ନଦୀରେ ବୁଡ଼ିଯାଇ ଦୁଇ ଭାଇଙ୍କ ସଲିଳ ସମାଧି
ବାଲେଶ୍ୱର (ସଂକେତ ଟିଭି): ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀର ମାନପୁର ଘାଟରେ ବିଜୟା ଦଶମୀ ଦିନ ଏକ ହୃଦୟବିଦାରକ ଅଘଟଣ ଘଟିଛି। ଗାଧୋଇବା ସମୟରେ ନଦୀରେ ବୁଡ଼ିଯାଇ ଦୁଇ ଭାଇଙ୍କ ଜୀବନ ଚାଲିଯାଇଛି।
ମୃତକ ଦୁଇ ଭାଇ ହେଉଛନ୍ତି ତଳଧାନଦା ଗାଁର ରମୀୟ ରଞ୍ଜନ ଗିରି ଓ ସୌମ୍ୟରଞ୍ଜନ ଗିରି। ସେମାନେ ଦୁର୍ଗା ପୂଜା ଅବସରରେ ମାମୁଘରକୁ ବୁଲିବାକୁ ଆସିଥିଲେ।
ପୂଜାର ଆନନ୍ଦ ମଧ୍ୟରେ ଆସିଥିବା ଏହି ଦୁଇ ଭାଇ ନଦୀରେ ଗାଧୋଇବା ବେଳେ ବୁଡ଼ିଯାଇଥିଲେ। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ସେମାନଙ୍କ ଜୀବନ ରକ୍ଷା ହୋଇପାରିନଥିଲା।
ଦଶହରା ଦିନ ଦୁଇ ଭାଇଙ୍କ ଏଭଳି ଅକାଳ ମୃତ୍ୟୁ ଘଟଣାରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୂଜା ବୁଲିବାକୁ ଆସିଥିବା ପରିବାର ଫେରିଛି ମୃତଦେହ ଧରି, ଯାହା ପରିବାର ପାଇଁ ଏକ ଅସହ୍ୟ ଦୁଃଖର କାରଣ ହୋଇଛି।
