ମୟୂରଭଞ୍ଜରେ କେଜିବିଭି ଛାତ୍ରୀ ପ୍ରସବ ଘଟଣା: ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ
ବାରିପଦା (ସଂକେତ ଟିଭି): ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ ଅଧୀନ ଧନପୁରସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (ଔୠଇଟ)ର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ ଘଟଣାକୁ ନେଇ ଶିକ୍ଷା ବିଭାଗରେ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନମିତା ମାଝୀଙ୍କୁ ନିଲମ୍ବିତ କରାଯାଇଛି। ଅନ୍ୟପକ୍ଷରେ ପ୍ରସବ ପରେ ଚିକିତ୍ସାଧୀନ ନବଜାତ ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଛାତ୍ରୀ ଜଣକ ୭ ମାସର ଗର୍ଭବତୀ ଥିବାବେଳେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ପ୍ରଥମେ ବେତନଟୀ ଡାକ୍ତରଖାନା ଏବଂ ପରେ ଉନ୍ନତ ଚିକିତ୍ସା ପାଇଁ ବାରିପଦାସ୍ଥିତ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ବୁଧବାର ସକାଳେ ଛାତ୍ରୀ ଜଣକ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ନବଜାତ ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ଏହି ଘଟଣାକୁ ନେଇ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବେତନଟୀ ବ୍ଲକ ଶିକ୍ଷା ଅଧିକାରୀ ବିପ୍ଳବ କର ପ୍ରଧାନ ଶିକ୍ଷୟତ୍ରୀ ନମିତା ମାଝୀଙ୍କୁ ନିଲମ୍ବନ ଆଦେଶ ଜାରି କରିଛନ୍ତି। ନିଲମ୍ବନ ଅବଧିରେ ତାଙ୍କ ମୁଖ୍ୟାଳୟ ସାରିଆସ୍ଥିତ ୟୁପି ସ୍କୁଲରେ ରହିବ ବୋଲି ଆଦେଶରେ ଉଲ୍ଲେଖ ରହିଛି।
ତେବେ ଛାତ୍ରୀଙ୍କ ଗର୍ଭଧାରଣ ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବରୁ ଅବଗତ ଥିଲେ କି ନାହିଁ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଛାତ୍ରୀଙ୍କ ସୁରକ୍ଷା ଓ ଯତ୍ନ ନେବାରେ କୌଣସି ଅବହେଳା ହୋଇଥିଲା କି ନାହିଁ, ତାହା ମଧ୍ୟ ତଦନ୍ତସାପେକ୍ଷ। ଘଟଣାର ପ୍ରକୃତ ପୃଷ୍ଠଭୂମି ଓ ସମ୍ପୂର୍ଣ୍ଣ ସତ୍ୟାସତ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।
ବିଦ୍ୟାଳୟରେ ରହୁଥିବା ଜଣେ ଦଶମ ଶ୍ରେଣୀ ଛାତ୍ରୀ କିପରି ୭ ମାସ ଧରି ଗର୍ଭବତୀ ରହିବା ସତ୍ତ୍ୱେ ଏ ସମ୍ପର୍କରେ କର୍ତ୍ତୃପକ୍ଷ ଅବଗତ ହୋଇପାରିଲେ ନାହିଁ, ତାହାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି। ଏଭଳି ଘଟଣା ବିଦ୍ୟାଳୟରେ ଛାତ୍ରୀଙ୍କ ସୁରକ୍ଷା, ଯତ୍ନ ଓ ତଦାରଖ ବ୍ୟବସ୍ଥାକୁ ପଦାରେ ପକାଇଛି। ଘଟଣାର ନିରପେକ୍ଷ ତଦନ୍ତ ସହ ପୀଡ଼ିତା ଛାତ୍ରୀଙ୍କୁ ଆବଶ୍ୟକ ଚିକିତ୍ସା ଓ ମାନସିକ ସହାୟତା ଯୋଗାଇଦେବାକୁ ଦାବି ହେଉଛି।
