BusinessFeaturedLatestNews

ଧନତେରସ: ଭୁବନେଶ୍ୱର ଓ କଟକରେ ୧୦୦ କୋଟି ଟଙ୍କା ସୁନା ବିକ୍ରି ରେକର୍ଡ

ଭୁବନେଶ୍ୱର (ସଂକେତ ଟିଭି): ଧନତେରସ ଅବସରରେ ଓଡ଼ିଶାର ସୁନା ବଜାରରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି। ସୁନାର ଆକାଶଛୁଆଁ ଦର ସତ୍ତ୍ୱେ ରାଜ୍ୟର ଶୋ ରୁମ୍ ଗୁଡ଼ିକରେ ରେକର୍ଡ ଭିଡ଼ ଜମିଛି। ସୁନାର ବର୍ଦ୍ଧିତ ମୂଲ୍ୟ ଗ୍ରାହକଙ୍କ ପାରମ୍ପରିକ ବିଶ୍ୱାସ ଓ ଧନତେରସ ଉତ୍ସାହକୁ ସାମାନ୍ୟ ମଧ୍ୟ କମାଇ ପାରିନାହିଁ। ରାଜ୍ୟର ପ୍ରମୁଖ ବ୍ୟାବସାୟିକ ସହରଗୁଡ଼ିକରେ ଗ୍ରାହକଙ୍କ ଅପ୍ରତ୍ୟାଶିତ ଭିଡ଼ ଦେଖିବାକୁ ମିଳିଛି ଏବଂ ସମସ୍ତ ପ୍ରମୁଖ ଜୁଏଲାରୀ ପ୍ରତିଷ୍ଠାନରେ ବ୍ୟବସାୟ ବେଶ୍ ଭଲ ରହିଛି।

ବଜାର ଆକଳନ ଅନୁଯାୟୀ, କେବଳ ଭୁବନେଶ୍ୱର ଏବଂ କଟକରେ ମୋଟ ବିକ୍ରି ୧୦୦ କୋଟି ଟଙ୍କାର ମାଇଲଖୁଣ୍ଟ ଅତିକ୍ରମ କରିଛି, ଯାହା ଗତ ବର୍ଷ ତୁଳନାରେ ପ୍ରାୟ ୧୦ ପ୍ରତିଶତ ବାର୍ଷିକ ଅଭିବୃଦ୍ଧି ଦର୍ଶାଉଛି। ଭୁବନେଶ୍ୱରର ଜନପଥ, ସହୀଦ ନଗର, ଚନ୍ଦ୍ରଶେଖରପୁର ଓ ରସୁଲଗଡ଼ ଭଳି ପ୍ରମୁଖ ବ୍ୟାବସାୟିକ ଅଞ୍ଚଳରେ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗ୍ରାହକଙ୍କ ପ୍ରବଳ ଭିଡ଼ ଜମିଥିଲା। ସେହିପରି କଟକର ନୂଆସଡ଼କ, ଚୌଧୁରୀ ବଜାର ଓ ଜେଲ୍ ରୋଡ୍ ଆଦି ପ୍ରମୁଖ ବଜାରରେ ଶୁଭ ମୁହୂର୍ତ୍ତରେ କିଣାକିଣି ପାଇଁ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା। ସ୍ଥାନୀୟ ବ୍ରାଣ୍ଡ ସହିତ ଜାତୀୟ ସ୍ତରର ପ୍ରତିଷ୍ଠିତ ଜୁଏଲାରୀ ଚେନ୍ ଗୁଡ଼ିକରେ ଦିନସାରା ଧୂମ୍ କାରବାର ଚାଲିଥିଲା। ଏହି ବ୍ୟାବସାୟିକ ଉତ୍ସାହ ପଶ୍ଚିମ ଓଡ଼ିଶାର ପ୍ରମୁଖ ସହରଗୁଡ଼ିକରେ ମଧ୍ୟ ସମାନ ଭାବେ ଦେଖିବାକୁ ମିଳିଥିଲା।

