CulturalFeaturedLatestNews

ଗୋବର୍ଦ୍ଧନ ମଠ ନବକଳେବର: ୭୪ ଜଣ ଜବରଦଖଲକାରୀଙ୍କୁ ନୋଟିସ

ପୁରୀ(ସଂକେତ ଟିଭି): ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପୁରୀ ଗୋବର୍ଦ୍ଧନ ମଠର ନବକଳେବର ହେବ। ଗୋବର୍ଦ୍ଧନ ମଠର ବିକାଶମୂଳକ କାର୍ଯ୍ୟ କରାଯାଇ ଏକ ସ୍ବତନ୍ତ୍ର କରିଡ଼ର ନିର୍ମାଣ ହେବ। ଗୋବର୍ଦ୍ଧନ ମଠ ଠାରୁ ସ୍ବର୍ଗଦ୍ବାର ପର୍ଯ୍ୟନ୍ତ ପ୍ରଶସ୍ତ ରାସ୍ତା ନିର୍ମାଣ କରାଯିବ। ସେହିପରି ସ୍ବର୍ଗଦ୍ବାର ନିକଟରେ ହେଉଥିବା ମହୋଦଧି ଆଳତି ସ୍ଥଳରେ ସୌନ୍ଦର୍ଯ୍ୟକରଣ କରାଯିବ। ଗୋବର୍ଦ୍ଧନ ମଠ ଜମିକୁ ଜବରଦଖଲ କରିଥିବା ବ୍ୟକ୍ତିଙ୍କ ଠାରୁ ଜମି ଉଦ୍ଧାର ମଧ୍ୟ କରାଯିବ। ଏନେଇ ପ୍ରାରମ୍ଭିକ ପ୍ରକ୍ରିୟା ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି।

ଗୋବର୍ଦ୍ଧନ ମଠ କରିଡ଼ର ନିର୍ମାଣ ପାଇଁ ୭୪ ଜଣ ଜବରଦଖଲକାରୀଙ୍କୁ ନୋଟିସ ଜାରି କରାଯାଇଛି। ଆଇନ ଅନୁଯାୟୀ ଜବରଦଖଲ ଉଚ୍ଛେଦ କରାଯାଇ ଗୋବର୍ଦ୍ଧନ ମଠର ବିକାଶମୂଳକ କାର୍ଯ୍ୟ କରାଯିବ ବୋଲି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି। ସେପଟେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ପୁରୀ ଗୋବର୍ଦ୍ଧନ ମଠ ସ୍ବାଗତ କରିଛି।

ଗତ ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନରେ ଏକ ସ୍ବତନ୍ତ୍ର ବୈଠକରେ ଗୋବର୍ଦ୍ଧନ ମଠର ବିକାଶମୂଳକ ଓ ଉନ୍ନତିକରଣ କାର୍ଯ୍ୟ କିଭଳି ହୋଇପାରିବ ସେନେଇ ସମୀକ୍ଷା କରିଥିଲେ। ତଦନୁଯାୟୀ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋବର୍ଦ୍ଧନ ମଠର ବିକାଶମୂଳକ କାର୍ଯ୍ୟ ପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମେ ମଠ ଜମି ଗୁଡ଼ିକ ଜବରଦଖଲ କରିଥିବା ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯିବା ପରେ ଗୋବର୍ଦ୍ଧନ ମଠର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହେବ।

ସେପଟେ ପୁରୀ ବାସିନ୍ଦାଙ୍କ ପାଇଁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଜମିପଟ୍ଟା ନିଜ ନାମରେ କରିବା ପାଇଁ ସରକାର ଧାର୍ଯ୍ୟ କରିଥିବା ନୂଆ ୟୁନିଫର୍ମ ପଲିସିକୁ ପୁରୀ ଓକିଲ ସଂଘ ବିରୋଧ କରିଛି। ପାଞ୍ଚ ଦଫା ଦାବି ନେଇ ପୁରୀ ଓକିଲ ସଂଘ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଓକିଲ ସଂଘ ଦାବି କରିଛି ଯେ ପୁରୀ ସହରରେ ଶ୍ରୀଜଗନ୍ନାଥ ମନ୍ଦିର ଓ ବିଭିନ୍ନ ମଠ ମନ୍ଦିର ଜମିରେ ଦୀର୍ଘ ଦିନ ଧରି ବାସ କରୁଥିବା ଯୋଗ୍ୟ ପରିବାରଙ୍କୁ ଆଇନ ସମ୍ମତ ସତ୍ତ୍ବାଧିକାର ଓ ପଟ୍ଟା ପ୍ରଦାନ କରିବା, ଶ୍ରୀଜଗନ୍ନାଥ ମନ୍ଦିର ବନାମ ସିଦ୍ଧମଠ ସୁପ୍ରିମକୋର୍ଟଙ୍କ ରାୟକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ଏବଂ ଓଡ଼ିଶା ସରକାରଙ୍କ ଶ୍ରୀଜଗନ୍ନାଥ ମନ୍ଦିର ଜମି ପରିଚାଳନା ନିୟମ ୨୦୨୬ ପ୍ରତ୍ୟାହାର କରିବା।

ଗୋବର୍ଦ୍ଧନ ମଠର ବିକାଶ କାର୍ଯ୍ୟ ପାଇଁ ଜବରଦଖଲକାରୀଙ୍କୁ ନୋଟିସ ହୋଇଥିବା ବେଳେ ଏହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ଅନେକ ବ୍ୟକ୍ତି ମଠ ଜମି କିଣିଥିବା ନେଇ ବୈଧ କାଗଜପତ୍ର ଥିବା ଦାବି କରିଛନ୍ତି। ଏବେ ଏହି ଦାବିକୁ କିଭଳି ପ୍ରଶାସନ ଗ୍ରହଣ କରିବା ସହ ଅଭିଯୋଗର ସମାଧାନ କରି ଗୋବର୍ଦ୍ଧନ ମଠର ବିକାଶ କାର୍ଯ୍ୟ କେବେ ଆରମ୍ଭ ହେବ ତାକୁ ଏବେ ସମସ୍ତଙ୍କର ଅପେକ୍ଷା।

Leave a Reply

Your email address will not be published. Required fields are marked *