ବେତନଟୀ ଆର ଆଣ୍ଡ ବି ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ବାରିପଦା (ସଂକେତ ଟିଭି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ଆର ଆଣ୍ଡ ବି (ରାସ୍ତା ଓ ଗୃହ ନିର୍ମାଣ) ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତିଙ୍କ ବିଭିନ୍ନ ଠିକଣାରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଜାରି ରହିଛି।
ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭିଜିଲାନ୍ସର ୫ ଜଣ ଡିଏସ୍ପି ଏବଂ ୮ ଜଣ ଇନ୍ସପେକ୍ଟରଙ୍କ ସମେତ ବହୁ ସଂଖ୍ୟକ କର୍ମଚାରୀ ଏହି ଅପରେସନରେ ସାମିଲ ହୋଇଛନ୍ତି।
ମୟୂରଭଞ୍ଜ, ବାଲେଶ୍ୱର ଏବଂ ଖୋର୍ଦ୍ଧା ଜିଲ୍ଲାର ମୋଟ ୧୦ଟି ସ୍ଥାନରେ ଏହି ଖୋଳତାଡ଼ ଚାଲିଛି।
ଯେଉଁ ୧୦ଟି ସ୍ଥାନରେ ଚାଲିଛି ତଲାସି:
୧. ବାଲେଶ୍ୱର ଅଙ୍ଗାରଗାଡ଼ିଆସ୍ଥିତ ୩ ମହଲା ବିଶିଷ୍ଟ ଆବାସିକ ଭବନ
୨. ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାରେ ଥିବା ୨ ମହଲା କୋଠା
୩. ମୟୂରଭଞ୍ଜ ଜିଲ୍ଲା ବେତନଟୀସ୍ଥିତ କାର୍ଯ୍ୟାଳୟ
୪. ବେତନଟୀରେ ଥିବା ତାଙ୍କ ସରକାରୀ ବାସଭବନ
୫. ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅନ୍ତର୍ଗତ ରାୟନ-ରାମଚନ୍ଦ୍ରପୁରସ୍ଥିତ ପୈତୃକ ଘର
୬. ବାଲେଶ୍ୱର ବସନ୍ତପୁରସ୍ଥିତ ଫାର୍ମ ହାଉସ୍
୭. ବାଲେଶ୍ୱର ବାମପଦାସ୍ଥିତ ଅନ୍ୟ ଏକ ଘର
୮. ବାଲେଶ୍ୱର ଅଙ୍ଗାରଗାଡ଼ିଆସ୍ଥିତ ଜଣେ ଘନିଷ୍ଠ ସହଯୋଗୀଙ୍କ ବାସଭବନ
୯. ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗାସ୍ଥିତ ଅନ୍ୟ ଜଣେ ସହଯୋଗୀଙ୍କ ଘର
୧୦. ବାଲେଶ୍ୱର ବାମପଦାରେ ଥିବା ଆଉ ଜଣେ ସହଯୋଗୀଙ୍କ ବାସଭବନ
ଚଢ଼ାଉରୁ ମିଳିଥିବା ସମ୍ପତ୍ତିର ବିବରଣୀ:
ଭିଜିଲାନ୍ସ ପକ୍ଷରୁ ଅରବିନ୍ଦ ମହାନ୍ତିଙ୍କ ବିଭିନ୍ନ ଠିକଣାରେ ଚାଲିଥିବା ଚଢ଼ାଉରେ ଏପର୍ଯ୍ୟନ୍ତ ବାଲେଶ୍ୱର ଅଙ୍ଗାରଗାଡ଼ିଆସ୍ଥିତ ପ୍ରାୟ ୩,୫୦୦ ବର୍ଗଫୁଟ ବିଶିଷ୍ଟ ଏକ ତିନି ମହଲା କୋଠା, ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାରେ ଥିବା ପ୍ରାୟ ୧,୮୦୦ ବର୍ଗଫୁଟ ବିଶିଷ୍ଟ ଏକ ଦୁଇ ମହଲା କୋଠା, ବାଲେଶ୍ୱର ବସନ୍ତପୁରସ୍ଥିତ ୫ ଏକର ଜମିରେ ବିସ୍ତୃତ ୨ଟି ମାଛ ପୋଖରୀ ଓ ଏକ କୁକୁଡ଼ା ଫାର୍ମ ସହିତ ଏକ ଫାର୍ମ ହାଉସ୍ ଏବଂ ବାଲେଶ୍ୱର ସହର ଓ ଏହାର ଆଖପାଖରେ ୨୧ଟି ତଥା ବାଲିଅନ୍ତା, ଭୁବନେଶ୍ୱରରେ ୨ଟି ସମେତ ମୋଟ ୨୩ଟି ଉଚ୍ଚ ମୂଲ୍ୟର ପ୍ଲଟ୍ ଚିହ୍ନଟ କରାଯାଇଛି। ଏହା ସହିତ ୮,୦୭,୫୦୦ ଟଙ୍କା ନଗଦ, ପ୍ରାୟ ୩୦୦ ଗ୍ରାମ ସୁନା ଅଳଙ୍କାର, ୬୯,୬୯,୬୦୪ ଟଙ୍କାର ବ୍ୟାଙ୍କ ଜମା, ତାଙ୍କ ସ୍ତ୍ରୀ ପରିଚାଳନା କରୁଥିବା ଆଉ ଏକ ଲକର୍ (ଯାହା ଏପର୍ଯ୍ୟନ୍ତ ଖୋଲାଯାଇନାହିଁ), ଏକ ଚାରି ଚକିଆ ଯାନ (ବ୍ରେଜା) ଓ ୨ଟି ଦୁଇ ଚକିଆ ଯାନ ଏବଂ ୧୨.୩୨ ଲକ୍ଷ ଟଙ୍କା ମୂଲ୍ୟର ଘରେଇ ସାମଗ୍ରୀ ଜବତ କରାଯାଇଛି। କୋଠା, ଫାର୍ମ ହାଉସ୍ ଓ ପ୍ଲଟ୍ଗୁଡ଼ିକର ମାପ ଓ ମୂଲ୍ୟାଙ୍କନ ଭିଜିଲାନ୍ସ ଟେକ୍ନିକାଲ୍ ୱିଙ୍ଗ୍ ପକ୍ଷରୁ ଚାଲିଛି।
