ଆକାଶମାର୍ଗରୁ ୫ ଜିଲ୍ଲାର ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆକାଶମାର୍ଗରୁ ରାଜ୍ୟର ୫ଟି ଜିଲ୍ଲାର ୧୨ଟିରୁ ଅଧିକ ବ୍ଲକରେ ବନ୍ୟାସ୍ଥିତି ଅନୁଧ୍ୟାନ କରିଛନ୍ତି। ବନ୍ୟା ଛାଡ଼ିବାର ୩ ଦିନ ମଧ୍ୟରେ କ୍ଷୟକ୍ଷତିର ଆକଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆକଳନ ପରେ ତୁରନ୍ତ କୃଷି ଓ ଘରଭଙ୍ଗା କ୍ଷେତ୍ରରେ ସହାୟତା ପ୍ୟାକେଜ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ପୁରୀ ଜିଲ୍ଲାର ବନ୍ୟା ପରିସ୍ଥିତି ଉପରେ ମଧ୍ୟ ସତର୍କ ଦୃଷ୍ଟି ରଖାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କ ସହିତ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଆକାଶମାର୍ଗରୁ ଯାଜପୁର ଜିଲ୍ଲାର ଦଶରଥପୁର, ବରୀ ଓ ବିଂଝାରପୁର, ଭଦ୍ରକ ଜିଲ୍ଲାର ଧାମନଗର, ଭଣ୍ଡାରିଖରୀ ଏବଂ ଚାନ୍ଦବାଲି ବ୍ଲକ, ବାଲେଶ୍ୱର ଜିଲ୍ଲାର ସୋର, ରେମୁଣା ଓ ବାଲେଶ୍ୱର ସଦର, ମୟୂରଭଞ୍ଜ ଜିଲ୍ଲାର ବଡସାହି, ଉଦଳା ଓ କପ୍ତିପଦାର କିଛି ପ୍ରଭାବିତ ଅଂଶ ଏବଂ କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକର ପ୍ରଭାବିତ ଅଞ୍ଚଳ ଗୁଡିକର ବନ୍ୟା ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ ଉପସ୍ଥିତ ଥିଲେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “ବନ୍ୟା ପ୍ରବାହିତ ଅଞ୍ଚଳର ଅନେକ ଗାଁ ପାଣି ଘେରରେ ଥିବା ବେଳେ, ପରିସ୍ଥିତି ଧିରେ ଧିରେ ସୁଧୁରୁଛି। ଆସନ୍ତା ଦୁଇ ଦିନ ଭିତରେ ବନ୍ୟା ପାଣି ଛାଡି ଯିବାର ସମ୍ଭାବନା ରହିଛି। ଏଥିସହିତ ବନ୍ୟା ଛାଡିବାର ୩ ଦିନ ମଧ୍ୟରେ କ୍ଷୟକ୍ଷତିର ଆକଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆକଳନ ପରେ ତୁରନ୍ତ କୃଷି ଓ ଘରଭଙ୍ଗା ଇତ୍ୟାଦି କ୍ଷେତ୍ରରେ ସହାୟତା ପ୍ୟାକେଜ ଦିଆଯିବ। ବନ୍ୟା ପରିସ୍ଥିତି ଉପରେ ତାଙ୍କର ସମ୍ପୂର୍ଣ୍ଣ ନଜର ରହିଛି। ପୁରୀ ଜିଲ୍ଲାର ବନ୍ୟା ପରିସ୍ଥିତି ଉପରେ ମଧ୍ୟ ସତର୍କ ଦୃଷ୍ଟି ରଖାଯାଇଛି। ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀମାନଙ୍କ ସହିତ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।”
