ଏଥର ଦୀପାବଳୀ ପାଳିବେ ନାହିଁ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟା ଓ ଭୂସ୍ଖଳନରେ ରାଜ୍ୟର ବିଭିନ୍ନ ଅଞ୍ଚଳ, ବିଶେଷକରି ଦକ୍ଷିଣ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ନିବାସରେ ଦୀପାବଳି ଉତ୍ସବ ପାଳନ କରାଯିବ ନାହିଁ। ବିପର୍ଯ୍ୟୟରେ ପ୍ରଭାବିତ ଲୋକଙ୍କ ଦୁଃଖ ଓ ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ନେଇଛନ୍ତି।
ଏଥିସହ ଦୀପାବଳି ଅବସରରେ ମୁଖ୍ୟମନ୍ତ୍ରୀ ନିବାସକୁ କୌଣସି ପ୍ରକାର ଉପହାର କିମ୍ବା ଫୁଲତୋଡ଼ା ନେଇ ନ ଆସିବାକୁ ସମସ୍ତ ଶୁଭେଚ୍ଛୁ ଓ ନାଗରିକଙ୍କୁ ଅନୁରୋଧ କରାଯାଇଛି। ଏହା ବଦଳରେ ବନ୍ୟା ବିପର୍ଯ୍ୟୟରେ ସର୍ବସ୍ୱ ହରାଇଥିବା ପରିବାର ଗୁଡ଼ିକର ସହାୟତା ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
ଏକ୍ସରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ କହିଛି ଯେ ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳ, ବିଶେଷକରି ଦକ୍ଷିଣ ଓଡ଼ିଶାରେ ଉପୁଜିଥିବା ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ନିବାସରେ ଦୀପାବଳୀ ଉତ୍ସବ ପାଳିତ ହେବ ନାହିଁ। ଏହି ପରିପ୍ରେକ୍ଷୀରେ, ଦୀପାବଳୀ ଅବସରରେ ମୁଖ୍ୟମନ୍ତ୍ରୀ ନିବାସକୁ କୌଣସି ପ୍ରକାର ଉପହାର କିମ୍ବା ଫୁଲତୋଡ଼ା ନେଇ ନ ଆସିବା ପାଇଁ ସମସ୍ତ ଶୁଭେଚ୍ଛୁ ତଥା ନାଗରିକମାନଙ୍କୁ ଅନୁରୋଧ। ପ୍ରଭାବିତ ଅଞ୍ଚଳର ଜନସାଧାରଣଙ୍କ ପ୍ରତି ସମ୍ବେଦନଶୀଳ ରହି ବିପର୍ଯ୍ୟୟ ପ୍ରଭାବିତଙ୍କ ସହାୟତାରେ ସହଯୋଗର ହାତ ବଢ଼ାଇବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି।
