FeaturedLatestNews

ବାତ୍ୟା ଓ ବନ୍ୟାରେ କ୍ଷତିଗ୍ରସ୍ତ ପାଇଁ ୨,୫୨୬ କୋଟି କେନ୍ଦ୍ରୀୟ ସହାୟତା ଦାବି କଲା ଓଡିଶା

ଭୁବନେଶ୍ୱର (ସଂକେତ ଟିଭି): ବାତ୍ୟା ଓ ବନ୍ୟାରେ କ୍ଷତିଗ୍ରସ୍ତ ଓଡ଼ିଶା ପାଇଁ କେନ୍ଦ୍ରୀୟ ସହାୟତା ଦାବି କରାଯାଇଛି। କେନ୍ଦ୍ରୀୟ ଟିମ୍ ଆଗରେ ରାଜ୍ୟ ସରକାର ୨ ହଜାର ୫୨୬ କୋଟି ଟଙ୍କାର କ୍ଷୟକ୍ଷତି ସହାୟତା ଦାବି ରଖିଛନ୍ତି। ଗଞ୍ଜାମ, ଗଜପତି ଓ କନ୍ଧମାଳର ପ୍ରାଥମିକ କ୍ଷୟକ୍ଷତି ଆକଳନ ଆଧାରରେ ଏହି ଦାବି ରଖାଯାଇଛି।

କେବଳ କ୍ଷୟକ୍ଷତି ଭରଣା ନୁହେଁ, ତିନି ଜିଲ୍ଲାରେ ବାତ୍ୟା ଓ ବନ୍ୟାର ସ୍ଥାୟୀ ମୁକାବିଲା ପାଇଁ ୧୦ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ମଧ୍ୟ ଦାବି କରିଛି ଓଡ଼ିଶା। ଆସନ୍ତା ୮ରୁ ୧୦ ଦିନ ମଧ୍ୟରେ ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦାଖଲ କରାଯିବ। କେନ୍ଦ୍ରୀୟ ଟିମର ସ୍ଥିତି ଅନୁଧ୍ୟାନ ପରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଏସ୍ଆରସି ରାଜେଶ ପ୍ରଭାକର ପାଟିଲ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବାତ୍ୟା ଓ ବନ୍ୟାରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଛାରଖାର ହୋଇଛି। ଅନେକ ଅଞ୍ଚଳରେ ଘରଦ୍ୱାର, ରାସ୍ତାଘାଟ, ଚାଷଜମି ଓ ଜଳସେଚନ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି। ଏହି କ୍ଷୟକ୍ଷତିର ଭରଣା ଏବଂ ବନ୍ୟା ପ୍ରଭାବିତ ଲୋକଙ୍କ ପୁନର୍ବାସ ପାଇଁ କେନ୍ଦ୍ରୀୟ ସହାୟତା ଲୋଡ଼ିଛି ଓଡ଼ିଶା। ତିନି ଜିଲ୍ଲାର ପ୍ରାଥମିକ କ୍ଷୟକ୍ଷତି ଆକଳନ ଅନୁସାରେ କେନ୍ଦ୍ରୀୟ କମିଟି ଆଗରେ ୨ ହଜାର ୫୨୬ କୋଟି ଟଙ୍କାର ସହାୟତା ଦାବି ରଖାଯାଇଛି। ଏଥିରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ହୋଇଥିବା ବିଭିନ୍ନ କ୍ଷୟକ୍ଷତିକୁ ଆଧାର କରାଯାଇଛି।

ତେବେ ରାଜ୍ୟ ସରକାରଙ୍କ ଦାବି କେବଳ ତତ୍କାଳୀନ କ୍ଷୟକ୍ଷତି ଭରଣାରେ ସୀମିତ ନାହିଁ। ଭବିଷ୍ୟତରେ ଏଭଳି ବାତ୍ୟା ଓ ବନ୍ୟାର ପ୍ରଭାବକୁ କମାଇବା ସହ କ୍ଷତିଗ୍ରସ୍ତ ଅଞ୍ଚଳରେ ସ୍ଥାୟୀ ଭିତ୍ତିଭୂମି ନିର୍ମାଣ ପାଇଁ ଅତିରିକ୍ତ ୧୦ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ମଧ୍ୟ ମାଗିଛି ରାଜ୍ୟ।

ଅନ୍ୟପଟେ କେନ୍ଦ୍ରୀୟ ଟିମର ଓଡ଼ିଶା ଗସ୍ତ ଏବଂ କ୍ଷୟକ୍ଷତି ଅନୁଧ୍ୟାନ ପ୍ରକ୍ରିୟା ଶେଷ ହୋଇଛି। ଆଠ ଜଣିଆ କେନ୍ଦ୍ରୀୟ କମିଟି ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ପରଖିବା ପରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଥିଲେ। ପରେ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ ବୈଠକ କରିଥିଲେ କେନ୍ଦ୍ରୀୟ ଟିମ୍। ଏହି ବୈଠକରେ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ରହି କ୍ଷୟକ୍ଷତି ଓ ଆବଶ୍ୟକ ସହାୟତା ସମ୍ପର୍କରେ ତଥ୍ୟ ରଖିଥିଲେ।

ସ୍ଥିତି ଅନୁଧ୍ୟାନ ସମୟରେ ପ୍ରାଥମିକ ରିପୋର୍ଟ ତୁଳନାରେ ଅଧିକ କ୍ଷୟକ୍ଷତି ହୋଇଥିବା କେନ୍ଦ୍ରୀୟ ଟିମ୍ ଅନୁଭବ କରିଥିବା ଏସ୍ଆରସି ସୂଚନା ଦେଇଛନ୍ତି। ତେଣୁ ବିଭିନ୍ନ ବିଭାଗରୁ ଚୂଡ଼ାନ୍ତ ତଥ୍ୟ ସଂଗ୍ରହ କରାଯାଉଛି। ଆସନ୍ତା ୮ରୁ ୧୦ ଦିନ ମଧ୍ୟରେ ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ ହେବ। ଏହାପରେ ରାଜ୍ୟ ସରକାର ଆନୁଷ୍ଠାନିକ ଭାବରେ କେନ୍ଦ୍ର ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ। ଏବେ ରାଜ୍ୟର ନଜର କେନ୍ଦ୍ରୀୟ ସହାୟତା ଉପରେ। ୨୫୨୬ କୋଟିର କ୍ଷୟକ୍ଷତି ସହାୟତା ଏବଂ ୧୦ ହଜାର କୋଟିର ସ୍ୱତନ୍ତ୍ର ପ୍ୟାକେଜ୍ ଦାବି ଉପରେ କେନ୍ଦ୍ର ସରକାର କି ନିଷ୍ପତ୍ତି ନେଉଛନ୍ତି, ତାହା ଏବେ ଗୁରୁତ୍ୱପୂର୍ଣ୍ଣ।

Leave a Reply

Your email address will not be published. Required fields are marked *