ବାତ୍ୟା ଅକଓ୍ୱାନ ପ୍ରଭାବରେ ବାଲେଶ୍ୱରରେ ପ୍ରବଳ ବର୍ଷା, ୫,୮୫୯ ଜଣ ସ୍ଥାନାନ୍ତରିତ
ବାଲେଶ୍ବର (ସଂକେତ ଟିଭି): ବାତ୍ୟା ‘ଅକଓ୍ୱାନ’କୁ ଦୃଷ୍ଟିରେ ରଖି ବାଲେଶ୍ୱର ଜିଲ୍ଲାରେ ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତା ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜିଲ୍ଲାର ବିଭିନ୍ନ ବ୍ଲକରୁ ୫,୮୫୯ ଜଣଙ୍କୁ ସୁରକ୍ଷିତ ପକ୍କା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିବାବେଳେ ୧୪୫ଟି ସ୍ଥାୟୀ ଓ ୧,୨୪୪ଟି ଅସ୍ଥାୟୀ ଆଶ୍ରୟସ୍ଥଳୀକୁ କାର୍ଯ୍ୟକ୍ଷମ ରଖାଯାଇଛି।
ସ୍ଥାନାନ୍ତରିତ ଲୋକଙ୍କ ମଧ୍ୟରେ ଭୋଗରାଇ ବ୍ଲକରୁ ସର୍ବାଧିକ ୧,୫୦୦ ଜଣ, ରେମୁଣାରୁ ୧,୧୫୦, ଜଳେଶ୍ୱରରୁ ୯୫୩, ବାଲିଆପାଳରୁ ୮୦୦, ବାଲେଶ୍ୱର ବ୍ଲକରୁ ୮୪୦, ନୀଳଗିରି ବ୍ଲକରୁ ୩୫୦, ବାହାନଗାରୁ ୧୦୦, ସୋରରୁ ୬୨, ଖଇରାରୁ ୪୮, ନୀଳଗିରି ଏନଏସିରୁ ୪୦ ଏବଂ ଉପଦାରୁ ୧୬ ଜଣ ରହିଛନ୍ତି।
ଜିଲ୍ଲାର ୫୭ଟି ଆଶ୍ରୟସ୍ଥଳୀରେ ଲୋକେ ରହୁଛନ୍ତି। ବାଲିଆପାଳର ୧୬ଟି, ଜଳେଶ୍ୱରର ୧୧ଟି, ବାଲେଶ୍ୱରର ୮ଟି, ଭୋଗରାଇର ୭ଟି, ନୀଳଗିରିର ୫ଟି, ରେମୁଣାର ୪ଟି, ଖଇରାର ୨ଟି, ବାହାନଗାର ୨ଟି, ସୋର ଓ ଉପଦାର ଗୋଟିଏ ଲେଖାଏଁ ଆଶ୍ରୟସ୍ଥଳୀରେ ଲୋକେ ଅବସ୍ଥାନ କରୁଛନ୍ତି।
ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ଗୋଟିଏ ଓଡ୍ରାଫ୍ ଟିମ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ ହୋଇଛନ୍ତି। ୧୨ଟି ବ୍ଲକ ପାଇଁ ୧୨ଟି ଅଗ୍ନିଶମ ଟିମ୍ ମୁତୟନ କରାଯାଇଛି। ସମସ୍ତ ବ୍ଲକରେ ବରିଷ୍ଠ ଅଧିକାରୀ, ଉପଜିଲ୍ଲାପାଳ ଓ ସହକାରୀ ଜିଲ୍ଲାପାଳମାନେ ନିୟୋଜିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି। ଜିଲ୍ଲା କଣ୍ଟ୍ରୋଲ ରୁମ୍ ମଧ୍ୟ ୨୪ ଘଣ୍ଟିଆ ସତର୍କତା ସହ କାର୍ଯ୍ୟ କରୁଛି।
ଗର୍ଭବତୀ ମହିଳାଙ୍କ ସୁରକ୍ଷା ଓ ପ୍ରସବ ସେବାକୁ ଗୁରୁତ୍ୱ ଦେଇ ଜିଲ୍ଲାରେ ୧,୭୧୭ ଜଣ ଗର୍ଭବତୀଙ୍କ ପ୍ରସବ ତାରିଖ ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ୭୦୮ ଜଣଙ୍କ ପ୍ରସବ ହୋଇଥିବାବେଳେ ୭୯୪ ଜଣଙ୍କୁ ସିଏଚସି ଓ ପିଏଚସିରେ ସ୍ଥାନାନ୍ତର କରାଯାଇଛି।
ରିଲିଫ ପାଇଁ ୨,୬୩୭ ପ୍ୟାକେଟ୍ ପଲିଥିନ୍ ରୋଲ୍ ପ୍ରସ୍ତୁତ ରଖାଯାଇଛି। ଏପର୍ଯ୍ୟନ୍ତ ୨୮୧.୫ କ୍ୱିଣ୍ଟାଲ ଚୁଡ଼ା ଓ ୨୫.୪ କ୍ୱିଣ୍ଟାଲ ଗୁଡ଼ ବଣ୍ଟନ କରାଯାଇଛି। ବାତ୍ୟା ସତର୍କତାକୁ ନେଇ ନଭେମ୍ବର ୨୦ରେ ସମସ୍ତ ବିଦ୍ୟାଳୟ ବନ୍ଦ ରହିଥିବାବେଳେ ନଭେମ୍ବର ୨୦ ଓ ୨୧ରେ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ରହିବ।
ଜିଲ୍ଲାରେ ନଭେମ୍ବର ୨୦ ତାରିଖ ସକାଳ ୮ଟାରୁ ଅପରାହ୍ନ ୪ଟା ମଧ୍ୟରେ ମୋଟ ୨୩୬ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏହାର ହାରାହାରି ୧୯.୬୬ ମିଲିମିଟର ରହିଛି। ଭୋଗରାଇରେ ସର୍ବାଧିକ ୩୭ ମିଲିମିଟର ଓ ଉପଦାରେ ସର୍ବନିମ୍ନ ୮ ମିଲିମିଟର ବର୍ଷା ହୋଇଛି। ପବନର ବେଗ ହାଲୁକା ରହିଥିବାରୁ ଜିଲ୍ଲାରେ ପରିସ୍ଥିତି ସାମାନ୍ୟ ନିୟନ୍ତ୍ରଣରେ ରହିଥିବା ପ୍ରଶାସନିକ ସୂଚନାରୁ ଜଣାପଡ଼ିଛି।
