FeaturedLatestNews

ଡେବ୍ରିଗଡ଼ ଅଭୟାରଣ୍ୟରେ ପୁଣି ଏକ ମହାବଳ ବାଘ, କ୍ୟାମେରା ଟ୍ରାପରେ ଫଟୋ କଏଦ୍

ସମ୍ବଲପୁର(ସଂକେତ ଟିଭି): ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ପୁଣି ଏକ ମହାବଳ ବାଘର ଚଳପ୍ରଚଳ ଦେଖିବାକୁ ମିଳିଛି। ଡେଚୁଆଁ-ଲଖନପୁର ଜଙ୍ଗଲ ରାସ୍ତା ଦେଇ ବାଘଟି ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିଥିବା ନେଇ ହୀରାକୁଦ ବନ୍ୟପ୍ରାଣୀ ଡିଏଫଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି।

ଅଭୟାରଣ୍ୟରେ ନିୟୋଜିତ ପାଟ୍ରୋଲିଂ ଟିମ୍‌ର ସଦସ୍ୟମାନେ ବାଘଟିକୁ ପ୍ରତ୍ୟକ୍ଷ ଭାବେ ଦେଖିବା ସହ ଜଙ୍ଗଲ ମଧ୍ୟରେ ଖଞ୍ଜାଯାଇଥିବା କ୍ୟାମେରା ଟ୍ରାପ୍‌ରେ ମଧ୍ୟ ବାଘର ଫଟୋ କଏଦ ହୋଇଛି ବୋଲି ଡିଏଫଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି।

ଡିଏଫଓ ଅଂଶୁପ୍ରଜ୍ଞା ଦାସଙ୍କ କହିବା ଅନୁଯାୟୀ, କ୍ୟାମେରା ଟ୍ରାପ୍‌ରୁ ମିଳିଥିବା ଫଟୋଗୁଡ଼ିକୁ ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ଏବଂ ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନ ର ବିଶେଷଜ୍ଞମାନଙ୍କ ପାଖକୁ ପଠାଯାଇଛି। ଫଟୋର ଆନାଲିସିସ୍ କରାଯିବା ପରେ ବାଘଟିର ଲିଙ୍ଗ, ଉତ୍ସ (କେଉଁ ଜଙ୍ଗଲରୁ ଆସିଛି) ଏବଂ ଅନ୍ୟାନ୍ୟ ସବିଶେଷ ତଥ୍ୟ ସ୍ପଷ୍ଟ ହେବ।

ବାଘର ସୁରକ୍ଷିତ ଆବାସ ଏବଂ ଶିକାରୀଙ୍କ କବଳରୁ ରକ୍ଷା କରିବା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅଭୟାରଣ୍ୟର ପ୍ରମୁଖ ଗତିବିଧି ପଥ ଓ ସୀମାନ୍ତ ଅଞ୍ଚଳରେ ୧୦୦ଟି କ୍ୟାମେରା ଟ୍ରାପ୍ ସକ୍ରିୟ କରାଯାଇଛି। ଦୈନିକ ୨୭ଟି ସ୍ପେଶାଲ ଟିମ୍ ଜଙ୍ଗଲ ଟ୍ରେଲ୍ ଓ ସୀମାନ୍ତ ଅଞ୍ଚଳରେ ନିରନ୍ତର ପାଟ୍ରୋଲିଂ କରୁଛନ୍ତି। ରାତି ସମୟରେ ବାଘର ଗତିବିଧି ଉପରେ କଡ଼ା ନଜର ରଖିବା ପାଇଁ ୩ ସ୍ତରୀୟ ରାତ୍ରିକାଳୀନ ପାଟ୍ରୋଲିଂ ବ୍ୟବସ୍ଥା ମଧ୍ୟ କରାଯାଇଛି।

Leave a Reply

Your email address will not be published. Required fields are marked *