FeaturedGeneralLatest

କର୍ଣ୍ଣାଟକ ମନ୍ତ୍ରୀ ସତୀଶ ଜାରକିହୋଲିଙ୍କ ଘରେ ଇଡି ଚଢ଼ାଉ : ୧୫ ରୁ ଅଧିକ ସ୍ଥାନରେ ଯାଞ୍ଚ ଜାରି

ବେଙ୍ଗାଲୁରୁ (ସଂକେତ ଟିଭି): କର୍ଣ୍ଣାଟକର ପି.ଡବ୍ଲ୍ୟୁ.ଡି ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସତୀଶ ଜାରକିହୋଲିଙ୍କ ବାସଭବନ ଓ ଅନ୍ୟ ଠିକଣାଗୁଡ଼ିକରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ବଡ଼ ଚଢ଼ାଉ ଅଭିଯାନ ଆରମ୍ଭ କରିଛି। ବେଙ୍ଗାଲୁରୁ, ବେଲଗାଭି ଏବଂ ମହାରାଷ୍ଟ୍ରରେ ମୋଟ ୧୫ ରୁ ଅଧିକ ସ୍ଥାନରେ ଏହି ତଲାସୀ ଜାରି ରହିଛି। ବିଶେଷକରି ୧୮ଟି ବାର୍ ଲାଇସେନ୍ସ ଦେବା ଘୋଟାଲା ମାମଲାରେ ଇଡି ଏହି ଯାଞ୍ଚ କରୁଛି।

ଆଜି ସକାଳେ ଇଡି ଟିମ୍ ସିଆରପିଏଫ୍ ଜବାନଙ୍କ ସହ ବେଙ୍ଗାଲୁରୁସ୍ଥିତ ମନ୍ତ୍ରୀଙ୍କ ସରକାରୀ ବାସଭବନରେ ପହଞ୍ଚି ଚଢ଼ାଉ ଆରମ୍ଭ କରିଥିଲେ। ଏହି ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ତେବେ ଚଢ଼ାଉ ବେଳେ କେଉଁ ଦଲିଲ ବା ସାମଗ୍ରୀ ଜବତ କରାଯାଇଛି, ସେନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।

ସୂଚନା ଅନୁସାରେ, ଇଡି ପୂର୍ବରୁ ପ୍ରାୟ ୩ କୋଟି ଟଙ୍କାର ଅବୈଧ ବିଦେଶୀ ଫଣ୍ଡ ଲେନଦେନ ବିଷୟରେ ଜାଣିବାକୁ ପାଇଥିଲା। ଏହାକୁ ଆଧାର କରି ଏହି ମାମଲାରେ ତଦନ୍ତ ଆରମ୍ଭ କରାଯାଇଥିଲା। ଇଡିର ଏହି ଯାଞ୍ଚ କେବଳ ସତୀଶଙ୍କ ଠିକଣାରେ ସୀମିତ ନୁହେଁ, ବରଂ ତାଙ୍କ ଝିଅ ତଥା କଂଗ୍ରେସ ସାଂସଦ ପ୍ରିୟଙ୍କା ଜାରକିହୋଲିଙ୍କ ସହ ଜଡ଼ିତ ସ୍ଥାନଗୁଡ଼ିକରେ ମଧ୍ୟ ତଲାସୀ ଚାଲିଛି।

ଇଡି ପକ୍ଷରୁ ବେଙ୍ଗାଲୁରୁ, ବେଲଗାଭୀ ଏବଂ ମହାରାଷ୍ଟ୍ରର ପ୍ରାୟ ୧୮ଟି ଠିକଣା ଏବଂ ଅନ୍ୟାନ୍ୟ ସାମଗ୍ରୀ ଯାଞ୍ଚ କରାଯାଉଛି। ଏହାପୂର୍ବରୁ ଗତ ଜୁନ୍ ୨୪ ତାରିଖରେ ଇଡି ସତୀଶଙ୍କ ଭିଣୋଇ ମଞ୍ଜୁନାଥଙ୍କ ଘରେ ମଧ୍ୟ ଚଢ଼ାଉ କରିଥିଲା। ସତୀଶ ଜାରକିହୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଘନିଷ୍ଠ ନେତା ଭାବରେ ପରିଚିତ।

ଏହି ଚଢ଼ାଉ ମଧ୍ୟରେ କର୍ଣ୍ଣାଟକ ମନ୍ତ୍ରୀ ସନ୍ତୋଷ ଲାଡ୍ କହିଛନ୍ତି ଯେ, “ସମଗ୍ର କଂଗ୍ରେସ ପାର୍ଟି ସତୀଶ ଜାରକିହୋଲିଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛି।” ଏହା ପୂର୍ବରୁ ସୋମବାର ଦିନ ତୃଣମୂଳ କଂଗ୍ରେସର ରାଜ୍ୟସଭା ସାଂସଦ ମହମ୍ମଦ ନଦୀମୁଲ ହକଙ୍କ ସହ ଜଡ଼ିତ ସ୍ଥାନରେ ମଧ୍ୟ ଇଡି ଚଢ଼ାଉ କରିଥିଲା। ସେଠାରେ ପ୍ରାୟ ୬୦ କୋଟି ଟଙ୍କାର ଆର୍ଥିକ କାରବାରରେ ଅସଙ୍ଗତି ମିଳିଥିବା ଦାବି କରାଯାଇଛି। ଉଭୟ ମାମଲାରେ ଇଡିର ତଦନ୍ତ ଜାରି ରହିଛି।