LatestNews

ନୀଳଗିରିରେ କାର ସୋ’ରୁମ ମାଲିକଙ୍କ ରହସ୍ୟମୟ ମୃତ୍ୟୁ: ହତ୍ୟା ଅଭିଯୋଗ

ବାଲେଶ୍ବର (ସଂକେତ ଟିଭି): ନୀଳଗିରି ବ୍ଲକ ବରହମପୁର ଥାନା ତିନିକୋଶିଆ ଜଙ୍ଗଲ ଦେବଯାନୀ ଛକ ନିକଟରେ ଜଙ୍ଗଲ ଭିତରେ ଥିବା ଏକ ଶାଳ ଗଛ ଡାଳରେ କାର ସୋ’ ରୁମ ମାଲିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।

ଯୁବକ ଜଣକ ହେଲେ ନୀଳଗିରି ଥାନା କେପିଲାଖରାଜ ପଞ୍ଚାୟତ କଅଁରପୁର ମାହାଲ ଗ୍ରାମର ଭରତ ଜେନାଙ୍କ ପୁତ୍ର ଶୁଭମ ଜ୍ୟୋତି ଜେନା (୨୮)। ତେବେ ତାଙ୍କ ମୃତ୍ୟୁ ସନ୍ଦେହ ଘେରରେ ରହିଛି। ଏହା ଏକ ଆତ୍ମହତ୍ୟା ନୁହେଁ, ବରଂ ହତ୍ୟା ବୋଲି ବାପା କହିଛନ୍ତି।

ସୂଚନାଯୋଗ୍ୟ, ଶୁଭମ ଗତକାଲି ଅପରାହ୍ନ ୪ଟା ସମୟରେ ଘରୁ ବାହାରି କପ୍ତିପଦାକୁ ଯାଉଛି, ରାତିରେ ଫେରିବି ବୋଲି ମାକୁ କହି ଆସିଥିଲେ। ରାତି ୭.୩୦ ପରେ ପରିବାର ଲୋକ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ମୋବାଇଲ ଲାଗିନଥିଲା। ଏନେଇ ବାପା ଭରତ ପୁଅର ନିଖୋଜ ନେଇ ଗତକାଲି ନୀଳଗିରି ଥାନାରେ ଲିଖିତ ଏତଲା ଦେଇଥିଲେ। ଆଜି ସକାଳେ ବାପା ଖୋଜାଖୋଜି କରି ତିନିକୋଶିଆ ରାସ୍ତାରେ ଯାଉଥିବା ବେଳେ ପୁଅର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ।

ତାଙ୍କ ପୁଅ ସହିତ ଦୁଇ ତିନି ଜଣ ଲୋକ ଥିଲେ ବୋଲି ବାପା ଖବର ପାଇଥିଲେ। ଖବର ପାଇ ବରହମପୁର ଥାନା ଅଧିକାରୀ ଜନ ପଟ୍ଟନାୟକ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଶୁଭମର ମୃତଦେହକୁ ଉଦ୍ଧାର କରିବା ସହିତ ଏକ କଳା ରଙ୍ଗର ପଲସର ବାଇକ ଜବତ କରିଛି। ପରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପାଇଁ ନୀଳଗିରି ମେଡିକାଲକୁ ପଠାଇ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିବ ବୋଲି ପୁଲିସ ସୂଚନା ଦେଇଛି।

ବାପାଙ୍କ କହିବା ଅନୁସାରେ ଗତକାଲି ମୃତ୍ୟୁ ସ୍ଥାନରେ ତାଙ୍କ ପୁଅ ସହିତ ଦୁଇ ତିନି ଜଣ ଲୋକ ଥିଲେ ବୋଲି ସେ ଖବର ପାଇଥିଲେ। ତେଣୁ ମୋ ପୁଅକୁ ଯୋଜନାବଦ୍ଧ ଭାବେ ମାରିଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ପାଖରେ ଦାବି କରିଛନ୍ତି। ବାଲେଶ୍ୱର କୁରୁଡ଼ା ବ୍ରିଜ ନିକଟରେ ଥିବା କାର ସୋ’ରୁମର ମାଲିକ ଥିଲେ ଶୁଭମ।

Leave a Reply

Your email address will not be published. Required fields are marked *