ହ୍ୱାଇଟ୍ ହାଉସ୍ ନିକଟରେ ଗୁଳିକାଣ୍ଡ: ଜଣେ ସନ୍ଦିଗ୍ଧ ନିହତ
ନୂଆଦିଲ୍ଲୀ(ସଂକେତ ଟିଭି): ଆମେରିକାର ହ୍ୱାଇଟ୍ ହାଉସ୍ ନିକଟରେ ଏକ ସାଂଘାତିକ ଗୁଳିକାଣ୍ଡ ଘଟିଯାଇଛି। ଜଣେ ସଶସ୍ତ୍ର ବନ୍ଧୁକଧାରୀ ହ୍ୱାଇଟ୍ ହାଉସ୍ ପରିସରକୁ ଗୁଳି ଚଳାଇବା ପରେ ଆମେରିକା ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସନ୍ଦିଗ୍ଧକୁ ମାରି ପକାଇଛନ୍ତି। ଏହି ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସ୍ ଭିତରେ ଥିଲେ ଏବଂ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ସୂଚନା ମିଳିଛି।
ସ୍ଥାନୀୟ ସମୟ ସନ୍ଧ୍ୟା ପ୍ରାୟ ୬ଟା ବେଳେ ହ୍ୱାଇଟ୍ ହାଉସ୍ ବାହାରେ ଥିବା ୧୭ତମ ଷ୍ଟ୍ରିଟ୍ ଏବଂ ପେନସିଲଭାନିଆ ଆଭେନ୍ୟୁ NW ନିକଟରେ ଏହି ଗୁଳିକାଣ୍ଡ ଘଟିଥିଲା। ଜଣେ ପୁରୁଷ ସନ୍ଦିଗ୍ଧ ସିକ୍ରେଟ୍ ସର୍ଭିସ୍ ର ପୋଷ୍ଟଗୁଡିକୁ ଲକ୍ଷ୍ୟ କରି ପ୍ରାୟ ୩ ରାଉଣ୍ଡ ଗୁଳି ଚଳାଇଥିଲା। କିନ୍ତୁ ସେ ବାହ୍ୟ ସୁରକ୍ଷା ପ୍ରାଚୀର ଭାଙ୍ଗିବାରେ ବିଫଳ ହୋଇଥିଲା। ସୁରକ୍ଷାକର୍ମୀମାନେ ତୁରନ୍ତ ପାଲଟା ଗୁଳି ଚଳାଇବାରୁ ଘଟଣାସ୍ଥଳରେ ହିଁ ବନ୍ଧୁକଧାରୀର ମୃତ୍ୟୁ ହୋଇଥିଲା।
ଏହି ଗୁଳି ବିନିମୟରେ ଜଣେ ସାଧାରଣ ନାଗରିକ ଆହତ ହୋଇଛନ୍ତି। କୌଣସି ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟ ଆହତ ହୋଇନାହାନ୍ତି। ସୁରକ୍ଷା ଦୃଷ୍ଟିରୁ ହ୍ୱାଇଟ୍ ହାଉସକୁ କିଛି ସମୟ ପାଇଁ ଲକ୍ ଡାଉନ୍ କରାଯାଇଥିଲା, ଯାହା ପରବର୍ତ୍ତୀ ସମୟରେ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ହଟାଇ ଦିଆଯାଇଥିଲା।
ଆମେରିକା ସିକ୍ରେଟ୍ ସର୍ଭିସ୍ ର ପ୍ରବକ୍ତା ସ୍ପଷ୍ଟ କରିଛନ୍ତି ଯେ, “ଘଟଣା ସମୟରେ ରାଷ୍ଟ୍ରପତି ଟ୍ରମ୍ପ ହ୍ୱାଇଟ୍ ହାଉସ୍ ରେ ଥିଲେ ମଧ୍ୟ ତାଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ଘଟଣା ପରେ ମଧ୍ୟ ରାଷ୍ଟ୍ରପତି ତାଙ୍କର ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଜାରି ରଖିଥିଲେ। ଏଜେଣ୍ଟ ଏବଂ ଅଧିକାରୀମାନେ ଏଭଳି ସ୍ଥିତିର ମୁକାବିଲା ପାଇଁ ସଦାସର୍ବଦା ପ୍ରସ୍ତୁତ ଥାଆନ୍ତି। ସେମାନଙ୍କର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ କୌଣସି ବଡ଼ ଅଘଟଣ ଘଟିନାହିଁ ଏବଂ ରାଷ୍ଟ୍ରପତିଙ୍କ ସହ ସମ୍ପୂର୍ଣ୍ଣ ସୀମା ସୁରକ୍ଷିତ ରହିଛି।”
FBI ସମେତ ସମସ୍ତ ଆଇନ ଶୃଙ୍ଖଳା ରକ୍ଷାକାରୀ ସଂସ୍ଥା ବର୍ତ୍ତମାନ ଏହି ଘଟଣାର ତଦନ୍ତ କରୁଛନ୍ତି। ବନ୍ଧୁକଧାରୀର ପରିଚୟ ଏବଂ ଏହି ଆକ୍ରମଣ ପଛର ପ୍ରକୃତ ଉଦ୍ଦେଶ୍ୟ କ’ଣ ଥିଲା, ସରକାରୀ ଭାବେ କୌଣସି ସୂଚନା ପ୍ରକାଶ କରାଯାଇନାହିଁ। ଟ୍ରମ୍ପ ପ୍ରଶାସନ ପାଇଁ ଏହା ଏକ ବଡ଼ ସୁରକ୍ଷା ଆହ୍ୱାନ ଭାବେ ଦେଖାଦେଇଛି, କାରଣ ଗତ ଏପ୍ରିଲ ମାସରେ ‘ହ୍ୱାଇଟ୍ ହାଉସ୍ କରସପଣ୍ଡେଣ୍ଟସ୍ ଡିନର୍’ ସମୟରେ ମଧ୍ୟ ଗୁଳିକାଣ୍ଡର ଘଟଣା ସାମ୍ନାକୁ ଆସିଥିଲା।
