ରାଜନାଥ ସିଂଙ୍କ ଦିନିକିଆ ଓଡ଼ିଶା ଗସ୍ତ: ପରିଦର୍ଶନ କରିବେ ସୁନାବେଡ଼ା ହାଲ୍
ଭୁବନେଶ୍ୱର (ସଂକେତ ଟିଭି): କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ସମୟରେ ସେ କୋରାପୁଟ ଜିଲ୍ଲାର ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL)ର ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଉତ୍ପାଦନ ୟୁନିଟ୍ ପରିଦର୍ଶନ କରିବେ।
ହାଲ୍ ସୁନାବେଡ଼ା ୟୁନିଟ୍ରେ ପ୍ରତିରକ୍ଷା ଉତ୍ପାଦନ ସହ ଜଡ଼ିତ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ କେନ୍ଦ୍ରମନ୍ତ୍ରୀ। ଏହାସହ HALର ବରିଷ୍ଠ ଅଧିକାରୀ ଏବଂ ପ୍ରତିରକ୍ଷା କ୍ଷେତ୍ର ସହ ଜଡ଼ିତ ଅଧିକାରୀଙ୍କ ସହ ଆଲୋଚନା କରିବାର ସୂଚନା ରହିଛି।
ସୁନାବେଡ଼ାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ ରାଜନାଥ ସିଂ। ପ୍ରତିରକ୍ଷା ଉତ୍ପାଦନ ଏବଂ ହାଲ୍ର କାର୍ଯ୍ୟକଳାପ ନେଇ ମନ୍ତ୍ରୀଙ୍କ ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି।
କାର୍ଯ୍ୟକ୍ରମରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ରହିବେ। କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ନେଇ କୋରାପୁଟ ଓ ସୁନାବେଡ଼ାରେ ପ୍ରସ୍ତୁତି ଜୋରଦାର ହୋଇଛି।
ଦିନିକିଆ ଓଡ଼ିଶା ଗସ୍ତ ଶେଷ କରି ଅପରାହ୍ନରେ ରାୟପୁର ଦେଇ ରାଜନାଥ ସିଂ ଦିଲ୍ଲୀ ଫେରିଯିବାର ସୂଚନା ରହିଛି।
