ଶୀତତାପ ନିୟନ୍ତ୍ରିତ ହେଲା ଶ୍ରୀମନ୍ଦିର ନାଟମଣ୍ଡପ
ପୁରୀ (ସଂକେତ ଟିଭି): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ଏବେ ଠାରୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥାରେ ନାଟମଣ୍ଡପରେ ଠିଆ ହୋଇ ମହାପ୍ରଭୁଙ୍କ ଦର୍ଶନ କରିବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନାଟମଣ୍ଡପକୁ ସମ୍ପୂର୍ଣ୍ଣ ଭାବେ ଶୀତତାପ ନିୟନ୍ତ୍ରିତ କରାଯାଇଛି। ଗତ ଏକମାସ ଧରି ଏହି ବ୍ୟବସ୍ଥାକୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯାଇଥିଲା ଏବଂ ଆଜିଠାରୁ ଏହାକୁ ସ୍ଥାୟୀ ରୂପେ ଲାଗୁ କରାଯାଇଛି।
ପୂର୍ବରୁ ନାଟମଣ୍ଡପରେ ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁଁ ଅନେକ ଭକ୍ତ ଅଣନିଃଶ୍ଵାସୀ ହୋଇ ଅସୁସ୍ଥ ହୋଇ ପଡୁଥିଲେ। ଅନେକ ଭକ୍ତଙ୍କୁ ବାନ୍ତି ହେଉଥିଲା, ଯାହାଫଳରେ ମହାପ୍ରଭୁଙ୍କ ନୀତିକାନ୍ତିରେ ବାଧା ସୃଷ୍ଟି ହେଉଥିଲା। ଏହି ସମସ୍ୟାର ସମାଧାନ ପାଇଁ ASI (ପୁରାତତ୍ତ୍ଵ ସର୍ବେକ୍ଷଣ ବିଭାଗ)ର ସହଯୋଗରେ ଶ୍ରୀମନ୍ଦିର ପ୍ରଶାସନ ଏହି ପଦକ୍ଷେପ ନେଇଛି। ଭକ୍ତ ଓ ସେବାୟତମାନେ ପ୍ରଶାସନର ଏଭଳି ଉଦ୍ୟମକୁ ସ୍ଵାଗତ ଜଣାଇଛନ୍ତି।
ନୂଆ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥାକୁ ଭକ୍ତମାନେ ସ୍ଵାଗତ କରିବା ସହିତ ଶ୍ରୀମନ୍ଦିର ନାଟମଣ୍ଡପ ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଗଲେ ଅଧିକ ସୁବିଧା ହେବ ବୋଲି ମତବ୍ୟକ୍ତ କରିଛନ୍ତି। ବରିଷ୍ଠ ନାଗରିକ, ମହିଳା ଏବଂ ଛୋଟପିଲାମାନେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଅଭାବରୁ ମହାପ୍ରଭୁଙ୍କୁ ଠିକ୍ ଭାବେ ଦର୍ଶନ କରିପାରୁ ନାହାନ୍ତି, ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଭକ୍ତମାନେ ସରକାରଙ୍କୁ ଯଥାଶୀଘ୍ର ନାଟମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରିବାକୁ ଅନୁରୋଧ କରିଛନ୍ତି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, “ନାଟମଣ୍ଡପକୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କରାଯାଇଥିବାରୁ ଭକ୍ତମାନେ ଅତି ସୁନ୍ଦର ଭାବେ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ। ଆଗାମୀ ଦିନରେ ରାଜ୍ୟ ସରକାର ଶୃଙ୍ଖଳିତ ଦର୍ଶନ ପାଇଁ ନାଟମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରିବେ।” ତେବେ ଏହି ଧାଡ଼ି ଦର୍ଶନ ବ୍ୟବସ୍ଥା କେବେ ଆରମ୍ଭ ହେବ, ତାହା ଏବେ ସମସ୍ତଙ୍କ ଅପେକ୍ଷା।
