FeaturedGeneralLatestPolitics

କେଜ୍ରିୱାଲଙ୍କୁ ହତ୍ୟା ଧମକ; ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ନାଁରେ ଅଭିଯୋଗ

ନୂଆଦିଲ୍ଲୀ(ସଂକେତ ଟିଭି): ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା ଧମକ ମିଳିଛି। କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ନାଁରେ ଧମକ ଦିଆଯିବା ସହ ୭ କୋଟି ଟଙ୍କା ଦାବି କରାଯାଇଛି। ଟଙ୍କା ନଦେଲେ କେଜ୍ରିୱାଲ ଓ ତାଙ୍କ ଝିଅ ହର୍ଷିତା କେଜ୍ରିୱାଲଙ୍କୁ ହତ୍ୟା କରାଯିବ ବୋଲି ଧମକ ମିଳିଥିବା ଅଭିଯୋଗ ହୋଇଛି।

ଦିଲ୍ଲୀର ତିଲକ ନଗର ଆସନର ଆପ୍ ବିଧାୟକ ଜର୍ଣ୍ଣେଲ ସିଂହଙ୍କ ନିକଟକୁ ଏହି ଧମକପୂର୍ଣ୍ଣ ଫୋନ୍ କଲ୍ ଓ ହ୍ୱାଟ୍ସଆପ୍ ମେସେଜ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ପରିଚୟ ଦେଇଥିଲା। କେଜ୍ରିୱାଲଙ୍କ ନିକଟରେ ୭ କୋଟି ଟଙ୍କା ଦାବି ପହଞ୍ଚାଇବାକୁ ସେ ବିଧାୟକଙ୍କୁ କହିଥିବା ଅଭିଯୋଗରେ ଉଲ୍ଲେଖ ରହିଛି।

ଘଟଣାକୁ ନେଇ ନଭେମ୍ବର ୬ ତାରିଖରେ ଜର୍ଣ୍ଣେଲ ସିଂହ ପଞ୍ଜାବର ମୋହାଲି ଏସଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ମୋହାଲି ସାଇବର କ୍ରାଇମ୍ ଥାନାରେ ଅଜଣା ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରାଯାଇଛି। ତଦନ୍ତ ଦାୟିତ୍ୱ ସାଇବର କ୍ରାଇମ୍ ଥାନାର ଇନ୍ସପେକ୍ଟର ସୁନୀଲ କୁମାରଙ୍କୁ ଦିଆଯାଇଛି।

ଧମକ ଦେଇଥିବା ବ୍ୟକ୍ତିଙ୍କ ପରିଚୟ ଜାଣିବା ପାଇଁ ପୋଲିସ ଫୋନ୍ ନମ୍ବରର କଲ୍ ଡିଟେଲ୍ସ, ଆଇପି ଲଗ୍ ଓ ଲୋକେସନ୍ ତଥ୍ୟ ଯାଞ୍ଚ କରୁଛି। ଧମକପୂର୍ଣ୍ଣ ହ୍ୱାଟ୍ସଆପ୍ ମେସେଜର ସ୍କ୍ରିନ୍ ସଟ୍ ମଧ୍ୟ ଅଭିଯୋଗ ସହ ପୋଲିସକୁ ଦିଆଯାଇଛି। ଅନ୍ୟପଟେ କେଜ୍ରିୱାଲ ଓ ତାଙ୍କ ପରିବାରର ସୁରକ୍ଷା ସୁନିଶ୍ଚିତ କରିବାକୁ ବିଧାୟକ ଜର୍ଣ୍ଣେଲ ସିଂହ ଦାବି କରିଛନ୍ତି।

ତେବେ ଧମକ ଦେଇଥିବା ବ୍ୟକ୍ତି ପ୍ରକୃତରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ସହ ସମ୍ପୃକ୍ତ କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସ ତଦନ୍ତ ପରେ ହିଁ ଧମକ ପଛରେ କିଏ ରହିଛି ଓ ଏହାର ପ୍ରକୃତ ଉଦ୍ଦେଶ୍ୟ କଗ୍ଦଣ, ତାହା ଜଣାପଡ଼ିବ।

Leave a Reply

Your email address will not be published. Required fields are marked *