ପୂର୍ବତଟ ରେଲୱେରେ ଏଆଇ ରୋବଟ୍ ‘ଡି.ଏସ୍.ସି. ଅର୍ଜୁନ’ର ଆଗମନ
ଭୁବନେଶ୍ୱର (ସଂକେତ ଟିଭି): ପୂର୍ବତଟ ରେଲୱେରେ ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ଅତ୍ୟାଧୁନିକ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସମ୍ପନ୍ନ ରୋବଟ୍ ଯୋଡ଼ି ହୋଇଛି। ଏହି ରୋବଟ୍କୁ ‘ଡି.ଏସ୍.ସି. ଅର୍ଜୁନ’ ନାମକରଣ କରାଯାଇଛି, ଯାହା ରେଳ ଯାତ୍ରୀମାନଙ୍କ ନିରାପତ୍ତା ସୁନିଶ୍ଚିତ କରିବାରେ ସହାୟକ ହେବ।
ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ରୋବଟ୍ରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଇଛି। ଏଥିରେ ୭ଟି ୩୬୦ ଡିଗ୍ରୀ କ୍ୟାମେରା ଲଗାଯାଇଛି, ଯାହା ଚତୁର୍ଦିଗର ଗତିବିଧି ଉପରେ ନଜର ରଖିପାରିବ। ଏହି ରୋବଟ୍ ରେଲୱେ ଟ୍ରାକ୍ ନିକଟରେ ଥିବା ଯାତ୍ରୀଙ୍କ ଗତିବିଧି ଚିହ୍ନଟ କରିବା ସହ କୌଣସି ସ୍ଥାନରେ ନିଆଁ ଲାଗିଲେ ତୁରନ୍ତ ସତର୍କ ସୂଚନା ପ୍ରଦାନ କରିବ। ପୂର୍ବତଟ ରେଳବାଇ ପ୍ରାୟ ୪୦ ଲକ୍ଷ ଟଙ୍କା ବ୍ୟୟରେ ଏହି ରୋବଟ୍କୁ ଅଣାଯାଇଛି।
ପ୍ରଥମ ପର୍ଯ୍ୟାୟରେ, ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଏହି ରୋବଟ୍କୁ ପୁରୀ ରେଲୱେ ଷ୍ଟେସନରେ ରଖାଯିବ ଏବଂ ପରବର୍ତ୍ତୀ ସମୟରେ ଏହାକୁ ଭୁବନେଶ୍ବର ରେଲୱେ ଷ୍ଟେସନକୁ ସ୍ଥାନାନ୍ତରିତ କରାଯିବ। ଏହାର ମୁଖ୍ୟ ଉଦ୍ଦେଶ୍ୟ ସୁରକ୍ଷା, ନିରାପତ୍ତା ଏବଂ ନିରୀକ୍ଷଣ (ସର୍ଭିଲାନ୍ସ) ଉପରେ ଗୁରୁତ୍ୱ ଦେବା।
ଏହି ରୋବଟ୍ ଟ୍ରେନ୍ ଷ୍ଟେସନରେ ପହଞ୍ଚିବା ପୂର୍ବରୁ ଆବଶ୍ୟକ ସୂଚନା ପ୍ରଦାନ କରିବ। ଏଥିରେ ଥିବା ଫେସ୍ ଡିଟେକ୍ସନ୍ (ଚେହେରା ଚିହ୍ନଟ) ସିଷ୍ଟମ୍ ଦ୍ୱାରା ସନ୍ଦିଗ୍ଧ ବା ଅପରାଧୀଙ୍କୁ ସ୍କାନ୍ କରି ଚିହ୍ନଟ କରାଯାଇପାରିବ। ଏହାସହ ଏହାର ଦେହରେ ଲାଗିଥିବା ସିସିଟିଭି କ୍ୟାମେରା ମାଧ୍ୟମରେ ଯାତ୍ରୀମାନଙ୍କ ଗତିବିଧି ଉପରେ ନିରନ୍ତର ନଜର ରଖାଯିବ, ଯାହା ରେଳ ଷ୍ଟେସନର ସାମଗ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବ।
