ଓଡ଼ିଶାରେ ୭ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ଦେବେ ସରକାର
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ଆବାସ ଯୋଜନାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଏକାଥରକେ ୭ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ଦେବାକୁ ଯାଉଛନ୍ତି ସରକାର। ଗରିବ ଓ ଗୃହହୀନ ପରିବାରଙ୍କ ମୁଣ୍ଡ ଉପରେ ପକ୍କା ଛାତ ରହିବା ଲକ୍ଷ୍ୟ ରଖାଯାଇଛି।
ଏଥିପାଇଁ ନଭେମ୍ବର ୧୪ ତାରିଖରେ ପଶ୍ଚିମ ଓଡ଼ିଶାର ବଲାଙ୍ଗୀରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓଡ଼ିଶା ଆସୁଛନ୍ତି। ତାଙ୍କ ସହ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ।
ସବୁଠାରୁ ବଡ଼ କଥା ହେଉଛି, ଏହି ୭ ଲକ୍ଷ ଘର ଦୁଇଟି ଯୋଜନାରେ ଦିଆଯିବ। ୩ ଲକ୍ଷ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଘର ମିଳିବ। ସେହିପରି ୪ ଲକ୍ଷ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ।
ଅର୍ଥାତ୍ ଗୋଟିଏ ମଞ୍ଚରୁ ୭ ଲକ୍ଷ ପରିବାରଙ୍କ ପାଇଁ ଆବାସ ସହାୟତାର ବଡ଼ ଘୋଷଣା ଓ ବଣ୍ଟନ କାର୍ଯ୍ୟକ୍ରମ ହେବ। ଗ୍ରାମାଞ୍ଚଳରେ ଯେଉଁ ପରିବାରଗୁଡ଼ିକ ଦୀର୍ଘଦିନ ଧରି ପକ୍କା ଘର ଅପେକ୍ଷାରେ ରହିଛନ୍ତି, ସେମାନଙ୍କ ପାଇଁ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ହେବ।
କେବଳ ଘର ନୁହେଁ, ଗରିବ ପରିବାରଙ୍କୁ ସୁରକ୍ଷିତ ଆବାସ ଯୋଗାଇବା ସହ ସେମାନଙ୍କ ଜୀବନଧାରଣର ମାନ ବୃଦ୍ଧି ହେଉଛି ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ବଲାଙ୍ଗୀରରେ ଏହି ବଡ଼ କାର୍ଯ୍ୟକ୍ରମ ଆୟୋଜନକୁ ନେଇ ଏବେ ରାଜନୈତିକ ଓ ପ୍ରଶାସନିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି।
