ଜଣିକିଆ ଶିକ୍ଷକ ବିଦ୍ୟାଳୟରେ ୧୫ ଦିନ ମଧ୍ୟରେ ନୂଆ ଶିକ୍ଷକ ନିଯୁକ୍ତି କରିବେ ସରକାର
ଭୁବନେଶ୍ଵର(ସଂକେତ୍ ଟିଭି): ରାଜ୍ୟର ଜଣିକିଆ ଶିକ୍ଷକ ଥିବା ସ୍କୁଲଗୁଡ଼ିକରେ ଶୀଘ୍ର ନୂଆ ଶିକ୍ଷକ ନିଯୁକ୍ତି କରିବେ ସରକାର। ଗଣଶିକ୍ଷା ମନ୍ତ୍ରୀ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ୧୫ ଦିନ ଭିତରେ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଦୁଇ ମାସ ହେଲା ଶିକ୍ଷକ ନଥିବା ସ୍କୁଲ ସମସ୍ୟା ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସରକାର ତତ୍ପର ହୋଇଛନ୍ତି। ଜଣିକିଆ ଶିକ୍ଷକ ବିଶିଷ୍ଟ ସ୍କୁଲଗୁଡ଼ିକୁ ଚିହ୍ନଟ କରି ସେଠାରେ ଶିକ୍ଷକ ନିଯୁକ୍ତିକୁ ସରକାର ଗୁରୁତ୍ୱର ସହ ବିଚାର କରିଛନ୍ତି।
ଶିକ୍ଷା ଅଧିକାର ଆଇନର ଧାରା ୧୯ ଓ ୨୫ ଅନୁଯାୟୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ନ୍ୟୂନତମ ଭିତ୍ତିଭୂମି ସୁବିଧା ସହ ନିର୍ଦ୍ଧାରିତ ଶିକ୍ଷକ ସଂଖ୍ୟା ଓ ଶିକ୍ଷକ-ଛାତ୍ର ଅନୁପାତ ରହିବା ବାଧ୍ୟତାମୂଳକ। ତଥ୍ୟରୁ ଜଣାପଡ଼ିଛି ଯେ, ରାଜ୍ୟର ବହୁ ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବେ ମଧ୍ୟ ମାତ୍ର ଜଣେ ଶିକ୍ଷକଙ୍କ ଭରସାରେ ପରିଚାଳିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ନିଜ ଜିଲ୍ଲାର ଜଣେ ଶିକ୍ଷକ ବିଶିଷ୍ଟ ବିଦ୍ୟାଳୟ ଗୁଡ଼ିକର ସ୍ଥିତି ତୁରନ୍ତ ସମୀକ୍ଷା କରିବାକୁ କୁହାଯାଇଛି।
ଯେଉଁ ସବୁ ବିଦ୍ୟାଳୟରେ ଜଣେ ଶିକ୍ଷକ ଅଛନ୍ତି, ସେହି ସବୁ ସ୍କୁଲକୁ ଚିହ୍ନଟ କରି ୧୫ ଦିନରେ ନିଯୁକ୍ତି ପ୍ରକ୍ରିୟା ସାରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ସ୍ଥଳେ ଶିକ୍ଷକଙ୍କ ସମନ୍ୱୟ, ବଦଳି କିମ୍ବା ନିୟୋଜନ ମାଧ୍ୟମରେ ପ୍ରତ୍ୟେକ ବିଦ୍ୟାଳୟରେ ନ୍ୟୂନତମ ଶିକ୍ଷକ ସଂଖ୍ୟା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
୧୫ ଦିନ ମଧ୍ୟରେ ଏ ସମ୍ପର୍କରେ ନିଆଯାଇଥିବା ପଦକ୍ଷେପର ଆକ୍ସନ ଟେକେନ୍ ରିପୋର୍ଟ (ଏଟିଆର୍) ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଦାଖଲ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ କୁହାଯାଇଛି।
