FeaturedLatestNews

ବାଲେଶ୍ୱରରେ ଲାଞ୍ଚ ନେବାବେଳେ ଧରାପଡ଼ିଲେ ସବ୍-ରେଜିଷ୍ଟ୍ରାର

ବାଲେଶ୍ବର (ସଂକେତ ଟିଭି): ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲିଆପାଳ ସବ୍-ରେଜିଷ୍ଟ୍ରାର ମନୀଷା ମିଶ୍ର। ଏକ ଜମିର ବିକ୍ରୟ କବଲା ପଞ୍ଜୀକରଣ କରିବା ପାଇଁ ସେ ଜଣେ ଜମି କ୍ରେତାଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଶୁକ୍ରବାର ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି।

ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସମ୍ପୃକ୍ତ ଜମିର ପରିମାଣ ୦.୧୪ ଏକର ହୋଇଥିବାବେଳେ ଏହାର କିସମ ‘ବାଜ୍ୟାପ୍ତି ସ୍ଥିତିବାନ’ ଭାବେ ରେକର୍ଡଭୁକ୍ତ ରହିଥିଲା। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶାବଳୀ ଅନୁଯାୟୀ, ଏହି କିସମର ଜମିକୁ ସ୍ଥିତିବାନ ଭାବେ ବିବେଚନା କରାଯାଇ ଏହାର ପଞ୍ଜୀକରଣ କରାଯାଇ ପାରିବ। ଏନେଇ ଜମି କ୍ରେତା ବାରମ୍ବାର ସବ୍-ରେଜିଷ୍ଟ୍ରାରଙ୍କୁ ଅନୁରୋଧ କରିଥିଲେ ମଧ୍ୟ ସେ ଏହାକୁ ଗୁରୁତ୍ୱ ଦେଇନଥିଲେ। ବରଂ ଏଥିପାଇଁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଅଭିଯୋଗକାରୀ ଏତେ ଟଙ୍କା ଦେବାକୁ ଅସମର୍ଥତା ପ୍ରକାଶ କରିବାରୁ ଲାଞ୍ଚ ରାଶିକୁ ୭ ହଜାର ଟଙ୍କାକୁ ହ୍ରାସ କରିଥିଲେ। ଏଥିରେ ଅତିଷ୍ଠ ହୋଇ ଜମି କ୍ରେତା ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।

ଯୋଜନା ଅନୁଯାୟୀ, ଆଜି ଭିଜିଲାନ୍ସ ଟିମ୍ ଜାଲ ବିଛାଇଥିଲା। ମନୀଷା ଅଭିଯୋଗକାରୀଙ୍କଠାରୁ ୭ ହଜାର ଟଙ୍କା ଗ୍ରହଣ କରୁଥିବା ସମୟରେ ତାଙ୍କୁ ଧରାଯାଇଥିଲା। ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହାପରେ ତାଙ୍କର ଆୟବହିର୍ଭୂତ ସମ୍ପତ୍ତି ଠାବ କରିବା ଉଦ୍ଦେଶ୍ୟରେ ମନୀଷାଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି।

ଏନେଇ ବାଲେଶ୍ୱର ଭିଜିଲାନ୍ସ ଥାନାରେ କେସ୍ ନଂ ୨୬/୨୦୨୬ରେ ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି। ମନୀଷା ମିଶ୍ର ୨୦୨୪ ମସିହାରେ ଚାକିରିରେ ଯୋଗ ଦେଇଥିବାବେଳେ ବାଲିଆପାଳରେ ସବ୍-ରେଜିଷ୍ଟ୍ରାର ଭାବେ ପ୍ରୋବେସନ୍ ଅବଧିରେ କାର୍ଯ୍ୟରତ ଥିଲେ।

ଏନେଇ ଭିଜିଲାନ୍ସ ଅଧିକାରୀ ବିକାଶ ସ୍ୱାଇଁ କହିଛନ୍ତି ଯେ, “ସବ୍-ରେଜିଷ୍ଟ୍ରାର ମନୀଷା ମିଶ୍ର ନିଜେ ସିଧାସଳଖ ଟଙ୍କା ଗ୍ରହଣ କରିଥିବା ଜଣାପଡ଼ିଛି। ବର୍ତ୍ତମାନ ତାଙ୍କର ଆୟବହିର୍ଭୂତ ସମ୍ପତ୍ତି ଓ ଅନ୍ୟାନ୍ୟ ଦିଗକୁ ନେଇ ଯାଞ୍ଚ ଚାଲିଛି। ଏଥିପାଇଁ ୧୧ ଜଣିଆ ଭିଜିଲାନ୍ସ ଟିମ୍ ଗଠନ କରାଯାଇ ଚଢ଼ାଉ କରାଯାଇଛି। ତାଙ୍କ ଘର ସମେତ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଛି। ଏହି ଯାଞ୍ଚ ଓ ଚଢ଼ାଉ ପରେ ସମସ୍ତ ତଥ୍ୟ ସ୍ପଷ୍ଟ ହେବ।”

Leave a Reply

Your email address will not be published. Required fields are marked *