FeaturedLatestNews

ବୁଡ଼ିଗଲା ପାରାଦ୍ବୀପ ବନ୍ଦରରୁ ସିଙ୍ଗାପୁର ଯାଉଥିବା ଜାହାଜ : ୨୨ କ୍ରୁ ସଦସ୍ୟ ନିଖୋଜ

ଭୁବନେଶ୍ୱର (ସଂକେତ ଟିଭି): ପାରାଦ୍ବୀପ ବନ୍ଦରରୁ ସିଙ୍ଗାପୁର ଅଭିମୁଖେ ଯାତ୍ରା କରୁଥିବା ପାନାମା ପତାକାଧାରୀ ବିଶାଳ ମାଲବାହୀ କାର୍ଗୋ ଜାହାଜ ‘ଏମ୍‌ଭି ଓସିଆନ୍ ୱିନର୍’ (MV Ocean Winner) ଗଭୀର ସମୁଦ୍ର ମଝିରେ ଗତକାଲି (ଶନିବାର) ବୁଡ଼ି ଯାଇଛି। ଫଳରେ ଭାରତୀୟ କୋଷ୍ଟଗାର୍ଡ ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୨୨ ଜଣ କ୍ରୁ ସଦସ୍ୟ ନିଖୋଜ ରହିଥିବା ବେଳେ କୋଷ୍ଟଗାର୍ଡ ପକ୍ଷରୁ ସେମାନଙ୍କ ଉଦ୍ଧାର ପାଇଁ ସମସ୍ତ ପ୍ରଚେଷ୍ଟା ଜାରି ରଖାଯାଇଛି।

ପାରାଦ୍ବୀପ ବନ୍ଦରରୁ ଡାଲିଆନ୍ ବନ୍ଦର ଅଭିମୁଖେ ଯାତ୍ରା କରୁଥିବା ଏହି ଜାହାଜ ଓଡ଼ିଶା ଉପକୂଳରୁ ୨୫୦ ନଟିକାଲ ମାଇଲ ଯାତ୍ରା କରିବା ପରେ ଜାହାଜ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ତୁରନ୍ତ ଉଦ୍ଧାରକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଗତକାଲି (ଶନିବାର) ୨୨ ଅଗଷ୍ଟ ୨୦୨୬ ଦିନ ୧୧ଟା ୪୮ ମିନିଟ୍ ସମୟରେ MV Ocean Winner (IMO 9145530) ଜାହାଜ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ନେଇ MRCC (SVP) ସୂଚନା ପାଇଥିଲା।

ଜାହାଜରେ ମୋଟ ୨୪ ଜଣ କ୍ରୁ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରେ ୨୦ ଜଣ ଚୀନ୍ ନାଗରିକ, ୩ ଜଣ ମିଆଁମାର ନାଗରିକ ଏବଂ ଜଣେ ବାଂଲାଦେଶୀ ନାଗରିକ ରହିଥିଲେ। ଜାହାଜର ମାଲିକାନା ପକ୍ଷ Victory Star Group Co Ltd ପକ୍ଷରୁ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ (SAR) ସହାୟତା ପାଇଁ ଅନୁରୋଧ କରାଯାଇଥିଲା।

ଜାହାଜର ଶେଷ ଜଣାପଡ଼ିଥିବା ଅବସ୍ଥିତି 317 East Island Lt ଠାରୁ ୩୧୦ ନଟିକାଲ୍ ମାଇଲ୍ ଦୂରରେ ଥିଲା। ଏହାପରେ MRCC (SVP) ପକ୍ଷରୁ ISN ସକ୍ରିୟ କରାଯାଇ ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇଥିଲା। ଅଭିଯାନରେ MT AISOPOSକୁ ନିଖୋଜ ଜାହାଜ ଓ ଲାଇଫ୍‌ରାଫ୍ଟଗୁଡ଼ିକର ସନ୍ଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ପ୍ରାୟ ରାତି ୮ଟା ସମୟରେ MT AISOPOS ଦୁଇଟି ଲାଇଫ୍‌ରାଫ୍ଟରୁ ୨ ଜଣ କ୍ରୁ ସଦସ୍ୟଙ୍କୁ ଜୀବିତ ଉଦ୍ଧାର କରିଥିଲା। ଭାରତୀୟ କୋଷ୍ଟଗାର୍ଡର ମୁଖପାତ୍ର ଏକ ପ୍ରେସ୍ ବିବୃତିରେ ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୨୨ ଜଣ କ୍ରୁ ସଦସ୍ୟ ନିଖୋଜ ରହିଛନ୍ତି।

ବାକି କ୍ରୁ ସଦସ୍ୟଙ୍କୁ ଖୋଜିବା ପାଇଁ ଭାରତୀୟ କୋଷ୍ଟ ଗାର୍ଡ ପକ୍ଷରୁ ଆଉ ୩ଟି ଜାହାଜ ମୁତୟନ କରାଯାଇଛି। ସମୁଦ୍ରରେ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଥିବା ବେଳେ ନିଖୋଜ କ୍ରୁ ସଦସ୍ୟଙ୍କ ସନ୍ଧାନ ଜାରି ରହିଛି। ଭାରତୀୟ କୋଷ୍ଟଗାର୍ଡ ପକ୍ଷରୁ ସମସ୍ତ ସମ୍ଭାବ୍ୟ ଉଦ୍ଧାର ପଦ୍ଧତି ଅବଲମ୍ବନ କରାଯାଉଛି।