FeaturedGeneralLatest

ପିଏମ କିଷାନ ଯୋଜନା ୫ ବର୍ଷ ବୃଦ୍ଧି, କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ (ସଂକେତ ଟିଭି): ଶୁକ୍ରବାର ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିମଧ୍ୟରେ ପିଏମ କିଷାନ ଯୋଜନାକୁ ଆଉ ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବା ପ୍ରମୁଖ ନିଷ୍ପତ୍ତି ରହିଛି। ଏହି ଯୋଜନା ବର୍ତ୍ତମାନ ୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏହାର ମୋଟ ଆର୍ଥିକ ବ୍ୟୟ ୩.୧୫ ଲକ୍ଷ କୋଟି ଟଙ୍କା ହେବ ବୋଲି ନିର୍ଦ୍ଧାରଣ କରାଯାଇଛି। ଏପର୍ଯ୍ୟନ୍ତ ଦେଶର ଚାଷୀମାନଙ୍କୁ ଏହି ଯୋଜନା ଅଧୀନରେ ୪.୪୭ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇସାରିଛି।

ସେହିପରି, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ନେଇ ‘ଖେଲୋ ଇଣ୍ଡିଆ’ ଯୋଜନା ପାଇଁ ୩୬ ହଜାର କୋଟି ଟଙ୍କାର ବ୍ୟୟବରାଦକୁ ମଧ୍ୟ କ୍ୟାବିନେଟ ଅନୁମୋଦନ ଦେଇଛି। ଏହି ଅର୍ଥ ଖେଳାଳିମାନଙ୍କର ପ୍ରଶିକ୍ଷଣ, କ୍ରୀଡ଼ା ବିଜ୍ଞାନ, ଏବଂ ନୂତନ ଉପକରଣ ଯୋଗାଣ ପାଇଁ ବ୍ୟବହୃତ ହେବ, ଯାହା ଭାରତୀୟ କ୍ରୀଡ଼ାକୁ ଆହୁରି ସୁଦୃଢ଼ କରିବ।

ଏହାଛଡ଼ା, କେନ୍ଦ୍ର କ୍ୟାବିନେଟ ‘ସମୁଦ୍ର ମନ୍ଥନ’ ଯୋଜନାକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରିଛି। ୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଏହି ଜାତୀୟ ଉପକୂଳ ଅନୁସନ୍ଧାନ ଯୋଜନା କାର୍ଯ୍ୟକାରୀ ହେବ। ଏହାର କାର୍ଯ୍ୟାନ୍ୱୟନ ପାଇଁ ୮୪ ହଜାର ୮୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ଯୋଜନା ମାଧ୍ୟମରେ ସମୁଦ୍ର ଏବଂ ଉପକୂଳବର୍ତ୍ତୀ ଅଞ୍ଚଳର ସମ୍ବଳ ଉପରେ ଗବେଷଣା ଏବଂ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯିବ।

Leave a Reply

Your email address will not be published. Required fields are marked *