CulturalFeaturedLatestNews

ମହାପ୍ରଭୁଙ୍କ ଦେବସ୍ନାନ ନୀତି ସମ୍ପନ୍ନ, ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ (ସଂକେତ ଟିଭି): ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦେବସ୍ନାନ ନୀତି ସମ୍ପନ୍ନ ହୋଇଯାଇଛି। ସକାଳୁ ସକାଳୁ ଧାଡି ପହଣ୍ଡି କରି ଚତୁର୍ଦ୍ଧାମୂର୍ତ୍ତି ସ୍ନାନବେଦୀରେ ବିଜେ କରିବା ପରେ ମଙ୍ଗଳ ଆଳତୀ, ଜଳ ବିଜେ ଓ ପୂଜା ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ୧୦୮ ଗରା ସୁବାସିତ ଜଳରେ ଶ୍ରୀଜିଉଙ୍କ ଦିବ୍ୟ ସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା, ଯାହାକୁ ଦେଖିବା ପାଇଁ ଲକ୍ଷାଧିକ ଭକ୍ତ ସ୍ନାନ ମଣ୍ଡପ ଚତୁଃପାର୍ଶ୍ୱରେ ଜମା ହୋଇଥିଲେ।

ସ୍ନାନ ନୀତି ଶେଷ ହେବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ସ୍ନାନବେଦୀରେ ପହଞ୍ଚି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ସହିତ ଛେରାପହଁରା ନୀତି ସମ୍ପନ୍ନ କରିଥିଲେ। ରାଜାଙ୍କ ଏହି ବିଶେଷ ନୀତି ଶେଷ ହେବା ପରେ ମହାପ୍ରଭୁଙ୍କର ଦୁର୍ଲଭ ‘ଗଜାନନ ବେଶ’ ଆରମ୍ଭ ହୋଇଥିଲା। ଏହି ବେଶରେ ଶ୍ରୀଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ବିଭିନ୍ନ ଅଳଙ୍କାରରେ ସଜ୍ଜିତ କରାଯାଇ ହାତୀ ମୁଣ୍ଡ ପରି ବେଶ କରାଯାଇଥିଲା।

ଗଜାନନ ବେଶରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ମର୍ତ୍ତ୍ୟ ବୈକୁଣ୍ଠ ଅଧିପତି ଶ୍ରୀଜଗନ୍ନାଥଙ୍କର ଏହି ବିଶେଷ ରୂପ ଦେଖିବା ପାଇଁ ଆଜି ପୁରୀସହିତ ବିଭିନ୍ନ ସ୍ଥାନରୁ ଅସଂଖ୍ୟ ଶ୍ରଦ୍ଧାଳୁ ସ୍ନାନ ମଣ୍ଡପକୁ ଆକର୍ଷିତ ହୋଇଛନ୍ତି। ସମସ୍ତ ନୀତି ଶୃଙ୍ଖଳାବଦ୍ଧ ଭାବରେ ସମ୍ପନ୍ନ ହେବା ପରେ ଆଗାମୀ ଅନ୍ୟ ବେଶ ଓ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

Leave a Reply

Your email address will not be published. Required fields are marked *