ଶୂନ୍ୟ ମୃତ୍ୟୁର ଦାବି କଲେ ହେବ ନାହିଁ ବାସ୍ତବ ସ୍ଥିତିର ହିସାବ ଦିଅନ୍ତୁ ସରକାର : କଂଗ୍ରେସ
ଭୁବନେଶ୍ୱର (ସଂକେତ ଟିଭି): ରାଜନୀତିରେ ବନ୍ୟା ଝଡ଼। ଗଞ୍ଜାମ ବନ୍ୟାକୁ ନେଇ ରାଜନୀତି ଥମିବାର ନାଁ ନେଉନାହିଁ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚିଠି ପରେ ଏହି ରାଜନୀତି ଆହୁରି ଜୋର୍ ଧରିଛି। ବନ୍ୟା ସ୍ଥିତି ପରିଚାଳନା ନେଇ ପ୍ରଶ୍ନ ଉଠିବା ପରେ ପୂର୍ବ ସରକାରଙ୍କୁ ନିଶାନା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଗଞ୍ଜାମ ବନ୍ୟା ପାଇଁ ୨୪ ବର୍ଷର ବିଫଳତାକୁ ଦାୟୀ କରିଛନ୍ତି ରାଜସ୍ୱ ମନ୍ତ୍ରୀ।
ସେପଟେ, ଗଞ୍ଜାମ ବନ୍ୟାକୁ ନେଇ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କୁ ଘେରିଛି କଂଗ୍ରେସ। ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି, ପ୍ରବଳ ବର୍ଷା ନେଇ ଆଇଏମଡି ଆଗୁଆ ସତର୍କତା ପରେ ବି ସରକାର ଡ୍ୟାମ୍ ପରିଚାଳନାରେ ବିଫଳ ହୋଇଥିଲେ। ଗଞ୍ଜାମରେ ଯେଉଁ ପରିସ୍ଥିତି ସୃଷ୍ଟି ହେଲା, ତାହା ସରକାରଙ୍କ ପ୍ରସ୍ତୁତି ଓ ପରିଚାଳନା ଉପରେ ବଡ଼ ପ୍ରଶ୍ନ ଲଗାଇଛି ବୋଲି କହିଛନ୍ତି ସାଲୁଜା। ସେହିଭଳି ଜିରୋ କାଜୁଆଲିଟି ପ୍ରସଙ୍ଗରେ ସାଲୁଜା କହିଛନ୍ତି, କେବଳ ଶୂନ୍ୟ ମୃତ୍ୟୁର ଦାବି କଲେ ହେବ ନାହିଁ ବାସ୍ତବ ସ୍ଥିତିର ହିସାବ ଦିଅନ୍ତୁ ସରକାର।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଥିଲେ, ଆଇଏମଡି ପକ୍ଷରୁ ଆକଳନ ଅନୁସାରେ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ତେବେ ଆକଳନ ଠାରୁ ଅଧିକ ବର୍ଷା ହେବାରୁ ସ୍ଥିତି ବିଗିଡ଼ିଲା। ଗଞ୍ଜାମ ଇତିହାସରେ ଏମିତି ବର୍ଷା କେବେ ହୋଇ ନଥିଲା। ୨୮, ୨୯, ୩୦ରେ ପ୍ରବଳ ବର୍ଷା ହେବାରୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା। ଗଞ୍ଜାମରେ ୩ ଦିନରେ ୩୩୭.୬ ମିଲିମିଟର ବର୍ଷା ହୋଇଥିଲା। ଏହି ସମୟରେ ପାତ୍ରପୁରରେ ୮୦୮.୪ ମିମି ବର୍ଷା ରେକର୍ଡ ହୋଇଥିଲା। ଗୋଟିଏ ଦିନରେ ପାତ୍ରପୁରରେ ୫୪୬ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ବନ୍ୟା ସ୍ଥିତିର ମୁକାବିଲା ପାଇଁ ୮ ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଆଗାମୀ ଦିନରେ ବନ୍ୟା ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ଆଇଆଇଟି ସହ ଆଲୋଚନା ହୋଇଥିଲା। ଆଗକୁ ପର୍ବତ ପାହାଡ଼ କନ୍ଧମାଳ ଗଜପତିରେ ଭୂସ୍ଖଳନ ନେଇ ଅନୁଧ୍ୟାନ କରାଯିବ। ୨୪ ବର୍ଷର ସରକାର ନିଜ ବିଫଳତା ଲୁଚାଇବାକୁ ଆମକୁ ଦୋଷ ଦେଉଛି।
ଫାଇଲିନରୁ ଫନି ଫେଲ୍ ମାରିଥିଲେ ପୂର୍ବ ସରକାର। ୨୦୧୩ ଫାଇଲିନରେ ୪୫ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୮ ତିତିଲି ସମୟରେ ୭୨ ଓ ଫନି ସମୟରେ ୬୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଆମ ସରକାରରେ ଜିରୋ କାଜୁଆଲିଟିକୁ ଆମେ ପ୍ରାଥମିକତା ଦେଉଛୁ। ୨୪ ବର୍ଷ ଶାସନ ଭିତରେ ପୂର୍ବ ସରକାର ଦୃଷ୍ଟି ଦେଇ ନ ଥିଲେ। ଗତ ୨ ବର୍ଷ ୪ ମାସ ମଧ୍ୟରେ ମୋହନ ସରକାରଙ୍କ ସମୟରେ କିଭଳି ବିପର୍ଯ୍ୟୟ ପରିଚାଳନା ହୋଇଛି ତାହାକୁ ଲୋକ ଦେଖିବେ। କେବଳ ପ୍ରଶ୍ନ କରିବାର ନାହିଁ, ଉତ୍ତର ଦେବାର ଆବଶ୍ୟକତା ରହିଛି। ଆସନ୍ତା ୧୮ ତାରିଖରୁ ବିଧାନସଭା ଆରମ୍ଭ ହେବାକୁ ଯାଉଛି। ସମସ୍ତ ବିତର୍କ ପାଇଁ ଆମେ ରାଜି ଅଛୁ କହିଲେ ମନ୍ତ୍ରୀ ସୁରେଶ ପୂଜାରୀ। ବିରୋଧୀ ତଥ୍ୟ ଧରିକି ଆସନ୍ତୁ। ଆସନ୍ତା ବିଧାନ ସଭାରେ ଆମେ ସବୁ ତଥ୍ୟ ସହ ବିରୋଧୀକୁ ସାମ୍ନା କରିବାକୁ ପୁରା ପ୍ରସ୍ତୁତ।
