ଗଞ୍ଜାମ ବନ୍ୟାର ସଠିକ ପରିଚାଳନା ନାହିଁ, ବର୍ଷାକୁ କଲେ ଦାୟୀ: ବିଜେଡି
ଭୁବନେଶ୍ୱର (ସଂକେତ ଟିଭି): ଗଞ୍ଜାମ ବନ୍ୟା ଉପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ମନ୍ତବ୍ୟକୁ ନେଇ ବିଜେଡି ସରକାରଙ୍କୁ ଘେରିଛି। ସାମ୍ବାଦିକ ସମ୍ମିଳନୀରେ ବିଜେଡି ଅଭିଯୋଗ କରିଛି ଯେ ଗଞ୍ଜାମ ବନ୍ୟା ପାଇଁ ସରକାର ଦାୟୀ। ସଠିକ୍ ପରିଚାଳନା କରି ନ ପାରି ସରକାର ଅସ୍ୱାଭାବିକ ବର୍ଷାକୁ ଦାୟୀ କରୁଛନ୍ତି।
ବିଜେଡି କହିଛି ଯେ ପୂର୍ବ ସରକାରଙ୍କ ବିରୋଧରେ ଯେଉଁ ଅଭିଯୋଗ ଆଣୁଛନ୍ତି, ଜାଣି ରଖିବା ଦରକାର ଯେ ପୂର୍ବରୁ ବିଜେଡି ସରକାରଙ୍କ ବିପର୍ଯ୍ୟୟ ପରିଚାଳନାକୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ପ୍ରଶଂସା କରିଥିଲେ। କିନ୍ତୁ ବର୍ତ୍ତମାନର ସରକାର ଏଥିରେ ବିଫଳ ହୋଇଛନ୍ତି।
ଏହି ପରିପ୍ରେକ୍ଷୀରେ ବିଜେଡି ପ୍ରଶ୍ନ କରିଛି ଯେ ଅତି ପ୍ରବଳ ବର୍ଷା ହେବ ବୋଲି ରେଡ୍ ଆଲର୍ଟ ଥିଲା, ବର୍ଷା ହେବ ବୋଲି ଜଣାଥିଲା। କିନ୍ତୁ ଏହା ପୂର୍ବରୁ ୬ଟି ଡ୍ୟାମରୁ ପାଣି ଖୋଲିଦେଲେ କାହିଁକି? ଡ୍ୟାମ ଗେଟ୍ ଖୋଲିବା ପୂର୍ବରୁ ଲୋକଙ୍କୁ ପୂର୍ବ ସୂଚନା ଦିଆଯାଇଥିଲା କି?
ଅକ୍ଟୋବର ୨୩ରୁ ୨୭ ପାଇଁ ବର୍ଷା ଆଲର୍ଟ ସତ୍ତ୍ୱେ ମଧ୍ୟ ସରକାରଙ୍କ କ’ଣ ପ୍ରସ୍ତୁତି ଥିଲା ସେ ନେଇ ଶ୍ୱେତପତ୍ର ଜାରି କରନ୍ତୁ ବୋଲି ବିଜେଡି ଦାବି କରିଛି। ମାତ୍ର ୧୦ ପ୍ରତିଶତ ପାଣି ଆସୁଛି ବୋଲି ସରକାର କହୁଛନ୍ତି, ତେବେ ତରବରିଆ ଭାବେ କାହିଁକି ଖୋଲିଲେ? କେହି ଏହାକୁ ମନିଟର କଲେନି ବୋଲି ବିଜେଡି ଅଭିଯୋଗ କରିଛି।
ସରକାରଙ୍କ ଅପରିଣାମଦର୍ଶିତା ପାଇଁ ଏଭଳି ସ୍ଥିତି ହେଲା ବୋଲି ବିଜେଡି କହିଛି। ପୂର୍ବରୁ ଅନେକ ବନ୍ୟା, ବାତ୍ୟା ହୋଇଛି। ମହାବାତ୍ୟା ପରେ ନବୀନ ସରକାର ବ୍ୟବସ୍ଥାକୁ ସଜାଡିଥିଲେ। ବିପର୍ଯ୍ୟୟ ପରିଚାଳନା ପାଇଁ ଜଘଙ ତିଆରି ହୋଇଥିଲା। ସରକାର ଗ୍ରାଉଣ୍ଡଜିରୋରେ କାମ କରିବା କଥା। କିନ୍ତୁ ୨୪ ବର୍ଷର ବ୍ୟବସ୍ଥାକୁ ୨୪ ମାସରେ ନଷ୍ଟ କରିଦେଲେ। ତାହାର ଜବାବ ରଖନ୍ତୁ ବୋଲି ବିଜେଡି ଦାବି କରିଛି।
