ନୂଆ ପିୟୁସି ନିୟମ: ବିଏସ-୬ ଗାଡ଼ି ପାଇଁ ୩ ବର୍ଷ ବୈଧତା
ନୂଆଦିଲ୍ଲୀ (ସଂକେତ ଟିଭି): ପ୍ରଦୂଷଣ ସାର୍ଟିଫିକେଟ୍ (ପିୟୁସି) ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଏକ ନୂଆ ବ୍ୟବସ୍ଥା ଜାରି କରିଛନ୍ତି। ଏହି ନୂଆ ନିୟମ ଅନୁସାରେ ଏଣିକି ସବୁ ଗାଡ଼ି ପାଇଁ ସମାନ ସମୟରେ ପଲ୍ୟୁସନ୍ ସାର୍ଟିଫିକେଟ୍ ନବୀକରଣ କରିବାକୁ ପଡ଼ିବ ନାହିଁ। ଗାଡ଼ିର ଅବଧି, ଏମିସନ୍ ଷ୍ଟାଣ୍ଡାର୍ଡ ଓ ବ୍ୟବହାର ଅନୁସାରେ ପିୟୁସି ସାର୍ଟିଫିକେଟ୍ର ବୈଧତା ନିର୍ଦ୍ଧାରିତ ହେବ।
ଏହାର ସର୍ବାଧିକ ଫାଇଦା ପାଇବେ ବିଏସ-୬ ଗାଡ଼ି କିଣିଥିବା ମାଲିକ। ପୂର୍ବରୁ ପଞ୍ଜୀକୃତ ତାରିଖଠାରୁ ୬ ବର୍ଷ ପର୍ଯ୍ୟନ୍ତ ଅବଧି ଥିବା ବିଏସ-୬ ଗାଡ଼ିଗୁଡ଼ିକର ପିୟୁସି ବୈଧତା ଏକ ବର୍ଷ ଥିଲା। କିନ୍ତୁ କେନ୍ଦ୍ର ସରକାର ଏହି ବୈଧତାକୁ ୩ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସେହିପରି ୬ ବର୍ଷରୁ ଅଧିକ ଓ ୧୦ ବର୍ଷ ପର୍ଯ୍ୟନ୍ତ ପୁରୁଣା ବିଏସ-୬ ଗାଡ଼ି ପାଇଁ ମିଳିବ ଏକ ବର୍ଷର ବୈଧତା। ଆଉ ୧୦ ବର୍ଷରୁ ଅଧିକ ପୁରୁଣା ଗାଡ଼ିର ପିୟୁସି ପ୍ରତି ୬ ମାସରେ ନବୀକରଣ କରିବାକୁ ପଡ଼ିବ।
ଅନ୍ୟପଟେ ପରିବହନ ଗାଡ଼ି ପାଇଁ ମଧ୍ୟ ନିୟମ ବଦଳିଛି। ୬ ବର୍ଷ ପର୍ଯ୍ୟନ୍ତ କାଗଜପତ୍ର ଅବଧି ଥିବା ବିଏସ-୬ ପରିବହନ ଗାଡ଼ିକୁ ୨ ବର୍ଷର ପିୟୁସି ବୈଧତା ମିଳିବ। ୬ରୁ ଅଧିକ ଓ ୧୦ ବର୍ଷ ପର୍ଯ୍ୟନ୍ତ ଗାଡ଼ି ପାଇଁ ବୈଧତା ରହିବ ଏକ ବର୍ଷ। କିନ୍ତୁ ୧୦ ବର୍ଷରୁ ଅଧିକ ପୁରୁଣା ବିଏସ-୬ ପରିବହନ ଗାଡ଼ିକୁ ପ୍ରତି ୬ ମାସରେ ପଲ୍ୟୁସନ୍ ଟେଷ୍ଟ କରାଇ ସାର୍ଟିଫିକେଟ୍ ନବୀକରଣ କରିବାକୁ ପଡ଼ିବ।
ପୁରୁଣା ଏମିସନ୍ ଷ୍ଟାଣ୍ଡାର୍ଡର ଗାଡ଼ି ପାଇଁ ମଧ୍ୟ ନିୟମ କଡ଼ା ହୋଇଛି। ବିଏସ-୧, ବିଏସ-୨ ଓ ବିଏସ-୩ ଗାଡ଼ି ପାଇଁ ପିୟୁସି ବୈଧତା ମାତ୍ର ୩ ମାସ ରହିବ। ସେହିପରି ବିଏସ-୪ ଗାଡ଼ି ପାଇଁ ଏହି ଅବଧି ୬ ମାସ ରହିବ।
