ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି: କୋଟିଆରେ ବିଜେପି ପ୍ରତିଶ୍ରୁତି ପାଳନ ଦାବି
ଭୁବନେଶ୍ୱର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। କୋଟିଆକୁ ନେଇ ବିଜେପିର ୨୦୨୪ ନିର୍ବାଚନୀ ଇସ୍ତାହାରର ପ୍ରତିଶ୍ରୁତି ପାଳନ କରିବାକୁ ଚିଠିରେ ମନେ ପକାଇ ଦେଇଛନ୍ତି ନବୀନ।
ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି, ଅକ୍ଟୋବର ୧୯ ତାରିଖରେ ଲେଖିଥିବା ପୂର୍ବ ଚିଠି ଏବଂ ଅକ୍ଟୋବର ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ମଧ୍ୟ କୋଟିଆର ସ୍ଥିତି ଆହୁରି ଖରାପ ହୋଇଛି। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଅଧିକାରୀଙ୍କ ମଧ୍ୟରେ ଉତ୍ତେଜନା ଓ ମୁହାଁମୁହିଁ ସ୍ଥିତି ବଢୁଥିବା ରିପୋର୍ଟ ମିଳୁଛି।
ଏପରିକି ଆସନ୍ତାକାଲି କୋଟିଆରେ ଆନ୍ଧ୍ରପ୍ରଦେଶ ନିର୍ବାଚନ କରିବାକୁ ଯାଉଥିବାରୁ ଏହା ଓଡ଼ିଶା ପାଇଁ ଚିନ୍ତାଜନକ ବୋଲି କହିଛନ୍ତି ନବୀନ। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା କରିବାକୁ ନବୀନ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଓଡ଼ିଶାର ଭୌଗୋଳିକ ଅଖଣ୍ଡତା ଓ ରାଜ୍ୟର ସ୍ୱାର୍ଥ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।
