୨୫ ହଜାର କୋଟି ଟଙ୍କାର ମାଛ ରପ୍ତାନୀ ଲକ୍ଷ୍ୟ ଧାର୍ଯ୍ୟ କଲା ଓଡିଶା
ବ୍ରହ୍ମପୁର(ସଂକେତ ଟିଭି): ଦେଶରେ ନୀଳ ଅର୍ଥନୀତିର ବିକାଶ ଉପରେ ବର୍ତ୍ତମାନ ବିଶେଷ ଗୁରୁତ୍ବାରୋପ କରାଯାଉଛି। ‘ବିକଶିତ ଭାରତ ୨୦୪୭’ ଲକ୍ଷ୍ୟ ପୂର୍ତ୍ତି ପାଇଁ ଏହି କ୍ଷେତ୍ରରେ ଅଗ୍ରଗତି ଦ୍ବାରା ଦେଶକୁ ଆଗକୁ ନେବା ପାଇଁ ଆହ୍ବାନ ରହିଛି। ଏହି ପ୍ରସଙ୍ଗରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ନିଜର ମତ ରଖିଛନ୍ତି। ପୂର୍ବରୁ ଗଭୀର ସମୁଦ୍ର ମଧ୍ୟରେ ମାଛ ଧରିବା ପାଇଁ ଯେଉଁ କଟକଣା ରହିଥିଲା, ତାହା ବର୍ତ୍ତମାନ କାର୍ଯ୍ୟକାରୀ କରାଯିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡାସ୍ଥିତ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ଓ ଜାତୀୟ ମତ୍ସ୍ୟ ଉନ୍ନୟନ ପରିଷଦ ପକ୍ଷରୁ ଦୁଇ ଦିନିଆ ଜାତୀୟ କନକ୍ଳେଭ ଆୟୋଜିତ ହୋଇଯାଇଛି। ଏହି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିନିଧିମାନେ ନିଜର ଅଭିନବ ଉପାୟରେ ପ୍ରସ୍ତୁତ କରିଥିବା ମାଛରୁ ମୂଲ୍ୟଯୁକ୍ତ ଦ୍ରବ୍ୟକୁ ବିଶେଷଜ୍ଞ ସମୁଖରେ ଉପସ୍ଥାପନ କରିଥିଲେ। ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି କହିଲେ ଯେ, ପୂର୍ବରୁ ୧୨ ନଟିକାଲ ମାଇଲ୍ (୨୦-୨୨ କିଲୋମିଟର) ମଧ୍ୟରେ ମାଛ ଧରିବାକୁ ଅନୁମତି ଥିଲା, କିନ୍ତୁ ବର୍ତ୍ତମାନ ଏହି ସୀମା ଉଠାଇ ଦିଆଯାଇଛି। ଫଳରେ ମତ୍ସ୍ୟଜୀବୀମାନେ ଅଗଭୀର ସମୁଦ୍ରକୁ ଯାଇ ମାଛ ଧରିପାରିବେ, ଯାହା ମତ୍ସ୍ୟ ଉତ୍ପାଦନ ବୃଦ୍ଧିରେ ସହାୟକ ହେବ।
ମନ୍ତ୍ରୀ ଶ୍ରୀ ମଲ୍ଲିକ ଆହୁରି କହିଲେ ଯେ, ଓଡ଼ିଶାରୁ ବର୍ତ୍ତମାନ ପ୍ରତିବର୍ଷ ପ୍ରାୟ ୫,୫୦୦ କୋଟି ଟଙ୍କାର ମାଛ ରପ୍ତାନୀ ହେଉଥିବା ବେଳେ ଆଗାମୀ ଦିନରେ ଏହାକୁ ୨୫ ହଜାର କୋଟି ଟଙ୍କାକୁ ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଛି। ସେହିପରି ପୂର୍ବରୁ ୨ କିଲୋମିଟର ମଧ୍ୟରେ ଚିଙ୍ଗୁଡ଼ି ଚାଷ କରାଯାଉଥିଲା, କିନ୍ତୁ ବର୍ତ୍ତମାନ କ୍ୟାବିନେଟ ଅନୁମତି ପରେ ସମୁଦ୍ରର ହାଇଟାଇଡ ଅଞ୍ଚଳର ୧୦ କିଲୋମିଟର ପର୍ଯ୍ୟନ୍ତ ଚିଙ୍ଗୁଡ଼ି ଚାଷ କରାଯାଇପାରିବ। ଡବଲ ଇଞ୍ଜିନ ସରକାରରେ ମତ୍ସ୍ୟଜୀବୀଙ୍କ ପାଇଁ ଡବଲ ପଲିସି ରହିଥିବା ଉଲ୍ଲେଖ କରି ସେ କହିଲେ ଯେ, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ମତ୍ସ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ପୋଖରୀ ଖୋଳିବା, ଯାଆଁଳା ପ୍ରଦାନ, ମାଛ ଖାଦ୍ୟ ପ୍ରଦାନ ଏବଂ ବଜାରରେ ଭାଲ୍ୟୁ ଆଡିସନ ପର୍ଯ୍ୟନ୍ତ ସବ-ସିଡିର ବ୍ୟବସ୍ଥା କରାଯାଇଛି।
ଏହି କନକ୍ଳେଭରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ସଭାପତିତ୍ୱ କରିବା ସହ ମତ୍ସ୍ୟ ଯୋଜନା ପ୍ରଣୟନ ଦ୍ୱାରା ଉତ୍ପାଦନ ବୃଦ୍ଧି ପାଉଥିବା ଏବଂ ମତ୍ସ୍ୟ ଉଦ୍ୟୋଗୀ ସୃଷ୍ଟି ହେବା ଦ୍ୱାରା ଆତ୍ମନିଯୁକ୍ତି ବୃଦ୍ଧି ପାଉଥିବା କହିଥିଲେ। ମୁଖ୍ୟବକ୍ତା ପ୍ରଫେସର ଜି. ଜୟସୀକରନ ମତ୍ସ୍ୟ ଉଦ୍ୟୋଗିକ ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ। ମହାବିଦ୍ୟାଳୟର ଡିନ୍ ତଥା କନକ୍ଳେଭର ସଂଯୋଜକ ପ୍ରଫେସର ନିତ୍ୟାନନ୍ଦ ଦାସ କହିଲେ ଯେ, ଅଭିନବ ଉପାୟରେ ମୂଲ୍ୟଯୁକ୍ତ ଦ୍ରବ୍ୟ ପ୍ରସ୍ତୁତ କରିବା ଦ୍ବାରା ମାଛର ଚାହିଦା ବଢ଼ିବା ସହ ନୂଆ ଉଦ୍ୟୋଗୀ ସୃଷ୍ଟି ହୋଇପାରିବ।
ଜଣେ ଛାତ୍ରୀ ନିଜ ମତ ରଖି କହିଲେ, “ଆମେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରକୁ ଏକ ଉଦୀୟମାନ କ୍ଷେତ୍ର ଭାବେ ଦେଖୁଛୁ। ଏହି କ୍ଷେତ୍ରରେ ଭାଲ୍ୟୁ ଆଡିସନ୍ ଓ ସ୍ଥାୟୀ ବିକାଶକୁ ଗୁରୁତ୍ବ ଦେଲେ ନୀଳ ଅର୍ଥନୀତି ଅଗ୍ରଗତି କରିବ, ଯାହା ‘ବିକଶିତ ଭାରତ ୨୦୪୭’ ଓ ‘ବିକଶିତ ଓଡ଼ିଶା ୨୦୩୬’ ସ୍ବପ୍ନକୁ ସାକାର କରିପାରିବ।” ଜୁଲାଇ ୧୮ ଓ ୧୯ ତାରିଖରେ ଆୟୋଜିତ ଏହି ୨ ଦିନିଆ କନକ୍ଳେଭରେ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ବିହାର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଗୁଜୁରାଟ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ଶତାଧିକ ଛାତ୍ରଛାତ୍ରୀ, ମତ୍ସ୍ୟବିଜ୍ଞାନୀ, ଅଧ୍ୟାପକ, ବ୍ୟବସାୟୀ, ପ୍ରଶାସକ ଓ ବୁଦ୍ଧିଜୀବୀମାନେ ଯୋଗଦେଇ ନୀଳ ଅର୍ଥନୀତିର ଭବିଷ୍ୟତ ଦିଗନ୍ତ ଉପରେ ଆଲୋଚନା କରିଥିଲେ।
