ଓଡ଼ିଶାର ସିମ୍ କାର୍ଡ ବ୍ୟବହାର କରି ଚାଇନାରୁ ହେଉଥିଲା ଠକେଇ: ଜଣେ ଗିରଫ
ଭଦ୍ରକ(ସଂକେତ ଟିଭି): ଓଡ଼ିଶାର ସିମ୍ କାର୍ଡ ବ୍ୟବହାର କରି ଚାଇନାରୁ ହେଉଥିଲା ଠକେଇ। କମିଶନ ଟଙ୍କାକୁ କ୍ରିପ୍ଟୋ କରେନ୍ସୀ ମାଧ୍ୟମରେ ନେଉଥିଲେ। ଏମିତି ଏକ ଗ୍ୟାଙ୍ଗର ଜଣେ ଅଭିଯୁକ୍ତକୁ ଭଦ୍ରକ ଜିଲ୍ଲାର ସାଇବର କ୍ରାଇମ୍ ଓ ଇକୋନୋମିକ୍ ଅଫେନ୍ସ ଥାନା ଗିରଫ କରିଛି।
ଭଦ୍ରକ ଏସପିଙ୍କ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧୀନ ରଘୁନାଥପୁରର ଶୁଭମ୍ ଜ୍ୟୋତି ନାୟକ। ଶୁଭମ୍ ଏହି ଗ୍ୟାଙ୍ଗର ପ୍ରମୁଖ ସଦସ୍ୟ ବୋଲି ପୋଲିସ କହିଛି।
ଶୁଭମ୍ ଓ ତାର ସହଯୋଗୀ ଭୋଡାଫୋନ୍, ଆଇଡିଆ ଓ ବିଏସ୍ଏନ୍ଏଲ୍ର ସିମ୍ ଏକ୍ଟିଭ୍ ଏଜେଣ୍ଟ ଆଇଡି ବ୍ୟବହାର କରି କାର୍ଯ୍ୟ କରୁଥିଲେ। ଲୋକଙ୍କ ନାମରେ ଥିବା ଏହି ଜାଲିଆତି ସିମ୍କୁ ଆକ୍ଟିଭ୍ କରି ଠଶବନ୍ଦଜ୍ଞଆଟ୍ଟଟ୍ଟ ଓ ଐଚ୍ଚଜ୍ଞନ୍ଦବୱତ୍ତବଲରେ ଓଟିପି ଚାଇନାର ସାଇବର ଠକଙ୍କୁ ଦେଉଥିଲେ। ପରେ ଏହି ଠକଙ୍କଠାରୁ କମିଶନକୁ ବିନାନ୍ସେ ଓ କ୍ରିପ୍ଟୋ କରେନ୍ସୀ ମାଧ୍ୟମରେ ଭାରତୀୟ ମୁଦ୍ରାରେ ପରିବର୍ତ୍ତନ କରି ନିଜେ ଆଣୁଥିଲେ।
ଏହି ଅଭିଯୁକ୍ତର ଘରେ ଚଢ଼ାଉ ବେଳେ ୧୩୩୩ ଆକ୍ଟିଭ ସିମ୍, ୧୩ଟି ବ୍ୟାଙ୍କ ପାସବୁକ୍, ୪ଟି ଚେକ୍ ବହି, ୧ ଲକ୍ଷ ୭୩ ହଜାର ଟଙ୍କା, ଆଇଫୋନ୍, ୬ଟି କିପ୍ୟାଡ ମୋବାଇଲ୍ ଓ ବାଇକ୍ ସହ ଠକେଇରେ ବ୍ୟବହୃତ ଅନ୍ୟ ସାମଗ୍ରୀ ଜବତ କରିଛି ପୋଲିସ।
ଏହି ଘଟଣାକୁ ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ଦିଆଯିବ ବୋଲି ଏସପି ସୂଚନା ଦେଇଛନ୍ତି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତଦନ୍ତକୁ ଜୋରଦାର କରିଛି। ତେବେ କିଛି ମାସ ପୂର୍ବରୁ ଦିଲ୍ଲୀ ପୋଲିସ ଅନ୍ୟ ଅନ୍ୟ ରାଜ୍ୟର ପୋଲିସ ସମାନ କାରବାର ଅଭିଯୋଗରେ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଭଦ୍ରକ ପୋଲିସ ବେନାମୀ ସିମ୍କୁ ନେଇ ତଦନ୍ତ ଆରମ୍ଭ କରିଥିଲା। ଏହି ତଦନ୍ତ ବେଳେ ଗ୍ୟାଙ୍ଗର ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଠାବ କରିବା ପାଇଁ ପୋଲିସ ଆକ୍ଟିଭ୍ ହୋଇଛି।
