FeaturedLatestNewsPolitics

ଏମଏମଡିଆର ବିଲ୍ ବିବାଦ ତୀବ୍ର; ଆନ୍ଦୋଳନକୁ ଓହ୍ଲାଇବେ ବିଜେଡି ଓ କଂଗ୍ରେସ

ଭୁବନେଶ୍ୱର (ସଂକେତ ଟିଭି): MMDR (ଖଣି ଓ ଖଣିଜ ପଦାର୍ଥ ବିକାଶ ଓ ନିୟମନ) ସଂଶୋଧିତ ବିଲ୍ କୁ ନେଇ ଓଡ଼ିଶାରେ ରାଜନୈତିକ ବିବାଦ ଚରମ ସୀମାରେ ପହଞ୍ଚିଛି। ବିଜୁ ଜନତା ଦଳ (ବିଜେଡି) ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ବିଲ୍କୁ ତୀବ୍ର ବିରୋଧ କରିବା ସହ ଆବଶ୍ୟକ ପଡ଼ିଲେ ଅର୍ଥନୈତିକ ଅବରୋଧ କରିବାକୁ ଚେତାବନୀ ଦେଇଛି। ବିଜେଡି ବିଧାୟକମାନେ କହିଛନ୍ତି ଯେ, ଯେତେବେଳେ ଏହି ବିଲ୍ ସଂସଦରେ ପାରିତ ହେଲା, ସେତେବେଳେ ଓଡ଼ିଶାର ବିଜେପି ସାଂସଦମାନେ ଚୁପ ରହିଥିଲେ। ସେମାନେ ଆହ୍ୱାନ ଦେଇଛନ୍ତି ଯେ, ଲୋକେ ଏହା ଭୁଲିବେ ନାହିଁ ଯେ ଦିଲ୍ଲୀରେ ଓଡ଼ିଶାର ହିତକୁ ଆକ୍ରମଣ କରି ରକ୍ତାକ୍ତ କରାଯାଇଛି।

ବିଜେଡି ଅଭିଯୋଗ କରିଛି ଯେ, ଏହି ବିଲ୍ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ନୁହେଁ, ବରଂ ଖଣି ମାଲିକଙ୍କୁ ଖୁସି କରିବା ପାଇଁ ପ୍ରଣୟନ କରାଯାଇଛି। ଫଳରେ ଖଣି ମାଲିକମାନେ ବିଜେପିକୁ ବଡ଼ ଅର୍ଥରାଶି ପାଣ୍ଠି ଦେଇପାରିବେ। ବିଜେଡି ଏହାକୁ ତୀବ୍ର ନିନ୍ଦା କରୁଥିବାବେଳେ ବିଜେପି ନିଜର ଅପାରଗତା ଓ ଭୁଲ୍ ଲୁଚାଇବାକୁ ଅସତ୍ୟ ଓ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରୁଛି ବୋଲି କହିଛି। ବିଜେପିର ସାହସ ନାହିଁ ବୋଲି ସେମାନେ MMDR ଉପରେ ଆଲୋଚନା କରୁନାହାନ୍ତି।

୨୦୨୪ ମସିହାରେ ସୁପ୍ରିମକୋର୍ଟ ରାଜ୍ୟମାନଙ୍କୁ ଖଣିଜ ଉପରେ ଅଧିକାର ଦେଇଥିଲେ। ବିଜେଡି ଦାବି କରିଛି ଯେ, ଏହି ନୂଆ ବିଲ୍ ଯୋଗୁଁ ଓଡ଼ିଶା ପ୍ରାୟ ଏକ ଲକ୍ଷ କୋଟି ଟଙ୍କା ହରାଇବ। ସେମାନେ ବିଜେପିକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଯେ, ରାଜ୍ୟ କିପରି ଏହି ଏକ ଲକ୍ଷ କୋଟି ଟଙ୍କା ହରାଉଛି, ତାହା ସମ୍ମୁଖୀନ ହେବାକୁ ବିଜେପି ଆସୁ। ବିଜେଡି କହିଛି, ଖଣି ଓଡ଼ିଶାର, ପ୍ରଦୂଷଣ ଓଡ଼ିଶାକୁ ସହିବାକୁ ପଡ଼ୁଛି, କିନ୍ତୁ ବାହାର ରାଜ୍ୟର ସ୍ୱାର୍ଥ ପାଇଁ ଏହି MMDR ବିଲ୍ ପାରିତ କରାଯାଇଛି। ଏହାକୁ ଓଡ଼ିଶାବାସୀ କ୍ଷମା କରିବେ ନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ନବୀନ ପଟ୍ଟନାୟକଙ୍କ ସରକାର ୧୫ ହଜାର କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରିଥିଲେ, କିନ୍ତୁ ବିଜେପି MMDR ବିଲ୍ ଉପରେ ଆଲୋଚନା ନ କରି ଅନ୍ୟ ଆଡ଼କୁ ଧ୍ୟାନ ଦେଉଛି। ଆବଶ୍ୟକ ପଡ଼ିଲେ, ବିଜେଡି ଅର୍ଥନୈତିକ ଅବରୋଧ କରିବ ଏବଂ ଓଡ଼ିଶାବାସୀଙ୍କ ଟଙ୍କା ଯାହା କେନ୍ଦ୍ରକୁ ଦେଇ ଦିଆଯାଇଛି, ତାହା ବିରୋଧରେ ସ୍ୱର ଉତ୍ତୋଳନ କରିବ। ବିଜେପି ଖଣିକୁ ଜାତୀୟ ସମ୍ପତ୍ତି ବୋଲି କହୁଥିବାରୁ ଓଡ଼ିଶାକୁ କେନ୍ଦ୍ର ଉପରେ ନିର୍ଭର କରିବାକୁ ପଡ଼ିବ ବୋଲି ବିଜେଡି ଅଭିଯୋଗ କରିଛି। ବିଜେଡି ନେତାମାନେ କହିଛନ୍ତି ଯେ, ନବୀନ ପଟ୍ଟନାୟକ ଓଡ଼ିଶାକୁ ଭଲ ପାଆନ୍ତି ଏବଂ ସେ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରଖିଛନ୍ତି। ଆଗାମୀ ଦିନରେ ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ସେମାନେ କହିଛନ୍ତି।

