୮୦ କୋଟି ହେରଫେର ମାମଲାରେ ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓଙ୍କ ଘରେ ଚଢ଼ାଉ
ରାୟଗଡ଼ା(ସଂକେତ ଟିଭି): ଟ୍ରକ୍ ମାଲିକ ସଂଘର ପ୍ରାୟ ୮୦ କୋଟି ଟଙ୍କାର ଆର୍ଥିକ ହେରଫେର ମାମଲାରେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କ ବିରୋଧରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ ) ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରାୟଗଡ଼ା ଏବଂ ବିଶାଖାପାଟଣା ସ୍ଥିତ ଭାସ୍କର ରାଓଙ୍କ ବାସଭବନ ସମେତ ମୋଟ ୧୧ଟି ସ୍ଥାନରେ(ଇଓଡବ୍ଲୁ ) ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି।
ଅତିରିକ୍ତ ଏସପି ଆଶିଷ କୁମାର ମିଶ୍ରଙ୍କ ନେତୃତ୍ୱରେ ଗଠିତ ଏକ ୨୫ ଜଣିଆ ସ୍ୱତନ୍ତ୍ର ଟିମ୍ ଗତ ଦୁଇ ଦିନ ହେବ ରାୟଗଡ଼ାରେ ଡେରା ପକାଇ ଏହି ଖୋଳତାଡ଼ ଚଳାଇଛି। ଏହି ଟିମରେ ୫ ଜଣ ଲେଖାଏଁ ଡିଏସପି ଏବଂ ଇନ୍ସପେକ୍ଟର ସାମିଲ ଅଛନ୍ତି। ଗତ ବୁଧବାରଠାରୁ ଏକ ଟିମ୍ ରାୟଗଡ଼ାରେ ପହଞ୍ଚି ସ୍ଥାନୀୟ ଥାନାରୁ ସମସ୍ତ କାଗଜପତ୍ର ସଂଗ୍ରହ କରିଥିଲା। ଗୁରୁବାର ଅନ୍ୟ ଏକ ବଡ଼ ଟିମ୍ ପହଞ୍ଚି ତଦନ୍ତକୁ ଜୋରଦାର କରିଥିଲା। ଦୁଇ ଦିନ ଧରି ଆର୍ଥିକ ଅନିୟମିତତାର ତର୍ଜମା କରିବା ପରେ ଆଜି ସକାଳୁ ଇଓଡବ୍ଲୁ ଟିମ୍ ସିଧାସଳଖ ପୂର୍ବତନ ସାଂସଦଙ୍କ ଘରେ ପଶି ତଲାସି ଅଭିଯାନ ଆରମ୍ଭ କରିଛି। ଘରୁ ବହୁ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ଯାଞ୍ଚ କରିବା ସହ ସେଗୁଡ଼ିକୁ ଜବତ କରାଯିବ ବୋଲି ଜଣାପଡ଼ିଛି।
ଚଢ଼ାଉ ସମୟରେ ଭାସ୍କର ରାଓ ଘରେ ଉପସ୍ଥିତ ନଥିବା ଜଣାପଡ଼ିଛି।ଇଓଡବ୍ଲୁ ଟିମ୍ ତାଙ୍କ ବାସଭବନରେ ଉପସ୍ଥିତ ଥିବା କିଛି ସହାୟକଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରୁଛନ୍ତି। ତଦନ୍ତ ଶେଷ ହେବା ପରେ ଏହି ମାମଲାରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଇଓଡବ୍ଲୁ ପକ୍ଷରୁ ସୂଚନା ଦିଆଯାଇଛି।
ଇଓଡବ୍ଲୁ ପକ୍ଷରୁ ଜାରି ପ୍ରେସ ରିଲିଜ୍ ଅନୁସାରେ, ଚଢ଼ାଉ ହେଉଥିବା ୧୧ଟି ସ୍ଥାନ ମଧ୍ୟରେ ରାୟଗଡ଼ାର ରାଣୀଗୁଡ଼ା ଫାର୍ମ ସ୍ଥିତ ନେକାଣ୍ଟି ଭାସ୍କର ରାଓଙ୍କ ବାସଭବନ, ପିତାଳା ଷ୍ଟ୍ରିଟ୍ ସ୍ଥିତ ବି. ମନ୍ମଧ ରାଓଙ୍କ ବାସଭବନ, ରାୟତ କଲୋନୀ ସ୍ଥିତ ଜି. କ୍ରିଷ୍ଣାଙ୍କ ବାସଭବନ, ରାୟଗଡ଼ା ମୁଖ୍ୟ ରାସ୍ତାରେ କପିଳାସ ହୋଟେଲ ସମ୍ମୁଖ ଏବଂ ଜିଡିସି କାରଖାନା ନିକଟରେ ଥିବା ରାୟଗଡ଼ା ଟ୍ରକ୍ ମାଲିକ ସଂଘର କାର୍ଯ୍ୟାଳୟ ରହିଛି। ସେହିପରି ଭୁବନେଶ୍ୱର ଫରେଷ୍ଟ ପାର୍କ ସ୍ଥିତ ପ୍ଲଟ୍ ନମ୍ବର ୬୫ରେ ଥିବା ଶ୍ରୀ ଆଦିତ୍ୟ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍, ବରମୁଣ୍ଡା ଏଚବି କଲୋନୀର ଏମ-୧୬୭ରେ ଥିବା ଅରୁଣ ପାୱାର ପ୍ରୋଜେକ୍ଟ ଲିମିଟେଡ୍, ଭୀମପୁର ସ୍ଥିତ ପ୍ଲଟ୍ ନମ୍ବର ୨୨୩ରେ ଥିବା ଆରି ଆଦିତ୍ୟ ଲଜିଷ୍ଟିକ୍ସ ପ୍ରାଇଭେଟ୍ ଲିମିଟେଡ୍ ଏବଂ ସେହି ପ୍ଲଟରେ ଥିବା ଶ୍ରୀ ଆଦିତ୍ୟ ଟ୍ରେଡିଂ ଆଣ୍ଡ ମାର୍କେଟିଂ ପ୍ରାଇଭେଟ୍ ଲିମିଟେଡ୍ ଅନ୍ତର୍ଭୁକ୍ତ। ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟର ବ୍ଲକ-ବି ସେକ୍ଟର-ଏ ପ୍ଲଟ୍ ନମ୍ବର ୧୪୫ ସ୍ଥିତ ଶ୍ରୀ ବାଲାଜୀ ରିଅଲ୍ ଇଷ୍ଟେଟ୍ସ ଆଣ୍ଡ ଏଗ୍ରି ଡେଭଲପର୍ସ ଏବଂ ସେହି ପ୍ଲଟରେ ଥିବା ଶ୍ରୀ ଆଦିତ୍ୟ ରିଅଲ୍ ଇଷ୍ଟେଟ୍ ଆଣ୍ଡ ଏଗ୍ରି ଡେଭଲପର୍ସ, ରାୟଗଡ଼ା ଗୌତମ ନଗର ସ୍ଥିତ ଶ୍ରୀ ଆଦିତ୍ୟ ଏଚପି ଏଣ୍ଟରପ୍ରାଇଜେସ୍ ଗ୍ୟାସ୍ ଏଜେନ୍ସି ମଧ୍ୟ ସାମିଲ ରହିଛି।
ସୂଚନାନୁଯାୟୀ, ସେପ୍ଟେମ୍ବର ୯ରେ (ନଂ.୧୫/୨୦୨୬) ଏହି ମାମଲା ରୁଜୁ କରାଯାଇଛି। ଅଭିଯୋଗ ଅନୁଯାୟୀ, ରାୟଗଡ଼ା ଟ୍ରକ୍ ମାଲିକ ସଂଘର କିଛି କର୍ମକର୍ତ୍ତାଙ୍କ ବିରୋଧରେ ବ୍ୟାପକ ଆର୍ଥିକ ଅନିୟମିତତା, ଅର୍ଥ ହଡ଼ପ, ବଟି ଆଦାୟ ଏବଂ ଧମକଚମକ ଦେବା ଭଳି ଅଭିଯୋଗ ରହିଛି। ମାମଲାର ମୁଖ୍ୟ ଅଭିଯୁକ୍ତ ଅନ୍ୟ କିଛି ସଂଘ କର୍ମକର୍ତ୍ତାଙ୍କ ସହ ମିଶି ୨୦୦୫ ମସିହାରୁ ଟ୍ରକ୍ ମାଲିକମାନଙ୍କଠାରୁ ବିଭିନ୍ନ ଆଳରେ ଟଙ୍କା ଆଦାୟ କରାଯାଇଥିଲା। ଏପରିକି ନକ୍ସଲ କାର୍ଯ୍ୟକଳାପକୁ ଅର୍ଥ ଯୋଗାଇବା ନାଁରେ ମଧ୍ୟ ଟଙ୍କା ସଂଗ୍ରହ କରାଯାଉଥିବା ଅଭିଯୋଗ ରହିଛି।
ଏହି ଅର୍ଥର ପରିମାଣ ବେଶ୍ ଅଧିକ ହୋଇଥିବା ଅନୁମାନ କରାଯାଉଥିବା ବେଳେ ଏହାର କୌଣସି ସଠିକ୍ ହିସାବ ରଖାଯାଇନଥିଲା। ଟଙ୍କା ଆଦାୟ ସମୟରେ ରସିଦ୍ ଦିଆଯାଉନଥିଲା। ସଂଗ୍ରହ ହୋଇଥିବା ଅର୍ଥକୁ ହଡ଼ପ କରି ଲଜିଷ୍ଟିକ୍ସ, ଟ୍ରେଡିଂ, ଖଣି ଏବଂ ରିଅଲ୍ ଇଷ୍ଟେଟ୍ ସମ୍ପର୍କିତ ବିଭିନ୍ନ ଘରୋଇ ବ୍ୟବସାୟିକ ସଂସ୍ଥାରେ ନିବେଶ କରାଯାଇଥିଲା ବୋଲି କୁହାଯାଉଛି।
ଟ୍ରକ୍ ମାଲିକ ସଂଘର ପ୍ରାୟ ୮୦ କୋଟି ଟଙ୍କା ହଡ଼ପ ହୋଇଥିବା ନେଇ ସଂଘର ସଭାପତି ସ୍ୱର୍ଗତ ୱାଇ. ଭେଙ୍କଟେଶ୍ୱର ରାଓ ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓ ଏବଂ ଅନ୍ୟମାନଙ୍କ ବିରୋଧରେ ରାୟଗଡ଼ା ପୋଲିସରେ ଅଭିଯୋଗ କରିଥିଲେ। ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ରାୟଗଡ଼ା ପୋଲିସ ପ୍ରଥମେ ଏହାର ତଦନ୍ତ କରିବା ପରେ ପରବର୍ତ୍ତୀ ସମୟରେ ଏହି ଠକେଇ ମାମଲାକୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାକୁ ହସ୍ତାନ୍ତର କରିଥିଲା।
