୭ଟି ବ୍ୟସ୍ତ ରେଳ ରୁଟ୍ ହେବ ଫୋର୍-ଲେନ୍
ନୂଆଦିଲ୍ଲୀ(ସଂକେତ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଭାରତୀୟ ରେଳବାଇର ଆଧୁନିକୀକରଣ ଦିଗରେ ଏକ ଗୁରୁତ୍ବପୁର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଦେଶର ସବୁଠାରୁ ବ୍ୟସ୍ତ ୭ଟି ହାଇ ଡେନସିଟି ନେଟୱର୍କ (HDN) କରିଡରକୁ ଫୋର୍-ଲେନ୍ (ଚତୁର୍ଥ ଲାଇନ୍) କରିବାକୁ ମଞ୍ଜୁରୀ ଦିଆଯାଇଛି। ଏହି ନିଷ୍ପତ୍ତି ଯୋଗୁଁ ଯାତ୍ରୀମାନଙ୍କୁ ଦୀର୍ଘଦିନର ଯାତାୟାତ ଚାପରୁ ମୁକ୍ତି ମିଳିବା ସହ ଟ୍ରେନ୍ ଯାତାୟାତ ଅଧିକ ସୁଗମ ହେବ।
ଏହି ନିଷ୍ପତ୍ତିକୁ ସ୍ୱାଗତ କରି କହିଛନ୍ତି ଯେ, ଏହି ପ୍ରକଳ୍ପଗୁଡ଼ିକ ଉପରେ ଗତ ୧୨ ବର୍ଷ ଧରି କାର୍ଯ୍ୟ ଚାଲିଛି। ବର୍ତ୍ତମାନ ସରକାର ଏହି ୭ଟି ପ୍ରମୁଖ ରୁଟ୍ର କ୍ଷମତା ବୃଦ୍ଧି କରି ରେଳ ନେଟୱର୍କକୁ ଅଧିକ ଶକ୍ତିଶାଳୀ କରିବାକୁ ଯୋଜନା କରିଛନ୍ତି। ଏହି ୭ଟି ରୁଟ୍ ହେଲା:
୧. ଦିଲ୍ଲୀ-ହାୱଡ଼ା
୨. ହାୱଡ଼ା-ମୁମ୍ବାଇ
୩. ଦିଲ୍ଲୀ-ମୁମ୍ବାଇ
୪. ଦିଲ୍ଲୀ-ଗୁଆହାଟୀ
୫. ଦିଲ୍ଲୀ-ଚେନ୍ନାଇ
୬. ହାୱଡ଼ା-ଚେନ୍ନାଇ
୭. ମୁମ୍ବାଇ-ଚେନ୍ନାଇ
ଏହି ରୁଟ୍ଗୁଡ଼ିକ ଦେଶର ଅନେକ ପ୍ରମୁଖ ସହରକୁ ସଂଯୋଗ କରିଥାଏ। ଯଥା:
- ଦିଲ୍ଲୀ-ହାୱଡ଼ା ରୁଟ୍: କାନପୁର, ପ୍ରୟାଗରାଜ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ, ପାଟନା ଓ ଆସାନସୋଲ୍।
- ଦିଲ୍ଲୀ-ମୁମ୍ବାଇ ରୁଟ୍: ମଥୁରା, କୋଟା, ରତଲାମ, ବଡୋଦରା ଓ ସୁରତ।
- ଦିଲ୍ଲୀ-ଚେନ୍ନାଇ ରୁଟ୍: ଆଗ୍ରା, ଗ୍ୱାଲିୟର, ଝାନ୍ସୀ, ଭୋପାଳ, ନାଗପୁର ଓ ବିଜୟୱାଡ଼ା।
- ମୁମ୍ବାଇ-ଚେନ୍ନାଇ ରୁଟ୍: ପୁଣେ ସମେତ ଦକ୍ଷିଣ ଭାରତର ଅନେକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଏହାର ଲାଭ ପାଇବେ।
ସେହିପରି, ବିଭିନ୍ନ ରାଜ୍ୟରେ ୮ଟି ମଲ୍ଟି-ଟ୍ରାକିଂ ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ଏହାଦ୍ୱାରା ରେଳ ନେଟୱର୍କରେ ପ୍ରାୟ ୬୫୬ କିଲୋମିଟର ବୃଦ୍ଧି ହେବ। ଏହି ପ୍ରକଳ୍ପଗୁଡ଼ିକର ଆନୁମାନିକ ଖର୍ଚ୍ଚ ୧୦,୭୮୩ କୋଟି ଟଙ୍କା ରହିଛି ଏବଂ ୨୦୨୯-୩୦ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରହିଛି। ଏଥିରେ ଖଡ଼ଗପୁର-ଝାରସୁଗୁଡ଼ା (ବାଗଡେହି) ଚତୁର୍ଥ ଲାଇନ୍, କଟନୀ-ପେଣ୍ଡ୍ରା ରୋଡ୍ ଚତୁର୍ଥ ଲାଇନ୍ ଏବଂ ବିଲାସପୁର (ଉସଲାପୁର)-ପେଣ୍ଡ୍ରା ରୋଡ୍ ତୃତୀୟ ଲାଇନ୍ ଭଳି ପ୍ରକଳ୍ପ ସାମିଲ୍ ଅଛି।
ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତେଲଙ୍ଗାନାରେ ଆଉ ୫ଟି ମଲ୍ଟି-ଟ୍ରାକିଂ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ମିଳିଛି। ଏହାର ମୋଟ ଲମ୍ବ ପ୍ରାୟ ୫୪୦ କିଲୋମିଟର ଏବଂ ଆନୁମାନିକ ଖର୍ଚ୍ଚ ୧୦,୦୨୧ କୋଟି ଟଙ୍କା। ଏଗୁଡ଼ିକୁ ମଧ୍ୟ ୨୦୨୯-୩୦ ସୁଦ୍ଧା ଶେଷ କରାଯିବ।
ରେଳ କ୍ଷମତା ବୃଦ୍ଧି ଫଳରେ ଓଡ଼ିଶାର ତାରାତାରିଣୀ ମନ୍ଦିର, ଝାରସୁଗୁଡ଼ା ନିକଟସ୍ଥ ପ୍ରାଚୀନ ଜଗନ୍ନାଥ ମନ୍ଦିର, ମଧ୍ୟପ୍ରଦେଶ ଓ ଛତିଶଗଡ଼ର ବାନ୍ଧବଗଡ଼ ଟାଇଗର ରିଜର୍ଭ, ଅମରକଣ୍ଟକ, ଅଚାନକମାର ଟାଇଗର ରିଜର୍ଭ ଓ ରତନପୁର ମହାମାୟା ମନ୍ଦିର ଆଦି ପର୍ଯ୍ୟଟନସ୍ଥଳୀକୁ ଯୋଗାଯୋଗ ଉନ୍ନତ ହେବ। ଏହା ସହିତ ମାଲ୍ ପରିବହନ ବେଗ ବୃଦ୍ଧି ପାଇବ ଏବଂ ଦେଶର ଅର୍ଥନୀତିକୁ ମଧ୍ୟ ସୁଦୃଢ଼ କରିବ।
