FeaturedLatestNews

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନୂଆ ଭତ୍ତା ପୋର୍ଟାଲ ଶୁଭାରମ୍ଭ; ୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱରରେ ନୂଆ ଭତ୍ତା ପୋର୍ଟାଲର ଶୁଭାରମ୍ଭ କରିବା ସହ ୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ଆୟୋଜିତ ଜନସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଣିକି ଭତ୍ତା ପାଇଁ ଆଉ କାହାକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ନୂଆ ଟାର୍ଗେଟ୍ ନ ଥିବାରୁ ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପାଇଁ ଅପେକ୍ଷା କରିବାକୁ ପଡ଼ୁଥିଲା। ଏବେ ୫ ଲକ୍ଷ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ଦେଉଛନ୍ତି ସରକାର।

ପୂର୍ବ ସରକାରଙ୍କୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବ ସରକାର ଜିଲ୍ଲାସ୍ତରରେ କୋଟା ବ୍ୟବସ୍ଥା ଲାଗୁ କରିଥିଲେ। ଫଳରେ ଅନେକ ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହେଉଥିଲେ। ଜଣେ ହିତାଧିକାରୀଙ୍କ ପଦ ଖାଲି ହେଲେ ହିଁ ଅନ୍ୟ ଜଣଙ୍କୁ ତାଲିକାରେ ସାମିଲ କରାଯାଉଥିଲା। ଆମ ସରକାର ଏଭଳି ଅମାନବୀୟ ବ୍ୟବସ୍ଥାକୁ ଦୂର କରିଛି। ଏବେ ସମସ୍ତ ଯୋଗ୍ୟ ବିବେଚିତ ବ୍ୟକ୍ତି ଭତ୍ତା ପାଇବେ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହୁରି କହିଛନ୍ତି, ପୂର୍ବରୁ ରାଜ୍ୟରେ ୩୬ ଲକ୍ଷ ୭୫ ହଜାର ହିତାଧିକାରୀ ଭତ୍ତା ପାଉଥିବା ବେଳେ ଏବେ ଏହି ସଂଖ୍ୟା ୪୧ ଲକ୍ଷ ୮୦ ହଜାରରେ ପହଞ୍ଚିଛି। ଭତ୍ତା ବ୍ୟବସ୍ଥାକୁ ଅଧିକ ସରଳ ଓ ସ୍ୱଚ୍ଛ କରିବା ପାଇଁ UPMP (Unified Pension Management Portal)ର ଶୁଭାରମ୍ଭ କରାଯାଇଛି। ଏଣିକି ନୂଆ ପେନସନ୍ ପାଇଁ ହିତାଧିକାରୀମାନେ ଏହି ପୋର୍ଟାଲ୍ ମାଧ୍ୟମରେ ଆବେଦନ କରିପାରିବେ। ୮୦ ବର୍ଷ ବୟସ ହେବା ପରେ ସ୍ୱୟଂକ୍ରିୟ ଭାବେ ବର୍ଦ୍ଧିତ ଭତ୍ତା ମିଳିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଡିସେମ୍ବର ୧୫ରୁ ନୂଆ ଓ ପୁରୁଣା ହିତାଧିକାରୀମାନେ ଭତ୍ତା ପାଇବେ। ଚଳିତ ମାସ ୨୫ ତାରିଖରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯିବ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ନିତ୍ୟାନନ୍ଦ ଗଣ୍ଡ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଓ ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *