FeaturedLatestNewsPolitics

ନବୀନ-ପାଣ୍ଡିଆନ ବିଦେଶ ଗସ୍ତ ତଦନ୍ତ ନେଇ ରାଜ୍ୟ ରାଜନୀତି ସରଗରମ

ଭୁବନେଶ୍ୱର (ସଂକେତ ଟିଭି): ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ପୂର୍ବତନ ବ୍ୟକ୍ତିଗତ ସଚିବ ତଥା ଅବସରପ୍ରାପ୍ତ ଆଇଏଏସ ଭିକେ ପାଣ୍ଡିଆନଙ୍କ ବିଦେଶ ଗସ୍ତକୁ ନେଇ ରାଜ୍ୟ ରାଜନୀତି ପୁଣି ଥରେ ଉଷ୍ଣ ହୋଇଉଠିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୨-୨୩ ଓ ୨୦୨୩-୨୪ରେ ନବୀନ ପଟ୍ଟନାୟକ, ଭିକେ ପାଣ୍ଡିଆନ ଏବଂ ଆଇପିଏସ ରବିକାନ୍ତଙ୍କ ବିଦେଶ ଗସ୍ତ ସମ୍ପର୍କରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଏହାର ତଦନ୍ତ କରିବେ।

ବିଭିନ୍ନ ସାମାଜିକ କର୍ମୀଙ୍କ ଅଭିଯୋଗ ଅନୁଯାୟୀ ସେମାନେ ଅନେକ ଥର ବିଦେଶ ଗସ୍ତ କରିଛନ୍ତି। ଆରଟିଆଇ ପ୍ରଶ୍ନରୁ ମିଳିଥିବା ତଥ୍ୟ ଅନୁଯାୟୀ ସେମାନଙ୍କ ଜାପାନ ଓ ଇଟାଲୀ ଗସ୍ତର ଖର୍ଚ୍ଚ ବିବରଣୀ ସନ୍ଦେହଜନକ, ଅସ୍ୱଚ୍ଛ ଓ ଅସମ୍ପୂର୍ଣ୍ଣ ବୋଲି ଅଭିଯୋଗ ହୋଇଛି।

ଏହି ତଦନ୍ତ ଘୋଷଣାକୁ ବିଜେଡି ସ୍ୱାଗତ କରିଛି। ଦଳର ମିଡିଆ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ ଜନସାଧାରଣଙ୍କ ସବୁ ବିଷୟ ଜାଣିବାର ଅଧିକାର ରହିଛି ଏବଂ ବିଜେଡି ସର୍ବଦା ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱକୁ ଗୁରୁତ୍ୱ ଦେଇଆସିଛି। ସେ ଅଭିଯୋଗ କରିଛନ୍ତି ଯେ ଡବଲ ଇଞ୍ଜିନ ସରକାର ଅଡ଼ୁଆରେ ପଡ଼ିବା ସମୟରେ ଲୋକଙ୍କ ମୂଳ ସମସ୍ୟାରୁ ଦୃଷ୍ଟି ହଟାଇବାକୁ ଏଭଳି ପଦକ୍ଷେପ ନେଉଛନ୍ତି।

ଡ. ମହାନ୍ତି କହିଛନ୍ତି ଯେ ନବୀନ ପଟ୍ଟନାୟକ ୨୪ ବର୍ଷର ମୁଖ୍ୟମନ୍ତ୍ରିତ୍ୱ କାଳରେ ସରକାରୀ ଭାବେ ମାତ୍ର ଦୁଇଥର ବିଦେଶ ଗସ୍ତ କରିଥିଲେ। ଇଟାଲୀ ଗସ୍ତ ସମୟରେ ସେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ଦାରିଦ୍ର୍ୟ ହ୍ରାସ କ୍ଷେତ୍ରରେ ଓଡ଼ିଶାର ସଫଳତାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିଥିଲେ। ସେହିପରି ଜାପାନ ଗସ୍ତ ଯୋଗୁଁ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ପ୍ରକଳ୍ପ ଓଡ଼ିଶାକୁ ଆସିବାର ରାସ୍ତା ଖୋଲିଥିଲା। ତେବେ ବର୍ତ୍ତମାନର ମୋହନ ମାଝୀ ସରକାର ଏହି ପ୍ରକଳ୍ପକୁ ଠିକ୍ ଭାବେ ପରିଚାଳନା କରିପାରୁନଥିବା ସେ ଅଭିଯୋଗ କରିଛନ୍ତି।

ବିଜେଡି ଦାବି କରିଛି ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତାଙ୍କ କ୍ୟାବିନେଟ ସହଯୋଗୀ ଏବଂ ବରିଷ୍ଠ ସରକାରୀ ଅଧିକାରୀଙ୍କ ବିଦେଶ ଗସ୍ତର ମଧ୍ୟ ତଦନ୍ତ କରାଯାଉ। ଶିଳ୍ପ ବିଭାଗ ସଚିବ ତଥା ଗୃହ ସଚିବ ଦାୟିତ୍ୱରେ ଥିବା ହେମନ୍ତ ଶର୍ମାଙ୍କ ଭୂମିକାକୁ ନେଇ ମଧ୍ୟ ଲେନିନ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ଅନୁଯାୟୀ ଶ୍ରୀ ଶର୍ମା ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏକାଧିକ କାର୍ଯ୍ୟକ୍ରମ ଆୟୋଜନ କରିଥିବା ସହ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ଆୟୋଜନ ଦାୟିତ୍ୱରେ ମଧ୍ୟ ଥିଲେ। ସମସ୍ତ ସରକାର ଓ ଜନପ୍ରତିନିଧିଙ୍କ ପାଇଁ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ସୂଚନା ଅଧିକାର ସମାନ ଭାବେ ଲାଗୁ ହେବା ଉଚିତ ବୋଲି ବିଜେଡି କହିଛି।

ଅନ୍ୟପକ୍ଷେ ରାଜ୍ୟ ବିଜେପି ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ପ୍ରତିକ୍ରିୟା ଦେଇ ପ୍ରଶ୍ନ କରିଛନ୍ତି ଯେ ତଦନ୍ତକୁ ବିଜେଡିର ଏତେ ଡର କାହିଁକି? ଅଭିଯୋଗ ଆସିଲା, ତଦନ୍ତ ହେବ। ତଦନ୍ତ ହେବାରେ ଅସୁବିଧା କଣ? ଆମେ ବିରୋଧୀ ଦଳରେ ୧୫ ବର୍ଷ ରହିଲୁ, ସରକାର ଆମ ବିରୋଧରେ ତଦନ୍ତ କଲେ ଆମେ କାହିଁକି ଭୟଭୀତ ହେବୁ? ମୋର ଯଦି ସ୍ୱଚ୍ଛତା ଥିବ ତେବେ ହଜାରେ ତଦନ୍ତ ହେଲେ ବି କଣ ଅସୁବିଧା ହେବ?

ସେ କହିଛନ୍ତି ଯେ ତଦନ୍ତ କଥା ଶୁଣିଲେ ବିଜେଡି ନେତାଙ୍କ ମନରେ ଭୟ ସୃଷ୍ଟି ହେଉଛି। କୋଲ ବ୍ଲକ ପ୍ରସଙ୍ଗ ହେଉ ବା ସିବିଆଇ ପ୍ରସଙ୍ଗ ହେଉ, ସମ୍ମୁଖୀନ ହେବା ଦରକାର। ସାର୍ବଜନୀନ ଜୀବନରେ ଥିଲେ ସବୁ ପ୍ରସଙ୍ଗ ସମ୍ମୁଖୀନ ହେବା ଦରକାର। ଯଦି ସ୍ୱଚ୍ଛ ଅଛନ୍ତି ତେବେ ତଦନ୍ତର ସମ୍ମୁଖୀନ ହେଉ, ସବୁ ସ୍ପଷ୍ଟ ହୋଇଯିବ। ଯଦି ଦୁଇ ବର୍ଷ ପରେ ପ୍ରାଇମାଫେସୀ ମିଳୁଛି ତେବେ ତଦନ୍ତ ହେବାରେ ଅସୁବିଧା କଣ? ସେମାନେ ନିଜ ପକ୍ଷ ରଖିପାରିବେ ବୋଲି ସାମଲ କହିଛନ୍ତି।

Leave a Reply

Your email address will not be published. Required fields are marked *