଆସୁଥିବା ଅଭିଯୋଗ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ସଂପୂର୍ଣ୍ଣ ମିଥ୍ୟା।
ସେ ଏହା ମଧ୍ୟ କହିଛନ୍ତି, ୨୦୦୪ ସାଧାରଣ ନିର୍ବାଚନର ଅନେକ ମାସ ପୂର୍ବରୁ ସେ ପୁଅ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ମିଶି ଏହି ନିଷ୍ପତ୍ତି ନେଇଥିଲେ ଯେ, ସେ କେବେ ବି ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବେ ନାହିଁ। ସୋନିଆଙ୍କ ସୁରକ୍ଷା ସମ୍ବନ୍ଧିତ ଚିନ୍ତାକୁ ନେଇ ଗାନ୍ଧୀ ପରିବାର ଏହି ନିଷ୍ପତ୍ତି ନେଇଥିଲେ। ତେଣୁ ମୁଁ କେବଳ ପାର୍ଟିର ମଙ୍ଗ ଧରିବାକୁ ନିଷ୍ପତ୍ତି ନେଇଥିଲି ବୋଲି ସୋନିଆ ନିଜ ପୁସ୍ତକରେ ଉଲ୍ଲେଖ କରିଛନ୍ତି।
ମନମୋହନ ସିଂଙ୍କୁ ପ୍ରଧାନମନ୍ତ୍ରୀ କାହିଁକି କରାଗଲା? ଏହି ପ୍ରଶ୍ନର ଉତ୍ତର ମଧ୍ୟ ନିଜ ପୁସ୍ତକରେ ଉଲ୍ଲେଖ କରିଛନ୍ତି ସୋନିଆ। କଂଗ୍ରେସର ଏହି ବର୍ଷୀୟାନ ନେତ୍ରୀ କହିଛନ୍ତି, ୧୯୯୧ରେ ଅର୍ଥବ୍ୟବସ୍ଥାକୁ ଉଦାର କରିଥିବା ବ୍ୟକ୍ତିଙ୍କ ରୂପେ ମନମୋହନ ସିଂ ପ୍ରଧାନମନ୍ତ୍ରୀ ଭାବେ ଉପଯୁକ୍ତ ବ୍ୟକ୍ତି ଥିଲେ। ତାଙ୍କୁ ଏହି ପଦରେ ବସାଇ ସୋନିଆ ଏହି ସନ୍ଦେଶ ଦେବାକୁ ଚେଷ୍ଟା କରିଥିଲେ ଯେ, ସେ ପ୍ରଧାନମନ୍ତ୍ରୀ ହେବା ତାଙ୍କର କୌଣସି ଅଭିଳାଷ ନାହିଁ। ମନମୋହନଙ୍କୁ ପ୍ରଧାନମନ୍ତ୍ରୀ କରାଯିବା ପରିସ୍ଥିତିରେ ୟୁପିଏ ସରକାରକୁ ବାମଦଳ ସମର୍ଥନ ମଧ୍ୟ ଦେଇଥିଲା।