ଅନ୍ୟପଟେ, କଂଗ୍ରେସ ଦଳ ମଧ୍ୟ ଏହି ବିଲ୍ ବିରୋଧରେ ମାଇଦାନରେ ଓହ୍ଲାଇଛି। କେନ୍ଦ୍ର MMDR ବିଲକୁ ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବ ବୋଲି କଂଗ୍ରେସ ଘୋଷଣା କରିଛି। ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ ସରକାର ଡରୁଛନ୍ତି ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡ଼ାମ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ଡବଲ ଇଞ୍ଜିନ ସରକାର ଓଡ଼ିଶାର ସ୍ୱାର୍ଥକୁ ବଳି ଦେଉଛନ୍ତି। ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ଚୁପ ରହିଥିବାରୁ କଂଗ୍ରେସ ପ୍ରଶ୍ନ ଉଠାଇଛି। କଂଗ୍ରେସ ଏହାକୁ ବରଦାସ୍ତ କରିବ ନାହିଁ ଏବଂ ସ୍ୱତନ୍ତ୍ର ଅଧିବେଶନ ପାଇଁ ଦାବି କରୁଛି। ସୁପ୍ରିମକୋର୍ଟଙ୍କ ନିୟମ ଅନୁସାରେ ରାଜ୍ୟମାନେ ବକେୟା ଅର୍ଥ ପାଇପାରିବେ। ଝାଡ଼ଖଣ୍ଡ ଏହି ବକେୟା ଅର୍ଥ ଆଣିଥିବାବେଳେ ଓଡ଼ିଶା କୌଣସି ଚେଷ୍ଟା କରି ନାହିଁ ବୋଲି କଡ଼ାମ ଅଭିଯୋଗ କରିଛନ୍ତି। ତଥାପି, ଦଳ କହୁଛି ଯେ ରାଜ୍ୟର ଟଙ୍କାଟିଏ କ୍ଷତି ହେବାକୁ ଦିଆଯିବ ନାହିଁ। ବିଜେପି ଦୋମୁହାଁ କଥା କହୁଥିବାରୁ ଆଗାମୀ ଦିନରେ ରାଜ୍ୟର ବୃହତ୍ତର ସ୍ୱାର୍ଥ ପାଇଁ କଂଗ୍ରେସ ଜନ ଆନ୍ଦୋଳନ ଜୋରଦାର କରିବ। ଖଣି ଖାଦାନଗୁଡ଼ିକୁ ବନ୍ଦ କରାଯିବ ବୋଲି ମଧ୍ୟ ସେ ଚେତାବନୀ ଦେଇଛନ୍ତି। ଏହି ସରକାର ବିଧାନସଭାର ସମ୍ମୁଖୀନ ହେବାକୁ ଡରୁଛନ୍ତି ଏବଂ ଓଡ଼ିଶାକୁ ଶୋଷଣ କରିବାର ଢାଞ୍ଚାରେ କାର୍ଯ୍ୟ କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।

MMDR ବିଲ୍ ନେଇ ବିରୋଧୀଙ୍କ ସ୍ୱତନ୍ତ୍ର ଅଧିବେଶନ ଦାବି ପ୍ରସଙ୍ଗରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଂଗ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଏହି ବିଷୟରେ ସରକାର ଆଲୋଚନା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଆଗାମୀ ବିଧାନସଭା ଅଧିବେଶନ ନେଇ ନୋଟିଫିକେସନ୍ ଶୀଘ୍ର ଜାରି ହେବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।