FeaturedLatestNews

ଅଗଷ୍ଟରୁ ସରକାରୀ ସଂଯୋଗରେ ପ୍ରିପେଡ୍ ସ୍ମାର୍ଟ ମିଟର ବାଧ୍ୟତାମୂଳକ

ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାର ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାକୁ ଆହୁରି ଆଧୁନିକ ଓ ଦକ୍ଷ କରିବା ପାଇଁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟର ଚାରିଟି ବିଦ୍ୟୁତ୍ ବଣ୍ଟନ କମ୍ପାନୀର କାର୍ଯ୍ୟଦକ୍ଷତାର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ବୈଠକରେ ସୌର ଶକ୍ତି, ସ୍ମାର୍ଟ ମିଟର, ବିଦ୍ୟୁତ ଭିତ୍ତିଭୂମି ସୁଦୃଢ଼ୀକରଣ ଓ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

ସ୍ମାର୍ଟ ମିଟରିଂକୁ ଆହୁରି ପ୍ରୋତ୍ସାହନ ଦେବାକୁ ଆସନ୍ତା ୨୦୨୬ ଅଗଷ୍ଟରୁ ସମସ୍ତ ସରକାରୀ ବିଦ୍ୟୁତ ସଂଯୋଗକୁ ପୋଷ୍ଟପେଡ୍‌ରୁ ପ୍ରିପେଡ୍ ସ୍ମାର୍ଟ ମିଟରରେ ପରିବର୍ତ୍ତନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ପ୍ରିପେଡ୍ ସ୍ମାର୍ଟ ମିଟର ବ୍ୟବହାର କରୁଥିବା ସରକାରୀ ଉପଭୋକ୍ତାଙ୍କୁ ମାସିକ ବିଦ୍ୟୁତ ବିଲ୍‌ରେ ୪ ପ୍ରତିଶତ ରିହାତି ମଧ୍ୟ ମିଳିବ।

ଶନିବାର ଭୁବନେଶ୍ୱରରେ ଆୟୋଜିତ ଡିସ୍କମ୍ ବୋର୍ଡ ବୈଠକରେ TPCODL, TPNODL, TPSODL ଓ TPWODLର କାର୍ଯ୍ୟଦକ୍ଷତାର ସମୀକ୍ଷା କରାଯାଇଥିଲା। ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ, GRIDCOର CMD ଏବଂ ସମସ୍ତ ଡିସ୍କମ୍‌ର MD, CEO ଓ ବୋର୍ଡ ସଦସ୍ୟମାନେ ଉପସ୍ଥିତ ଥିଲେ। ନବୀକରଣଯୋଗ୍ୟ ଶକ୍ତି, ନେଟୱାର୍କ ସୁଦୃଢ଼ୀକରଣ, ସ୍ମାର୍ଟ ମିଟରିଂ ଓ କାର୍ଯ୍ୟକୁଶଳତା ଉପରେ ମୁଖ୍ୟ ଆଲୋଚନା ହୋଇଥିଲା।

ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାରେ ଓଡ଼ିଶାର ସଫଳତାକୁ ମୁଖ୍ୟ ଶାସନ ସଚିବ ପ୍ରଶଂସା କରିଛନ୍ତି। ରାଜ୍ୟରେ ଏପର୍ଯ୍ୟନ୍ତ ୧,୫୬,୬୦୬ଟି ରୁଫଟପ୍ ସୋଲାର ସଂଯୋଗ ସ୍ଥାପିତ ହୋଇଛି। ସେଥିରୁ ୯୨,୨୮୦ଟି ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ଏବଂ ୬୪,୩୨୬ଟି ULA ଯୋଜନା ଅଧୀନରେ ହୋଇଛି। ଏହି ସଫଳତା ଯୋଗୁଁ ଦେଶର ଶ୍ରେଷ୍ଠ ୧୦ଟି ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି। PM-KUSUM 2.0 ଯୋଜନାର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

‘ମନ୍ଥ ଅଫ୍ ସୋଲାର କ୍ୟାମ୍ପେନ୍’ରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ନୂତନ ଏବଂ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଡିସ୍କମ୍‌ମାନେ ପୁରସ୍କୃତ ହୋଇଥିବାବେଳେ ବୈଠକରେ ଏହାକୁ ସ୍ୱାଗତ କରାଯାଇଛି। ବିଦ୍ୟୁତ ବଣ୍ଟନ କ୍ଷେତ୍ରର AT&C କ୍ଷତି ଲଗାତାର ହ୍ରାସ ପାଉଥିବାରୁ ଏହା ବିଦ୍ୟୁତ ବିତରଣ ବ୍ୟବସ୍ଥାର ଆର୍ଥିକ ଓ କାର୍ଯ୍ୟଦକ୍ଷତାରେ ସୁଧାର ସୂଚାଉଛି।

ରଥଯାତ୍ରା-୨୦୨୬ ସମୟରେ ନିରବଚ୍ଛିନ୍ନ ଓ ସୁରକ୍ଷିତ ବିଦ୍ୟୁତ ଯୋଗାଣ, ସର୍ବାଧିକ ବିଦ୍ୟୁତ ଚାହିଦାର ସଫଳ ପରିଚାଳନା ଏବଂ ଶୂନ୍ୟ ପାୱାର ଟ୍ରାନ୍ସଫର୍ମର ବିଫଳତା ହାସଲ କରିଥିବାରୁ ଡିସ୍କମ୍‌ମାନଙ୍କୁ ପ୍ରଶଂସା କରାଯାଇଛି। ଗତ ପାଞ୍ଚ ବର୍ଷରେ ପୁଞ୍ଜି ବିନିଯୋଗ ଫଳରେ ବିଦ୍ୟୁତ ଭିତ୍ତିଭୂମି, ସୁରକ୍ଷା ଓ ସେବାର ଗୁଣାତ୍ମକ ଉନ୍ନତି ଘଟିଥିବା ମତ ପ୍ରକାଶ ପାଇଛି।

ସୌର ଶକ୍ତିର ପ୍ରସାର, ସ୍ମାର୍ଟ ମିଟରିଂର ବ୍ୟାପକ ବ୍ୟବହାର ଏବଂ ବିଦ୍ୟୁତ ଭିତ୍ତିଭୂମିର ଆଧୁନିକୀକରଣ ମାଧ୍ୟମରେ ଓଡ଼ିଶା ବିଦ୍ୟୁତ କ୍ଷେତ୍ରରେ ନୂଆ ମାନଦଣ୍ଡ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ସରକାରଙ୍କ ଏହି ପଦକ୍ଷେପ ଆଗାମୀ ଦିନରେ ଉପଭୋକ୍ତାଙ୍କୁ ଅଧିକ ନିର୍ଭରଯୋଗ୍ୟ, ସୁରକ୍ଷିତ ଓ ଡିଜିଟାଲ୍ ବିଦ୍ୟୁତ୍ ସେବା ଯୋଗାଇବାରେ ସହାୟକ ହେବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।