୫ ମାସ ପରେ ଖୋଲିଲା କୁଳଡ଼ିହା ଅଭୟାରଣ୍ୟ
ବାଲେଶ୍ବର (ସଂକେତ ଟିଭି):ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ୫ ମାସ ପରେ ବାଲେଶ୍ୱରର କୁଳଡ଼ିହା ଅଭୟାରଣ୍ୟ ଖୋଲିଛି। ଏବେ ପର୍ଯ୍ୟଟକମାନେ ଏଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୁର ଉପଭୋଗ କରିପାରିବେ।
ପ୍ରତ୍ୟେକ ବର୍ଷ ନଭେମ୍ବର ୧ ତାରିଖରେ କୁଳଡ଼ିହା ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଥାଏ। କିନ୍ତୁ ଚଳିତ ବର୍ଷ କିଛି କାରଣରୁ ନିର୍ଦ୍ଧାରିତ ତାରିଖଠାରୁ ତିନି ଦିନ ବିଳମ୍ବରେ ଅଭୟାରଣ୍ୟ ଖୋଲାଯାଇଛି। ଏଥିପାଇଁ ବନ ବିଭାଗ ପକ୍ଷରୁ ପୂର୍ବରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରାଯାଇଥିଲା।
ପର୍ଯ୍ୟଟକଙ୍କ ଯାତାୟାତ, ସୁରକ୍ଷା ଓ ଅଭୟାରଣ୍ୟ ପରିଦର୍ଶନକୁ ସୁବ୍ୟବସ୍ଥିତ କରିବା ପାଇଁ ବନ ବିଭାଗ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଏଠାରେ ପର୍ଯ୍ୟଟକମାନେ ଭାଲୁ, ଗୟଳ, ମାଙ୍କଡ, ହରିଣ ଭଳି ବିଭିନ୍ନ ପ୍ରକାରର ପଶୁପକ୍ଷୀଙ୍କ ମଜା ଉଠାଇପାରିବେ।
ଅଭୟାରଣ୍ୟ ଖୋଲିବା ଅବସରରେ ବନ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଫୁଲ ଚନ୍ଦନ ଦେଇ ପର୍ଯ୍ୟଟକଙ୍କୁ ସ୍ୱାଗତ କରିଥିଲେ। ଦୀର୍ଘ ଦିନର ଅପେକ୍ଷା ପରେ କୁଳଡ଼ିହା ଅଭୟାରଣ୍ୟ ଖୋଲିଥିବାରୁ ଏବେ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବାର ଆଶା ରହିଛି। ପ୍ରକୃତିର କୋଳରେ କିଛି ସମୟ ବିତାଇବା ସହ ବନ୍ୟଜନ୍ତୁଙ୍କୁ ଦେଖିବା ପାଇଁ ଏହା ପର୍ଯ୍ୟଟକଙ୍କୁ ଏକ ସୁନ୍ଦର ସୁଯୋଗ ଦେବ।
