CulturalLatestNews

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀ ହରିବଳଦେବଙ୍କ ପବିତ୍ର ସ୍ନାନ ଯାତ୍ରା ସମ୍ପନ୍ନ

ବାରିପଦା (ସଂକେତ ଟିଭି): ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ପବିତ୍ର ସ୍ନାନ ଯାତ୍ରା ସୋମବାର ଦିନ ଅତି ନିଷ୍ଠା ଓ ଭକ୍ତିର ସହିତ ସମ୍ପନ୍ନ ହୋଇଯାଇଛି । ନିର୍ଦ୍ଧାରିତ ନୀତିକାନ୍ତି ସୂଚୀ ଅନୁଯାୟୀ ସକାଳୁ ଉଠି ସମସ୍ତ କାର୍ଯ୍ୟ କ୍ରମାନୁଯାୟୀ ସମ୍ପାଦନ କରାଯାଇଥିଲା । ସକାଳ ୫ଟା ୩୦ ମି ସମୟରେ ତିନି ଦିଅଁଙ୍କୁ ଗୋଟି ପହଣ୍ଡିରେ ସ୍ନାନ ମଣ୍ଡପକୁ ବିଜେ କରାଯାଇଥିଲା । ଏହାପରେ ଗଙ୍ଗାଙ୍କ ଆବାହନ କରାଯାଇ ପ୍ରଥମେ ଅମୃତ ସ୍ନାନ, ପଇଡ ପାଣି ସ୍ନାନ ଏବଂ ଶେଷରେ ପ୍ରତ୍ୟେକ ଠାକୁରଙ୍କୁ ୧୦୮ କୁମ୍ଭ ଜଳରେ ଦେବସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା ।

ସ୍ନାନ ନୀତି ସମାପ୍ତ ହେବା ପରେ ତିନି ଠାକୁରଙ୍କର ଚନ୍ଦନ ବେଶ ଏବଂ ଫୁଲ ବେଶ କରାଯାଇଥିଲା । ଏହାପରେ ସାହାଣମେଲା ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ବହୁ ସଂଖ୍ୟକ ଭକ୍ତ ଉପସ୍ଥିତ ରହି ଠାକୁରଙ୍କୁ ଦର୍ଶନ କରିଥିଲେ । ସନ୍ଧ୍ୟା ବେଳକୁ ଶ୍ରୀଜୀଉମାନେ ଗଜାନନ ବେଶରେ ସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେବେ, ଯାହା ପାଇଁ ଭକ୍ତମାନେ ଉତ୍ସୁକ ଅପେକ୍ଷା କରିରହିଛନ୍ତି ।

ଅନ୍ୟପଟେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଜଗନ୍ନାଥ ମନ୍ଦିର ପରିସରରେ ଶହ ଶହ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଭଗବାନ ଓ ଭକ୍ତ ମଧ୍ୟରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଭକ୍ତଙ୍କ ସୁରକ୍ଷା ଓ ସୁବିଧା ପାଇଁ ମନ୍ଦିର ପ୍ରଶାସନ ଓ ପୋଲିସ ବ୍ୟାପକ ବନ୍ଦୋବସ୍ତ କରିଛି । ଦିଅଁ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସକାଳ ସମୟରୁ ରାତି ପର୍ଯ୍ୟନ୍ତ ମନ୍ଦିର ସମ୍ମୁଖ ଦେଇ ଯାନବାହାନ ଚଳାଚଳ ପାଇଁ ରୁଟ୍ ପରିବର୍ତ୍ତନ କରାଯାଇଥିବାରୁ ସାଧାରଣ ଯାତାୟାତ ପ୍ରଭାବିତ ହୋଇଛି ।