FeaturedLatestNews

ଉତ୍ତର ଓଡ଼ିଶାରେ ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ

ଭୁବନେଶ୍ଵର(ସଂକେତ୍ ଟିଭି): ରାଜ୍ୟରେ ଚାଲିଥିବା ଅବିଶ୍ରାନ୍ତ ବର୍ଷା ଓ ଉତ୍ତର ଓଡ଼ିଶାରେ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଗୁରୁତ୍ବପୂର୍ଣ୍ଣ ପ୍ରତିକ୍ରିୟା ରଖିଛନ୍ତି। ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ବ୍ୟାପକ ବର୍ଷା ଲାଗି ରହିଥିବା ବେଳେ ଗତ ବନ୍ୟାରେ ବାଲେଶ୍ବର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାରେ ଜଳ ନିଷ୍କାସନ ସମ୍ପୂର୍ଣ୍ଣ ହୋଇନଥିଲା। ତେଣୁ ପୁନଶ୍ଚ ବର୍ଷା ହେତୁ ସେହି ଅଞ୍ଚଳରେ ଅତିରିକ୍ତ ସମସ୍ୟା ଦେଖାଦେଇଛି ବୋଲି ମନ୍ତ୍ରୀ କହିଛନ୍ତି।

ସମଗ୍ର ରାଜ୍ୟର ନଦୀଗୁଡ଼ିକର ଜଳପତ୍ତନ ବିପଦ ସଙ୍କେତ ସ୍ତର ଠାରୁ ତଳେ ରହିଥିବା ବେଳେ କେବଳ ଜଳକା, ଋଷିକୂଲ୍ୟା ଏବଂ ବଂଶଧାରା ନଦୀରେ ଜଳପତ୍ତନ ବୃଦ୍ଧି ପାଇଛି। ତେବେ ଏହାକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନଥିବା ଏବଂ ସମସ୍ତ ପ୍ରକାର ପ୍ରସ୍ତୁତି ପୂର୍ବରୁ କରାଯାଇଥିବା ମନ୍ତ୍ରୀ ସୁରେଶ ପୂଜାରୀ ସ୍ପଷ୍ଟ କରିଛନ୍ତି।

ଓଡ଼୍ରାଫ୍, ଏନଡ଼ିଆରଏଫ୍ ଏବଂ ଅଗ୍ନିଶମ ବାହିନୀ ସମେତ ସମସ୍ତ ବିଭାଗୀୟ ଟିମ୍ ଉଦ୍ଧାର କାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ସେହିପରି ଗ୍ରାଉଣ୍ଡ୍ ସ୍ତରରେ ରାଜସ୍ବ ବିଭାଗର କର୍ମଚାରୀମାନେ କ୍ଷତିଗ୍ରସ୍ତ ଅଞ୍ଚଳରେ ପହଞ୍ଚି କ୍ଷତିପୂରଣ ବଣ୍ଟନ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଯେକୌଣସି ଆହ୍ବାନର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ରାଜସ୍ବ ମନ୍ତ୍ରୀ ପୁଣିଥରେ ଗୁରୁତ୍ବାରୋପ କରିଛନ୍ତି।

ଅନ୍ୟପଟେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପରିଣତିରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଏକାଧିକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଏବଂ ସୁନ୍ଦରଗଡ଼ ଜିଲ୍ଲା ପାଇଁ ପ୍ରବଳ ବର୍ଷା ସତର୍କତା ସୂଚନା (ଅରେଞ୍ଜ ଆଲର୍ଟ) ଜାରି କରାଯାଇଥିବା ବେଳେ ଅନ୍ୟ ୨୬ ଜିଲ୍ଲା ପାଇଁ ୟେଲୋ ଆଲର୍ଟ (ସାବଧାନତା ସୂଚନା) ଜାରି କରାଯାଇଛି। ଏଥିସହ ଆସନ୍ତା ୨୪ ଘଣ୍ଟା ପାଇଁ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ବଜ୍ରପାତ ସହ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।

Leave a Reply

Your email address will not be published. Required fields are marked *