ପୂର୍ବ ଭାରତ ସ୍ତରୀୟ ପ୍ରାକ୍ ଗଣତନ୍ତ୍ର ଦିବସ ପ୍ୟାରେଡ୍ ଚୟନ ଶିବିର
ଭୁବନେଶ୍ୱର (ସଂକେତ ଟିଭି): କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ପ୍ରଥମଥର ପୂର୍ବଭାରତ ସ୍ତରୀୟ ଦଶଦିନିଆ ପ୍ରାକ୍ ଗଣତନ୍ତ୍ର ଦିବସ ପ୍ୟାରେଡ୍ ଚୟନ ଶିବିର ତା 13।11।2026 ଠାରୁ ତା 22।11।2026 ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି।
ଏଥିନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀରେ କିଟ୍ ବିଶ୍ୱବିଦ୍ୟାଳୟ ଉପକୁଳ ସଚିବ (ପ୍ରଶାସନ) ତଥା କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ଅନ୍ତର୍ଗତ ଜାତୀୟ ସେବା ଯୋଜନା ଆଞ୍ଚଳିକ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ଅଜିତ କୁମାର ଖୁଶ୍ଵା ଙ୍କ ସହିତ କିଟ୍ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ସଂଯୋଜକ ଡ. ପ୍ରଭାତ କୁମାର ରାଉତ ଓ ସମନ୍ୱୟ ଅଧିକାରୀ ଡ.ସ୍ମୃତିରଞ୍ଜନ ଦାସ ଉପସ୍ଥିତ ରହିଥିଲେ।
ଉକ୍ତ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ସମନ୍ୱୟ ଅଧିକାରୀ ଡ. ଦାସ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ପ୍ରାକ୍ ସୂଚନା ପ୍ରଦାନ କରିଥିଲେ।
କୁଳସଚିବ ପ୍ରଫେସର ମହାନ୍ତି ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟକୁ ଉକ୍ତ ବିଶ୍ଵବିଦ୍ୟାଳୟ କାର୍ଯ୍ୟକ୍ରମ କରୁଥିବାରୁ ଧନ୍ୟବାଦ ଜଣାଇବା ସହିତ କିଟ୍, କିସ୍ ଓ କିମ୍ସର ପ୍ରତିଷ୍ଠାତା ଶିକ୍ଷାବିତ୍ ଡ. ଅଚ୍ୟୁତ ସାମନ୍ତଙ୍କର ଐତିହାସିକ ପଦକ୍ଷେପ ଓ ପ୍ରୋତ୍ସାହନ ନିମନ୍ତେ ବିଶେଷ କୃତଜ୍ଞତା ପ୍ରକାଶ କରିଥିଲେ।ବିଭିନ୍ନ ଦିବସର କାର୍ଯ୍ୟକ୍ରମ ସହିତ ବିଭିନ୍ନ ଖ୍ୟାତି ସମ୍ପନ୍ନ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କର ପ୍ରତ୍ୟେକ ଦିନର ଉପସ୍ଥିତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।
ଶ୍ରୀ ଖୁଶ୍ୱା ପ୍ରତ୍ୟେକ ଦିବସର କାର୍ଯ୍ୟସୂଚୀର ବିଶଦ ବିବରଣୀ ସହିତ ପୂର୍ବାଞ୍ଚଳର ବିଭିନ୍ନ ରାଜ୍ୟରୁ 100 ଜଣରୁ ଉର୍ଦ୍ଧ ସ୍ୱେଚ୍ଛାସେବୀ ଯୋଗଦାନ ଏବଂ ଓଡ଼ିଶାରୁ ମନୋନୀତ ହୋଇଥିବା 52 ଜଣ ସ୍ୱେଚ୍ଛାସେବୀ ଯୋଗଦେବା ବିଷୟ ପ୍ରକାଶ କରିଥିଲେ। ଏହା ସହିତ ଓଡ଼ିଶାର ସ୍ୱେଚ୍ଛାସେବୀ ବୃନ୍ଦ ନିଜ ରାଜ୍ୟର କଳା, ସଂସ୍କୃତି ଏବଂ ପରମ୍ପରାର ବିଭିନ୍ନ ପ୍ରସିଦ୍ଧ ତଥା ଗାରିମାର ନମୁନା ମୁଖ୍ୟତଃ ପ୍ରଦର୍ଶନ କରିବେ।
ପରିଶେଷରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ସଂଯୋଜକ ଡ. ରାଉତ କାର୍ଯ୍ୟସୂଚୀ ଅନୁଯାୟୀ କିପରି ଶୃଙ୍ଖଳା ସହିତ ପ୍ରତ୍ୟେକ କାର୍ଯ୍ୟ କରାଯିବ ଏବଂ ସମସ୍ତଙ୍କର ସହଯୋଗ ସହିତ ଏହି କାର୍ଯ୍ୟକ୍ରମର ସଫଳତା କାମନା ପୂର୍ବକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
