FeaturedLatestNews

ବନ୍ୟାରେ ପ୍ରାୟ ୫ ଲକ୍ଷ ପଶୁ ପ୍ରଭାବିତ, ୫୮ ଟି ରାପିଡ୍ ରେସପନ୍ସ ଟିମ୍ ଗଠନ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ଚାଲିଥିବା ଭୟାବହ ବନ୍ୟା କେବଳ ମଣିଷ ଜୀବନକୁ ନୁହେଁ, ବରଂ ପଶୁପକ୍ଷୀଙ୍କ ଜୀବନକୁ ମଧ୍ୟ ଗଭୀର ଭାବେ ପ୍ରଭାବିତ କରିଛି। ପଶୁ ସମ୍ପଦ ବିଭାଗର ସର୍ବଶେଷ ରିପୋର୍ଟ ଅନୁଯାୟୀ, ଲକ୍ଷାଧିକ ପଶୁ ଏହି ବନ୍ୟାରେ ପୀଡ଼ିତ ହୋଇଥିବା ବେଳେ ସେମାନଙ୍କ ପରିତ୍ରାଣ ଓ ସୁରକ୍ଷା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଓ ଚିକିତ୍ସା କାର୍ଯ୍ୟ ଜାରି ରହିଛି।

ଜୁଲାଇ ୩୧ ସୁଦ୍ଧା ପଶୁ ସମ୍ପଦ ଓ ପ୍ରାଣୀ ଚିକିତ୍ସା ବିଭାଗ ପ୍ରକାଶ କରିଥିବା ତଥ୍ୟ ଅନୁଯାୟୀ, ରାଜ୍ୟର ମୋଟ ୯ଟି ଜିଲ୍ଲା, ୪୫ଟି ବ୍ଲକ୍, ୩୯୮ଟି ଗ୍ରାମ ପଞ୍ଚାୟତ ଏବଂ ୧,୩୪୧ ଗ୍ରାମ ଏହି ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଏହି ବନ୍ୟାରେ ମୋଟ୍ ୪ ଲକ୍ଷ ୮୮ ହଜାର ୮୬୮ ପଶୁ ପ୍ରଭାବିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୩ ଲକ୍ଷ ୧୧ ହଜାର ୫୧୨ଟି ବଡ଼ ପଶୁ ଏବଂ ୧ ଲକ୍ଷ ୭୭ ହଜାର ୩୫୬ଟି ଛୋଟ ପଶୁ ରହିଛନ୍ତି। ସେହିପରି, ୨ ଲକ୍ଷ ୩୩ ହଜାର ୭୬୩ଟି କୁକୁଡ଼ା ମଧ୍ୟ ଏହି ବନ୍ୟା ପ୍ରଭାବରେ ଆସିଛନ୍ତି।

ପ୍ରଭାବିତ ପଶୁମାନଙ୍କ ଉଦ୍ଧାର ଓ ଚିକିତ୍ସା ପାଇଁ ପଶୁ ସମ୍ପଦ ବିଭାଗ ପକ୍ଷରୁ ୫୮ଟି ରାପିଡ୍ ରେସପନ୍ସ ଟିମ୍ (RRT) ଗଠନ କରାଯାଇଛି। ଏହି ଟିମ୍ଗୁଡ଼ିକ ବିଭିନ୍ନ ଅଞ୍ଚଳରେ ୨୪୫ଟି ପଶୁ ଚିକିତ୍ସା ଶିବିର ଆୟୋଜନ କରି ୧୫ ହଜାର ୧୭୯ଟି ପଶୁଙ୍କୁ ଚିକିତ୍ସା ସେବା ଯୋଗାଇଛନ୍ତି। ଏହାବ୍ୟତୀତ, ବନ୍ୟା ପୂର୍ବରୁ ୬ ଲକ୍ଷ ୪୬ ହଜାର ୮୨୫ଟି ଏବଂ ବନ୍ୟା ପରେ ୧୧ ହଜାର ୮୦୦ଟି ଟିକା ପଶୁମାନଙ୍କୁ ପ୍ରଦାନ କରାଯାଇଛି, ଯାହା ଦ୍ୱାରା ସେମାନେ ରୋଗର ଶିକାର ନ ହୁଅନ୍ତି।

ପ୍ରଭାବିତ ପଶୁମାନଙ୍କ ପାଇଁ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା ମଧ୍ୟ କରାଯାଇଛି। ବିଭାଗ ପକ୍ଷରୁ ୮୦୦ ମେଟ୍ରିକ୍ ଟନ୍ ଗୋ-ଖାଦ୍ୟ, ୭୩.୨ କ୍ୱିଣ୍ଟାଲ ସବୁଜ ଘାସ ଏବଂ ୧୩.୯ କ୍ୱିଣ୍ଟାଲ ଶୁଖିଲା ଘାସ/ନଡ଼ା ବଣ୍ଟନ କରାଯାଇଛି। ତେବେ ଏହି ବନ୍ୟାରେ ୫ଟି ବଡ଼ ପଶୁ, ୧୨୦ଟି ଛୋଟ ପଶୁ ଏବଂ ୮୦ ହଜାର ୯୦୦ଟି କୁକୁଡ଼ାଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Leave a Reply

Your email address will not be published. Required fields are marked *