ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ, ଡିସେମ୍ବର ୧୦ରେ ଚିଠା ବିଜ୍ଞପ୍ତି
ଭୁବନେଶ୍ୱର (ସଂକେତ ଟିଭି): ପୌର ନିର୍ବାଚନ ପାଇଁ ବାଜିଲା ପ୍ରାରମ୍ଭିକ ବିଗୁଲ୍। ରାଜ୍ୟରେ ମ୍ୟୁନିସିପାଲିଟି ଓ ନୋଟିଫାଏଡ୍ ଏରିଆ କାଉନସିଲ୍ (ଏନଏସି) ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରଶାସନିକ ପ୍ରସ୍ତୁତି। ଏନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଜାରି ହୋଇଛି।
ବୌଦ୍ଧ ଜିଲ୍ଲାକୁ ବାଦ୍ ଦେଇ ଅନ୍ୟ ସମସ୍ତ ଜିଲ୍ଲାରେ ମ୍ୟୁନିସିପାଲିଟି ଓ ଏନଏସିର ସୀମା ନିର୍ଦ୍ଧାରଣ, ୱାର୍ଡ ପୁନର୍ଗଠନ ଏବଂ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ କରିବାକୁ କୁହାଯାଇଛି। ବିଭାଗ ପକ୍ଷରୁ ଧାର୍ଯ୍ୟ ହୋଇଛି ସମୟସୀମା।
ଡିସେମ୍ବର ୧୦ ତାରିଖରେ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ସମ୍ପର୍କିତ ଚିଠା ବିଜ୍ଞପ୍ତି ପ୍ରକାଶ ପାଇବ। ଏହା ପରେ ଡିସେମ୍ବର ୧୯ ତାରିଖ ସୁଦ୍ଧା ସାଧାରଣ ଲୋକେ ନିଜର ଆପତ୍ତି ଓ ଅଭିଯୋଗ ଦାଖଲ କରିପାରିବେ। ଡିସେମ୍ବର ୨୪ ତାରିଖରେ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ତେବେ ଏହି ବିଜ୍ଞପ୍ତିକୁ ନେଇ ଯଦି କାହାର କୌଣସି ଆପତ୍ତି ଥାଏ, ତେବେ ଡିସେମ୍ବର ୨୪ରୁ ଜାନୁଆରୀ ୭ ତାରିଖ ମଧ୍ୟରେ ଅପିଲ୍ କରିପାରିବେ। ସେହିପରି ଜାନୁଆରୀ ୧୫ରୁ ୨୫ ତାରିଖ ମଧ୍ୟରେ ଅପିଲ୍ଗୁଡ଼ିକର ଶୁଣାଣି ହେବ। ଆଉ ଜାନୁଆରୀ ୩୦ ତାରିଖ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ଡେଡ୍ଲାଇନ୍ ଧାର୍ଯ୍ୟ କରିଛି ବିଭାଗ।
ତେବେ ଏହା ପୌର ନିର୍ବାଚନର ପ୍ରସ୍ତୁତି ପାଇଁ ପ୍ରାରମ୍ଭିକ ପଦକ୍ଷେପ। ନିର୍ବାଚନର ତାରିଖ ଓ ଭୋଟ୍ ଗ୍ରହଣ ସମ୍ପର୍କିତ ଘୋଷଣା ଏହି ନିର୍ଦ୍ଦେଶରେ ହୋଇନାହିଁ।
