ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ହେବ ନାହିଁ ପ୍ରତ୍ୟାହାର, ବଦଳରେ ସ୍କୁଲକୁ ଯିବ ସଂଶୋଧିତ ବହି
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ସ୍କୁଲ ପାଠ୍ୟପୁସ୍ତକରେ ଥିବା ତ୍ରୁଟି ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶିକ୍ଷା ବିଭାଗ ସ୍ପଷ୍ଟ କରିଛି ଯେ ତ୍ରୁଟିପୂର୍ଣ୍ଣ ପୁସ୍ତକଗୁଡ଼ିକୁ ପ୍ରତ୍ୟାହାର କରାଯିବ ନାହିଁ। ବରଂ ଏହା ପରିବର୍ତ୍ତେ ସମସ୍ତ ବିଦ୍ୟାଳୟକୁ ସଂଶୋଧିତ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି।
ବହି ତ୍ରୁଟି ପ୍ରସଙ୍ଗରେ କଠୋର ମନୋଭାବ ନେଇ ମୁଖ୍ୟମନ୍ତ୍ରୀ ଅବହେଳା କରିଥିବା ଅଧିକାରୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ସେ ୧୪ ପଏଣ୍ଟ ପରାମର୍ଶ ଦେବା ସହିତ ସ୍କୁଲ ଗୁଡ଼ିକୁ ଶୀଘ୍ର ସଂଶୋଧିତ ବହି ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀମାନେ ଯେପରି ଠିକ୍ ଭାବେ ପଢ଼ିପାରିବେ, ସେଥିପାଇଁ ଏହି ସଂଶୋଧିତ ବହି ବ୍ୟବହାର କରାଯିବ।
ସଂଶୋଧିତ ବହିଗୁଡ଼ିକ ଜିଲ୍ଲା ଶିକ୍ଷା ଅଧିକାରୀ (DEO) କିମ୍ବା ସ୍କୁଲ ପ୍ରଧାନ ଶିକ୍ଷକଙ୍କ ଜରିଆରେ ବିଦ୍ୟାଳୟକୁ ପଠାଯିବ। ତଦନ୍ତ ରିପୋର୍ଟ ଆସିବା ପରେ ଦୋଷୀ ଅଧିକାରୀମାନଙ୍କ ଉପରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସ୍ପଷ୍ଟ କରିଛନ୍ତି।
“ଶିକ୍ଷାର୍ଥୀଙ୍କ ପାଠପଢ଼ାରେ ଯେପରି କୌଣସି ବାଧା ନଆସିବ, ସେଥିପ୍ରତି ସରକାର ଗୁରୁତ୍ୱ ଦେଇଛନ୍ତି। ସେଥିପାଇଁ ସଂଶୋଧିତ ପାଠ୍ୟପୁସ୍ତକ ବିଦ୍ୟାଳୟଗୁଡ଼ିକୁ ପଠାଯିବା ସହିତ ଆଗାମୀ ପାଠପଢ଼ାରେ ସେହି ପୁସ୍ତକ ବ୍ୟବହାର କରାଯିବ। ସରକାରଙ୍କ ପ୍ରାଥମିକତା ହେଉଛି ଛାତ୍ରଛାତ୍ରୀମାନେ ସଠିକ୍ ଓ ତ୍ରୁଟିମୁକ୍ତ ପାଠ୍ୟପୁସ୍ତକ ପାଇବେ। ଏଥିପାଇଁ ଆବଶ୍ୟକ ସମସ୍ତ ବ୍ୟବସ୍ଥା କରାଯାଉଛି। ଭବିଷ୍ୟତରେ ଏଭଳି ତ୍ରୁଟି ନଘଟିବା ପାଇଁ ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ଯାଞ୍ଚ ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରାଯିବ,” ବୋଲି ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି।
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବହିରେ ହଜାର ହଜାର ଭୁଲ ଦେଖାଯାଇଛି। ପାଖାପାଖି ୨ ହଜାରରୁ ଅଧିକ ଭୁଲ ଥିବା ନଜରକୁ ଆସିଥିଲା, ଯାହା ସାଧାରଣ ଓ ଅସାଧାରଣ ଉଭୟ ପ୍ରକାରର ଥିଲା। କେଉଁ ବହିରେ ହିନ୍ଦୀ ଚଳଚ୍ଚିତ୍ରର ‘ନିମ୍ବୁଡା ନିମ୍ବୁଡା’ ଗୀତ ରହିଛି ତ ଆଉ କେଉଁ ବହିରେ ଅସଂଖ୍ୟ ବ୍ୟାକରଣଗତ ଭୁଲ ଦେଖାଯାଇଛି।
ଏପରିକି ‘ଓଡ଼ିଶା’ ବିଧାନସଭାର ଚିତ୍ର ସ୍ଥାନରେ ‘କର୍ଣ୍ଣାଟକ’ ବିଧାନସଭାର ଚିତ୍ରକୁ ସ୍ଥାନିତ କରାଯାଇଛି। ସେହିପରି ଇଂରାଜୀ ବହିରେ ଓଡ଼ିଆ ‘ରଜ’ ଗୀତ ମଧ୍ୟ ସ୍ଥାନ ପାଇଛି। ଏଭଳି ଗମ୍ଭୀର ତ୍ରୁଟି ପିଲା, ଶିକ୍ଷକ ଓ ଅଭିଭାବକଙ୍କୁ ଆଶ୍ଚର୍ଯ୍ୟ କରିଛି।