ସମ୍ବଲପୁର ଏବଂ ରାଉରକେଲାର ବଡ଼ ବଡ଼ ଶୋଗ୍ଦରୁମ୍ ଗୁଡ଼ିକରେ ଗ୍ରାହକଙ୍କ ପ୍ରବଳ ଆଗ୍ରହ ପ୍ରକାଶ ପାଇଥିଲା। ଗ୍ରାହକଙ୍କ ଭିଡ଼କୁ ସମ୍ଭାଳିବା ପାଇଁ ଜୁଏଲାରୀ ଶୋଗ୍ଦରୁମ୍ ଅତିରିକ୍ତ କର୍ମଚାରୀ ନିୟୋଜିତ କରାଯିବା ସହ ମେକିଂ ଚାର୍ଜ ଉପରେ ଆକର୍ଷଣୀୟ ରିହାତି ଏବଂ ପ୍ରତିଯୋଗିତାମୂଳକ ଏକ୍ସଚେଞ୍ଜ ଅଫର୍ ପ୍ରଦାନ କରାଯାଇଥିଲା। ଅନ୍ତର୍ଜାତୀୟ ବଜାରରେ ସୁନା ଦର ବୃଦ୍ଧି ଯୋଗୁଁ ଶୁକ୍ରବାର ଦିନ ଓଡ଼ିଶାରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ପ୍ରାୟ ୧ ଲକ୍ଷ ୩୧ ହଜାର ୫୦୦ ଟଙ୍କା ଥିଲା। ତେବେ ଲୋକେ ନିଜ ବଜେଟ୍ ଅନୁଯାୟୀ କିଣାକିଣିର ଶୈଳୀରେ କିଛିଟା ପରିବର୍ତ୍ତନ କରିଥିଲେ। ଗ୍ରାହକମାନେ ନିଜର ନିର୍ଦ୍ଧାରିତ ବଜେଟ୍ ମଧ୍ୟରେ ଅଧିକ ସୁନା ପାଇବା ପାଇଁ ଆଧୁନିକ, ସ୍ମାର୍ଟ ଏବଂ ହାଲୁକା ଓଜନର ନେକଲେସ୍, ଚେନ୍ ଏବଂ ମୁଦି କିଣିବାକୁ ଅଧିକ ପସନ୍ଦ କରିଥିଲେ।

ଦୀର୍ଘକାଳୀନ ସୁରକ୍ଷିତ ନିବେଶ ପାଇଁ ଗ୍ରାହକମାନେ ଉଚ୍ଚ ଶୁଦ୍ଧତା ବିଶିଷ୍ଟ ସୁନା ଓ ରୁପା ମୁଦ୍ରା କିଣିବାକୁ ପ୍ରାଥମିକତା ଦେଇଥିଲେ। ଗହଣା ବ୍ୟତୀତ ରୂପା ସାମଗ୍ରୀ, ପୂଜା ବାସନ ଏବଂ ଘରକରଣା ଆସବାବପତ୍ର ଓ ରୋଷେଇ ସାମଗ୍ରୀର ମଧ୍ୟ ବେଶ୍ ଭଲ ବିକ୍ରି ହୋଇଥିଲା। ବ୍ୟବସାୟୀ ସଂଘର ପ୍ରତିନିଧିଙ୍କ କହିବା ଅନୁଯାୟୀ, ପର୍ବପର୍ବାଣୀ ଠିକ୍ ପୂର୍ବରୁ ଆନ୍ତର୍ଜାତୀୟ ମୂଲ୍ୟରେ ସାମାନ୍ୟ ସ୍ଥିରତା ଆସିବା ଯୋଗୁଁ ଗ୍ରାହକଙ୍କୁ ମାନସିକ ସ୍ତରରେ ବଡ଼ ଆଶ୍ୱସ୍ତି ମିଳିଥିଲା। ପୂର୍ବରୁ ହୋଇଥିବା ଆଡଭାନ୍ସ ବୁକିଂ ଏବଂ ଆଗକୁ ଆସୁଥିବା ବାହାଘର ଋତୁ ଯୋଗୁଁ ଚଳିତ ବର୍ଷ ରାଜ୍ୟର ସୁନା ବ୍ୟବସାୟ ଏକ ବଡ଼ ସଫଳତା ହାସଲ କରିଛି।

Leave a Reply

Your email address will not be published. Required fields are marked *