ନିଶାମୁକ୍ତ ଭାରତ ଅଭିଯାନ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ(ସଂକେତ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ନିଶାମୁକ୍ତ ଯୁବ ଅଭିଯାନର ଶୁଭାରମ୍ଭ କରିଛନ୍ତି, ଯାହାକୁ ସାରା ବିଶ୍ୱର ୨୮ ହଜାରରୁ ଅଧିକ ସ୍ଥାନରୁ ୧ କୋଟିରୁ ଅଧିକ ଯୁବକ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପୂର୍ବରୁ ଦେଶବ୍ୟାପୀ ଯୁବପିଢ଼ି ଏକ ନିଶାମୁକ୍ତ ଭାରତ ଗଠନ ପାଇଁ ପ୍ରତିଜ୍ଞା ଗ୍ରହଣ କରିଛନ୍ତି।
ଏହି ଅଭିଯାନରେ ପାଞ୍ଚ ଜଣ ପ୍ରମୁଖ ଆଧ୍ୟାତ୍ମିକ ଗୁରୁ ଯଥା ପୂଜ୍ୟ ଆମ୍ମା, ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କର, ପୂଜ୍ୟ ଦାଜୀ, ଡକ୍ଟର ଚିନ୍ମୟ ପାଣ୍ଡ୍ୟା ଏବଂ ସ୍ୱାମୀ ବ୍ରହ୍ମବିହାରୀଜୀ ସାମିଲ ହୋଇଛନ୍ତି। ଏହାସହ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳମାନେ ମଧ୍ୟ ଉପସ୍ଥିତ ରହି ଏହି ପଦକ୍ଷେପକୁ ସମର୍ଥନ ଜଣାଇଛନ୍ତି।
୧୨୫ରୁ ଅଧିକ ଆଧ୍ୟାତ୍ମିକ ସଂଗଠନ, ସ୍କୁଲ, କଲେଜ, ପ୍ରତିଷ୍ଠାନ, ସାର୍ବଜନୀନ ସଂଗଠନ ଏବଂ ଶିଳ୍ପ ସଂଘର ସହଯୋଗରେ ଏହି ଅଭିଯାନ ଆୟୋଜିତ ହେଉଛି। ବ୍ରହ୍ମାକୁମାରୀ, ଇସ୍କନ, ଚିନ୍ମୟ ମିଶନ ଏବଂ ଅରୋଭିଲର ବରିଷ୍ଠ ପ୍ରତିନିଧିମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରି ଯୁବପିଢ଼ିଙ୍କୁ ନିଶା ବିରୋଧୀ ସଚେତନତା ପାଇଁ ପ୍ରେରଣା ଦେଉଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏକ ପୋଷ୍ଟ କରି କହିଛନ୍ତି ଯେ, “ନିଶାମୁକ୍ତ ଯୁବପିଢ଼ିଙ୍କ ପାଇଁ ବିକଶିତ ଭାରତ ସଂକଳ୍ପ ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଯୁବପିଢ଼ିଙ୍କୁ ଡ୍ରଗ୍ସ ନିଶାରୁ ଦୂରେଇ ରଖିବା ଏବଂ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ପ୍ରେରଣା ଦେବା।”
ଏହି ଅଭିଯାନ ୧୦୦ ସପ୍ତାହ ଧରି ଚାଲିବାକୁ ଥିବା ଏକ ଦେଶବ୍ୟାପୀ ଜନଭାଗୀଦାରୀ କାର୍ଯ୍ୟକ୍ରମର ଆରମ୍ଭ ମାତ୍ର। ପ୍ରତି ରବିବାର ସଚେତନତା ପ୍ରସାର କରାଯିବା ସହ ଏହି ଉଦ୍ଦେଶ୍ୟ ପାଇଁ ସମାଜକୁ ଏକାଠି କରାଯିବ। ଏଥିରେ ୧୦,୦୦୦ରୁ ଅଧିକ ସ୍ଥାନର ଯୁବକ, MYBharat ଏବଂ NSS ସ୍ୱେଚ୍ଛାସେବକ, ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ଯୁବ କ୍ଲବ୍, NGO ଏବଂ ଆଧ୍ୟାତ୍ମିକ ସଂଗଠନମାନେ ସକ୍ରିୟ ଅଂଶଗ୍ରହଣ କରିବେ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
