FeaturedLatestNews

ଦିପାବଳୀ ପରେ ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ଭୟଙ୍କର: ଏକ୍ବୟୁଆଇ ୧,୨୫୪ ଛୁଇଁଲା

ଭୁବନେଶ୍ୱର (ସଂକେତ ଟିଭି): ଦିପାବଳୀ ଉତ୍ସବ ପରେ ରାଜଧାନୀ ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ଭୟଙ୍କର ରୂପ ଧାରଣ କରିଛି। ଏକ ଘରୋଇ ମନିଟରିଂ ପ୍ଲାଟଫର୍ମ ଏକ୍ବୟୁଆଇ ଡଟ୍ ଇନ୍ ର ତଥ୍ୟ ଅନୁଯାୟୀ, ରବିବାର ରାତିରେ ସହରର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ବୟୁଆଇ) ୧୨୦୦ ଅତିକ୍ରମ କରିଥିଲା। ଏହା ସହରବାସୀଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି।

ଏକ୍ବୟୁଆଇ ଡଟ୍ ଇନ୍ ର ରିପୋର୍ଟ ଅନୁଯାୟୀ, ରବିବାର ରାତି ୯ଟା ସମୟରେ ଭୁବନେଶ୍ୱରର ଏକ୍ବୟୁଆଇ ୧,୦୯୧ ଥିବାବେଳେ ମାତ୍ର ଅଧା ଘଣ୍ଟା ମଧ୍ୟରେ ଅର୍ଥାତ ୯:୩୦ ସୁଦ୍ଧା ଏହା ୧,୨୫୪ରେ ପହଞ୍ଚିଥିଲା। ଏହି ପ୍ଲାଟଫର୍ମ ବାୟୁର ଗୁଣବତ୍ତାକୁ ଗ୍ଧବିପଜ୍ଜନକଗ୍ଦ ଶ୍ରେଣୀରେ ରଖିବା ସହ ସେହି ସମୟରେ ଭୁବନେଶ୍ୱରକୁ ଦେଶର ତୃତୀୟ ସବୁଠାରୁ ପ୍ରଦୂଷିତ ସହର ଭାବେ ଦର୍ଶାଇଥିଲା।

ରାତି ୯ଟା ସୁଦ୍ଧା ବାୟୁରେ ପିଏମ ୨.୫ ର ମାତ୍ରା ୬୨୨ ମାଇକ୍ରୋଗ୍ରାମ ଏବଂ ପିଏମ୍ ୧୦ର ମାତ୍ରା ୭୫୦ ମାଇକ୍ରୋଗ୍ରାମ ରେକର୍ଡ କରାଯାଇଥିଲା। ଏହି କ୍ଷୁଦ୍ର କଣିକାଗୁଡ଼ିକ ଶ୍ୱାସକ୍ରିୟା ମାଧ୍ୟମରେ ଶରୀର ଭିତରକୁ ପ୍ରବେଶ କରି ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଛି।

କେବଳ ଭୁବନେଶ୍ୱର ନୁହେଁ, ଅନ୍ୟାନ୍ୟ ସହରରେ ମଧ୍ୟ ପ୍ରଦୂଷଣ ବୃଦ୍ଧି ପାଇଛି। ଏୟାରଲିଫ୍ ପ୍ଲାଟଫର୍ମ ଅନୁଯାୟୀ, ସୋମବାର ଭୋର ୪:୩୦ରେ କଟକର ଏକ୍ବୟୁଆଇ ୧୫୬ ଏବଂ ଭୋର ୫:୩୦ରେ ବାଲେଶ୍ୱରରେ ଏହା ୧୦୭ ରହିଥିଲା।

ସରକାର ଦିପାବଳୀରେ ରାତି ୭ଟାରୁ ୯ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ଦେଇଥିଲେ। ମାତ୍ର ନିର୍ଦ୍ଧାରିତ ସମୟ ପରେ ମଧ୍ୟ ବାଣ ଫୁଟିବା ଜାରି ରହିଥିବାରୁ ପ୍ରଦୂଷଣ ସ୍ତର ବୃଦ୍ଧି ପାଇଥିବା କୁହାଯାଉଛି। ତେବେ ଏହି ସବୁ ତଥ୍ୟ ଘରୋଇ ସଂସ୍ଥାରୁ ଆସିଥିବା ବେଳେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ର ସରକାରୀ ରିପୋର୍ଟ ସହ ଏହାର ଭିନ୍ନତା ଥାଇପାରେ।

ସାଧାରଣତଃ ୫୦ ରୁ କମ୍ ଏକ୍ବୟୁଆଇ କୁ ଗ୍ଧଉତ୍ତମଗ୍ଦ କୁହାଯାଉଥିବା ବେଳେ ୨୦୦ ରୁ ଅଧିକ ହେଲେ ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ଘରର କବାଟ ଝରକା ବନ୍ଦ ରହିଲେ ମଧ୍ୟ ଧୂଆଁ ଘର ଭିତରକୁ ପଶୁଥିବାରୁ ଅନେକ ଲୋକ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ଅଭିଯୋଗ କରିଛନ୍ତି। ବିଶେଷକରି ଶିଶୁ, ବୟସ୍କ ଏବଂ ଶ୍ୱାସକ୍ରିୟା ଜନିତ ରୋଗୀଙ୍କ ପାଇଁ ଏହି ସ୍ଥିତି ଅତ୍ୟନ୍ତ ବିପଜ୍ଜନକ।

Leave a Reply

Your email address will not be published. Required fields are marked *