FeaturedLatestNews

ରାଜ୍ୟରେ ୪ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ଅଦଳବଦଳ, ରୂପା ମିଶ୍ରଙ୍କୁ ପଞ୍ଚାୟତିରାଜ ଦାୟିତ୍ୱ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସରକାର ଆଜି ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରିଛନ୍ତି। ଏହି ଅଦଳବଦଳ ଅନ୍ତର୍ଗତ ୪ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି।

କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୨୦୦୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ରୂପା ମିଶ୍ରଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ସଚିବ ଦାୟିତ୍ୱ ମିଳିଛି। ଏନେଇ ଆଜି ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗର ଅତିରିକ୍ତ ସଚିବ ମଧୁସୂଦନ ଦାଶଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ୧୯୯୫ ବ୍ୟାଚ୍ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗର ଓଏସ୍‌ଡି ଭାବେ ନିଯୁକ୍ତି ଦିଆଯାଇଛି। ସେ ବର୍ତ୍ତମାନ ଓଡ଼ିଶା ଫରେଷ୍ଟ ଡେଭଲପମେଣ୍ଟ କର୍ପୋରେସନର ଅଧ୍ୟକ୍ଷ ଥିବାବେଳେ କେବିକେର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି।

ସେହିପରି ୨୦୦୨ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଗିରୀଶ ଏସ୍.ଏନ୍. ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର-ତଥା-ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ସେ ବର୍ତ୍ତମାନ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର-ତଥା-ସଚିବ ପଦରେ ରହିଛନ୍ତି।

୨୦୦୩ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଅଶ୍ୱଥୀ ଏସ୍.ଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନୂଆ ଦାୟିତ୍ୱ ଦିଆଯାଇଛି। ସେ ବର୍ତ୍ତମାନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର-ତଥା-ସଚିବ ଥିଲେ। ଏଥିସହ ସେ ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଫର୍ ଟ୍ରାନ୍ସଫର୍ମେଟିଭ୍ ଇନିସିଏଟିଭ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ।

ରାଜ୍ୟର ବିଭିନ୍ନ ବିଭାଗ ଓ ସରକାରୀ ସଂସ୍ଥାର କାର୍ଯ୍ୟ ପରିଚାଳନାକୁ ଅଧିକ ସୁଦୃଢ଼ ଏବଂ ପ୍ରଶାସନିକ ସମନ୍ୱୟ ବୃଦ୍ଧି ପାଇଁ ଏହି ଅଦଳବଦଳ ସହାୟକ ହେବ ବୋଲି ଆଶା କରାଯାଉଛି। ଗତ ୨୭ ଅକ୍ଟୋବରରେ ରାଜ୍ୟ ସରକାର ୮ ଜଣ ଆଇଏଏସ୍ ଅଧିକାରୀଙ୍କ ପଦବୀ ଓ ଦାୟିତ୍ୱରେ ଅଦଳବଦଳ କରିଥିଲେ। ବିଭିନ୍ନ ବିଭାଗ ଓ ସରକାରୀ ସଂସ୍ଥାରେ ନୂତନ ନିଯୁକ୍ତି ସହ ଅତିରିକ୍ତ ଦାୟିତ୍ୱ ମଧ୍ୟ ଆବଣ୍ଟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *